ଶ୍ରୀ ଜଗନ୍ନାଥଙ୍କ ସେବାରେ ତାମ୍ବୁଳ ଏବଂ ଏହାର ଗୁଣ, କର୍ମ ଓ ସେବନ ବିଧି

ଆଜିର ଆଧୁନିକ ସମାଜରେ ତାମ୍ବୁଳ (ପାନ) ସେବନକୁ ମୁଖ ଗହ୍ଵର ରୋଗର ମୁଖ୍ୟ କାରଣ ଏପରିକି ମୁଖ ଗହ୍ଵର କର୍କଟ ରୋଗର ଏକ କାରଣ ଭାବେ ଗ୍ରହଣ କରାଯାଉଛି ଓ ଏହାର ସେବନକୁ ସ୍ବାସ୍ଥ୍ୟଗତ ଦୃଷ୍ଟିକୋଣରୁ ବାରଣ ମଧ୍ୟ କରାଯାଉଛି, ତେବେ କେଉଁ ଅନାଦି କାଳରୁ ସ୍ବାସ୍ଥ୍ୟ ବର୍ଦ୍ଧନ ନିମିତ୍ତ ଏହି ତାମ୍ବୁଳ ସେବନର ପରମ୍ପରା ଆମ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଓ ଏହାର ପ୍ରମୁଖ ଉଦାହରଣ ହେଉଛି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେବାରେ ତାମ୍ବୁଳ ଲାଗି ବା ବିଡ଼ିଆ ମଣୋହି ସେବା ।

ମହାପ୍ରଭୁଙ୍କ ବିଡ଼ିଆ ମଣୋହି ସେବାରେ ତାମ୍ବୁଳ ବା ପାନ ସହିତ ଗୁଆ, ଲବଙ୍ଗ, ଅଳେଇଚ, ଜାଇଫଳ ଓ କର୍ପୁର ବ୍ୟବହୃତ ହୁଏ ଓ ଏହି ସେବାରେ ଦୁଇ ପ୍ରକାର ସେବକ ନିଯୁକ୍ତ ଥାଆନ୍ତି – ହଡ଼ପ ନାଏକ ଓ ବିଡ଼ିଆ ଯୋଗାଣିଆ । ହଡ଼ପ କହିଲେ ରୂପା ବଟା ବା ପିଙ୍ଗଣରେ ରଖାଯାଇଥିବା ପାନ ଓ ବିଡ଼ିଆ କହିଲେ ମହାପ୍ରଭୁଙ୍କୁ ଲାଗି ନିମିତ୍ତ ପ୍ରସ୍ତୁତ ହୋଇଥିବା ପାନକୁ ବୁଝାଏ । ବିଡ଼ିଆ ଯୋଗାଣିଆ ସେବକ ଦୈନିକ ଓ ପର୍ବପର୍ବାଣୀରେ ଯେତେ ପ୍ରକାର ବିଡ଼ିଆ ଯେଉଁ ଯେଉଁ ସମୟରେ ଦରକାର ହୁଏ ତାହା ହଡ଼ପ ଘରେ ତିଆରି କରି ହଡ଼ପ ନାଏକଙ୍କ ଜିମା ଦିଅନ୍ତି । ଏହି ସେବକ ମଧ୍ୟ ଦୈନିକ ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପରେ ୭ ଖଣ୍ଡ ଲେଖାଏଁ ନଳି ବିଡ଼ିଆ, ଚନ୍ଦନ ଲାଗି ସମୟରେ ୨୦ ଖଣ୍ଡ ଚଉତା ବିଡ଼ିଆ, ବଡ଼ ସିଂହାର ସମୟରେ ୮ ଖଣ୍ଡ ନଳି ବିଡ଼ିଆ, ପହୁଡ଼ ସମୟରେ ୩୨ ଖିଲି ବିଡ଼ିଆ ତଥା ମକର ସଂକ୍ରାନ୍ତିରେ ୬ ଟି ପାନ ଚୂଳ ତିଆରି କରନ୍ତି ।

ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପ ଟେରା ପଡ଼ି ଫିଟିବା ପୂର୍ବରୁ ପତ୍ରି ବଡୁ ହଡ଼ପ ନାଏକ ବୋଲି ଡାକିଲେ, ପାଳିଆ ପ୍ରତିହାରୀ ଦ୍ଵାର ଫିଟାଇବା ପରେ, ହଡ଼ପ ନାଏକ ହଡ଼ପ ଘରୁ ବିଡ଼ିଆ ଯୋଗାଣିଆଙ୍କ ଠାରୁ ଗ୍ରହଣ କରିଥିବା ନିୟମିତ ଖଣ୍ଡ ବିଡ଼ିଆକୁ ତିନି ବାଡ଼ରେ ରୂପା ବଟାରେ ନେଇ ପୂଜା ପଣ୍ଡାଙ୍କୁ ବଢାନ୍ତି । ରାତ୍ର ଚନ୍ଦନ ଲାଗି ସମୟରେ ଚନ୍ଦନ ବିଜେ ପରେ, ଭଣ୍ଡାର ମେକାପଙ୍କ ଠାରୁ ହଡ଼ପ ନେଇ, ଭିତର ସିଂହାସନ ତଳକୁ ଯାଇ, ସିଂହାରୀଙ୍କ ହାତକୁ ମେକାପ ଚନ୍ଦନ ବଢ଼ାଇଲା ପରେ, ହଡ଼ପ ନାଏକ ସିଂହାସନ ତଳେ ଠିଆ ହୋଇ ସାତ ବାଡ଼ ବିଡ଼ିଆ ମଣୋହି କରାନ୍ତି । ବଡ଼ ସିଂହାର ଭୋଗ ପରେ, ମୁଦୁଲିଙ୍କ ଠାରୁ ବଟା ନେଇ, ବିଡ଼ିଆ ତିନି ବାଡ଼ରେ ପୁଷ୍ପାଳକଙ୍କ ହାତକୁ ବଢାନ୍ତି । ଶୟନ ଠାକୁର ଡମ୍ବରୁ ଉପରେ ବିଜେ କଲା ପରେ ପୁଷ୍ପାଳକଙ୍କୁ ବିଡିଆ ଦିଅନ୍ତି । ଦୈନିକ ଚନ୍ଦନ ଲାଗି ବଢିବା ପରେ ଭଣ୍ଡାର ମେକାପଙ୍କ ଠାରୁ କର୍ପୁର ଓ ବିଡ଼ିଆ ନେଇ ପାର୍ଶ୍ଵ ଦେବତାମାନଙ୍କୁ (ମଦନ ମୋହନ, ବିମଳା, ନୃସିଂହ, ଲକ୍ଷ୍ମୀ ଓ ସରସ୍ଵତୀ) ଯୋଗାନ୍ତି ଏବଂ କର୍ପୁର ଗଣ୍ଡିଏ ପରଦିନ ସକାଶେ ବିଡ଼ିଆ ଘରେ ଯୋଗାଣିଆ ଜିମା ଦିଅନ୍ତି ।

ଚନ୍ଦନ ଯାତ୍ରା, ସ୍ନାନ ପୂର୍ଣ୍ଣିମା, ଶ୍ରୀ ଗୁଣ୍ଡିଚା ଯାତ୍ରା, ବାହୁଡା଼ ଯାତ୍ରା, ବାଳ ଧୂପ, ମକର ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ସମୟରେ ମଧ୍ୟ ହଡ଼ପ ନାଏକଙ୍କ ଦ୍ବାରା ଏହି ବିଡ଼ିଆ ମଣୋହି ସେବା ସମ୍ପାଦିତ ହୋଇଥାଏ । ଏଥିରୁ ଅନୁମାନ କରାଯାଇପାରେ ଯେ ତାମ୍ବୁଳର ଆମ ସଂସ୍କୃତିରେ ବିଶେଷ ପ୍ରାଧାନ୍ୟ ରହିଛି । ଆସନ୍ତୁ ଏବେ ଜାଣିବା ଆମ ଦୈନନ୍ଦିନ ଜୀବନରେ କେଉଁଥିପାଇଁ ତାମ୍ବୁଳର ଏତେ ପ୍ରାଧାନ୍ୟ ରହିଛି ।

ତାମ୍ବୁଳର ଗୁଣ କର୍ମ ଓ ସେବନ ବିଧି ଆମେ ଆୟୁର୍ବେଦ ଶାସ୍ତ୍ରରୁ ଜାଣି ପାରିବା । ଆୟୁର୍ବେଦ ମତରେ ତାମ୍ବୁଳ ଚର୍ବଣ ନିଦରୁ ଉଠିବା ପରେ, ସ୍ନାନ ପରେ, ଭୋଜନ ଉପରାନ୍ତ, ପ୍ରଣୟ ସମୟରେ ତଥା ବିଦ୍ୱାନ୍ ମାନଙ୍କର ସଭା ଏବଂ ରାଜ ସଭାରେ କରିବା ଉଚିତ୍ । ତାମ୍ବୁଳ ପତ୍ରକୁ ଗୁଆ, କର୍ପୁର, ଲତା କସ୍ତୁରୀ, ଜାଇଫଳ, ଲବଙ୍ଗ, କଙ୍କୋଳ (ଶୀତଳ ଚିନି), ଛୋଟ ଅଳେଇଚ ଆଦି ସହିତ କିମ୍ବା ମୁଖସ୍ୱଚ୍ଛ କାରକ କଟୁ କଷାୟ ରସ ଯୁକ୍ତ ଫଳ ଅଥବା ସୁଗନ୍ଧିତ ଦ୍ରବ୍ୟ ସହିତ ସେବନ କରିବା ଉଚିତ୍ । ଏହାର ସେବନ କରିବା ଦ୍ବାରା ମୁଖରୁ ଲାଳ ବୋହିବା ବନ୍ଦ ହୋଇଥାଏ । ଏହା ବାତ କଫ ନାଶକ, କୃମି ଓ ମୁଖ ଦୁର୍ଗନ୍ଧି ନାଶକ, ମୁଖ ବିଶୁଦ୍ଧି କାରକ, କାମୋଦ୍ଦୀପକ, ଜଠରାଗ୍ନି ସନ୍ଦୀପକ, ରକ୍ତ ପିତ୍ତ ବର୍ଦ୍ଧକ, କ୍ଳାନ୍ତି ନାଶକ, ଗଳା ରୋଗ ଦୂରକାରୀ, କାନ୍ତି, ସୋନ୍ଦର୍ଯ୍ୟ ତଥା ହୃଦୟ ଶକ୍ତି ବର୍ଦ୍ଧକ ଓ ଦନ୍ତ ମଳ ନାଶକ । ଏହା ମଧ୍ୟ ହନୁ, ଦନ୍ତ, ସ୍ୱର, ଜିହ୍ୱା ମଳ ଓ ଇନ୍ଦ୍ରିୟ ଶୋଧକ ।

ତାମ୍ବୁଳକୁ ସାଧାରଣତଃ ଗୁଆ, ଖଇର ଓ ଚୂନ ସହିତ ସେବନ କରାଯାଏ । ତେବେ ଧ୍ୟାନ ରଖିବା ଉଚିତ୍ ଯେ ଯେଉଁ ଗୁଆର ମଧ୍ୟ ଦୃଢ଼ ଥିବ ତାହାକୁ ଶୁଷ୍କ ଅବସ୍ଥାରେ ହିଁ ଏଥି ନିମନ୍ତେ ବ୍ୟବହାର କରିବା ଆବଶ୍ୟକ । କାରଣ ଓଦା ଗୁଆ ଜଠରାଗ୍ନିକୁ ନଷ୍ଟ କରିଥାଏ । ଗୁଆ ସ୍ବଭାବତଃ କଫ ପିତ୍ତକୁ ନାଶ କରିଥାଏ ତଥା ଜଠରାଗ୍ନି ସନ୍ଦୀପକ, ମୁଖ ବିରସତା ନାଶକ ଓ ରୁଚି କାରକ । ଏଣୁ ଏହାକୁ ତାମ୍ବୁଳ ସହିତ ସେବନ କରାଯାଏ । ଖଇର କଫ ପିତ୍ତ ନାଶକ ତଥା ଚୂନ ବାତ କଫ ନାଶକ । ତାମ୍ବୁଳ ସହିତ ଚୂନ ଓ ଖଇରର ଏକତ୍ର ପ୍ରୟୋଗ ବାତ, ପିତ୍ତ, କଫ ଆଦି ତ୍ରିଦୋଷ ନାଶକ ଏବଂ ମନକୁ ପ୍ରସନ୍ନ କରିଥାଏ । ପ୍ରାତଃ କାଳରେ କଫ ପ୍ରାଧାନ୍ୟ କାରଣରୁ ଅଧିକ ଗୁଆ ଯୁକ୍ତ, ମଧ୍ୟାହ୍ନରେ ପିତ୍ତ ପ୍ରାଧାନ୍ୟ କାରଣରୁ ଅଧିକ ଖଇର ଯୁକ୍ତ ତଥା ରାତ୍ରିରେ ବାତ ପ୍ରାଧାନ୍ୟ କାରଣରୁ ଅଧିକ ଚୂନ ଯୁକ୍ତ ତାମ୍ବୁଳ ସେବନ କରିବା ଆବଶ୍ୟକ ।

ତାମ୍ବୁଳ ସେବନ ସମୟରେ ଏହାର ଅଗ୍ର ଭାଗ, ମୂଳ, ମଧ୍ୟ ତଥା ସିରାକୁ ତ୍ୟାଗ କରିବା ଉଚିତ୍, କାରଣ ଏହାର ଅଗ୍ର ଭାଗ ପାପ କାରକ, ମୂଳ ରୋଗ କାରକ, ମଧ୍ୟ ଭାଗ ଆୟୁ ନଷ୍ଟକାରୀ ତଥା ସିରା ବୁଦ୍ଧି ନଷ୍ଟକାରୀ । ଆଉ ମଧ୍ୟ ଏହାର ପ୍ରଥମ ପିକ ବିଷ ସଦୃଶ ଓ ଦ୍ଵିତୀୟ ପିକ ଦୁଷ୍ପାଚ୍ୟ ଅଟେ । ଏହାର ତୃତୀୟ ଚତୁର୍ଥ ଆଦି ପିକ ଅମୃତ ସମାନ ଅଟେ ଏଣୁ ଏହା ପାନ କରିବା ଯୋଗ୍ୟ ।

ତେବେ ଏହାର ଅତ୍ୟଧିକ ସେବନ ତଥା ନେତ୍ର କୋପ, ରକ୍ତପିତ୍ତ, କ୍ଷତ ରୋଗ, ଦାହ, ବିଷ ବିକାର, ଶୋଷ ରୋଗ, ମଦାତ୍ୟୟ, ମୋହ, ମୂର୍ଚ୍ଛା, ଶ୍ୱାସ ଆଦି ରୋଗରେ ପ୍ରୟୋଗ ନିଷେଧ । ବୁଭୁକ୍ଷିତ ଅବସ୍ଥା ତଥା ଦୁର୍ବଳ ଦନ୍ତ ଯୁକ୍ତ ବ୍ୟକ୍ତି ନିମନ୍ତେ ମଧ୍ୟ ଏହାର ସେବନ ନିଷେଧ ।

ଆଜିକାଲି ତାମ୍ବୁଳକୁ ବିବିଧ ବିଷାକ୍ତ ଗୁଣ୍ଡି ଓ ପାନ ମସଲା ସହିତ ସେବନ କରାଯାଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଅହିତକର ସାବ୍ୟସ୍ତ ହେଉଛି ତଥା ବିବିଧ ମୁଖ ଗହ୍ଵର ରୋଗ ତଥା ମୁଖ ଗହ୍ଵର କର୍କଟ ରୋଗର କାରଣ ମଧ୍ୟ ହେଉଛି । ତେବେ ଏହାର ଶାସ୍ତ୍ରୀୟ ବିଧିରେ ସେବନ ସ୍ବାସ୍ଥ୍ୟ ପାଇଁ ନିଶ୍ଚିତ ଭାବରେ ଉପକାରୀ ଯାହାର ପ୍ରମାଣ ହେଉଛି ବିବିଧ ପ୍ରାଚୀନ ଆୟୁର୍ବେଦ ଗ୍ରନ୍ଥରେ ଦିନଚର୍ଯ୍ୟା ପ୍ରକରଣରେ ଏହାର ସବିଶେଷ ବର୍ଣ୍ଣନ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଏହାର ପ୍ରାଧାନ୍ୟ ।

ଜୟ ଜଗନ୍ନାଥ !

ଉପସ୍ଥାପନା : ଡା. କୁମାର ଅରୋଜ୍ୟୋତି

[ଚିତ୍ର ସୌଜନ୍ୟ: Shree Jagannatha Facebook Page]

Sidebar