ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ରାଜ ମୁକୁଟ

ଯୁଗେ ଯୁଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ରହସ୍ୟମୟ । ଆଉ ଏବେ ଏହି ରତ୍ନ ଭଣ୍ଡାର ପୁନଶ୍ଚ ଚର୍ଚ୍ଚାରେ ରହିବା ସ୍ଵାଭାବିକ ଯେହେତୁ ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ପୁନଶ୍ଚ ଏହାର ବାହାର ଓ ଭିତର ଭଣ୍ଡାର ଖୋଲା ହୋଇ ଏଥିରେ ରହିଥିବା ରତ୍ନ ଅଳଙ୍କାର ସବୁର ଗଣତି ମଣତି ହୋଇଅଛି । ତେବେ ଗଣ ମାଧ୍ୟମର ଚର୍ଚ୍ଚା ଅନୁଯାୟୀ ଶୁଣିବାକୁ ମିଳିଛି ଯେ ଏହି ରତ୍ନ ଭଣ୍ଡାରର ଭିତର ଭଣ୍ଡାରରେ ଉତ୍କଳର ତତ୍କାଳୀନ ଗଜପତି ମହାରାଜାମାନଙ୍କ ଦ୍ଵାରା ପରାଜିତ ରାଜାମାନଙ୍କର ରାଜ ମୁକୁଟ କୁଆଡ଼େ ଗଚ୍ଛିତ ଅଛି । ପୂର୍ବତନ ଶ୍ରୀମନ୍ଦିର ସହକାରୀ ପ୍ରଶାସକ ସ୍ବର୍ଗତ ରବି ନାରାୟଣ ମିଶ୍ରଙ୍କ ତଥ୍ୟ ଅନୁସାରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରେ ଏହିପରି ଅନେକ ମୁକୁଟ ରହିଛି । ତେବେ ଏହି ଉକ୍ତିର ସତ୍ୟତା କେତେ ?

ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ଆଜି ପର୍ଯ୍ୟନ୍ତ ତିନୋଟି ଉପଲବ୍ଧ ତାଲିକା ରହିଛି । ସେଗୁଡ଼ିକ ହେଲା –

୧) ୧୮୦୫ ମସିହାର ଗ୍ରୋମ୍ ସାହେବ ତାଲିକା
୨) ୧୯୫୬ ମସିହାର ରତ୍ନ ଭଣ୍ଡାର ତାଲିକା
୩) ୧୯୭୮ ମସିହାର ରତ୍ନ ଭଣ୍ଡାର ତାଲିକା

ପ୍ରଥମ ତାଲିକା ଅନୁସାରେ ରତ୍ନ ଭଣ୍ଡାରରେ ୩ ଟି ମୁକୁଟ (ସୁନା ଅଥବା ରୂପା ସ୍ପଷ୍ଟ ନୁହେଁ, ସମ୍ଭବତଃ ତିନି ଠାକୁରଙ୍କର, କ୍ରମିକ ସଂଖ୍ୟା ୭), ୧୫ ଟି ରୂପା ମୁକୁଟ (କ୍ରମିକ ସଂଖ୍ୟା ୯୫), ଅନ୍ୟ ମୁକୁଟ ୨ ଟି (ସୁନା ଅଥବା ରୂପା ସ୍ପଷ୍ଟ ନୁହେଁ, କ୍ରମିକ ସଂଖ୍ୟା ୨୧୦), ବିଭିନ୍ନ ପ୍ରକାରର ୨୮୩ ଟି କନାର ଟୋପି (କ୍ରମିକ ସଂଖ୍ୟା ୨୩୭) ତଥା ୧୬ ଟି ପଗଡ଼ି (କ୍ରମିକ ସଂଖ୍ୟା ୨୫୫) ରହିଥିଲା ।

ଦ୍ଵିତୀୟ ତାଲିକା ଅନୁସାରେ ରତ୍ନ ଭଣ୍ଡାରରେ ୩ ଟି ସୁନା ମୁକୁଟ (ତିନି ଠାକୁରଙ୍କର, ବାହାର ଭଣ୍ଡାର, କ୍ରମିକ ସଂଖ୍ୟା ୧୩୨, ୧୩୩ ଓ ୧୩୪) ଓ ୧ ଟି ରୂପା ମୁକୁଟ (ଭିତର ଭଣ୍ଡାର, ରୂପା ଜିନିଷ, କ୍ରମିକ ସଂଖ୍ୟା ୧୪) ରହିଥିଲା ।

ତୃତୀୟ ତାଲିକା ଅନୁସାରେ ରତ୍ନ ଭଣ୍ଡାରରେ ଶ୍ରୀ ସୁଦର୍ଶନଙ୍କର ୧ ଟି ମୁକୁଟ (ସୁନା ଅଥବା ରୂପା ସ୍ପଷ୍ଟ ନୁହେଁ, ଭିତର ଭଣ୍ଡାର, କ୍ରମିକ ସଂଖ୍ୟା ୨୯) ଓ ୩ ଟି ସୁନା ମୁକୁଟ (ତିନି ଠାକୁରଙ୍କର, ବାହାର ରତ୍ନ ଭଣ୍ଡାର, କ୍ରମିକ ସଂଖ୍ୟା ୭୭) ରହିଥିଲା ।

ଉପରୋକ୍ତ ରତ୍ନ ଭଣ୍ଡାରର ତାଲିକା ସବୁକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ୧୯୫୬ ଓ ୧୯୭୮ ର ରତ୍ନ ଭଣ୍ଡାର ତାଲିକା ଅନୁଯାୟୀ ବାହାର ରତ୍ନ ଭଣ୍ଡାରରେ ତିନି ଠାକୁରଙ୍କର ୩ ଟି ସୁନା ମୁକୁଟ (କିରୀଟ ?) ରହିଛି । ଏବଂ ଭିତର ରତ୍ନ ଭଣ୍ଡାରରେ ୧ ଟି ମୁକୁଟ (କିରୀଟ ?) ରହିଛି (ଶ୍ରୀ ସୁଦର୍ଶନଙ୍କର ?) ।

କେବଳ ୧୮୦୫ ମସିହାର ଗ୍ରୋମ୍ ସାହେବ ତାଲିକା ଅନୁସାରେ ରତ୍ନ ଭଣ୍ଡାରରେ ବିବିଧ ମୁକୁଟ ତଥା ଟୋପି, ପଗଡ଼ି ଆଦି ରହିଥିଲା ଯାହାକି ବର୍ତ୍ତମାନ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ ଗଜପତି ମହାରାଜାମାନଙ୍କ ଦ୍ବାରା ପରାଜିତ ରାଜାମାନଙ୍କର ହୋଇପାରେ କିମ୍ବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ବେଶ ନିମିତ୍ତ ମଧ୍ୟ ହୋଇପାରେ ଯାହାକୁ ଅନୁମାନ କରିବା କଷ୍ଟକର । ତେବେ ଗୋଟିଏ ଜିନିଷ ସ୍ପଷ୍ଟ ଯେ ଆସନ୍ତା ଭିତର ରତ୍ନ ଭଣ୍ଡାର ପରିଦର୍ଶନ ଦ୍ଵାରା ସେଥିରୁ କେବଳ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମୁକୁଟ (କିରୀଟ ?) ବ୍ୟତୀତ ଅନ୍ୟ କିଛି ମୁକୁଟ ମିଳିବା ପ୍ରାୟତଃ ଅସମ୍ଭବ ଯେହେତୁ ତାହା ବିଗତ ଦୁଇ ରତ୍ନ ଭଣ୍ଡାର ତାଲିକାରେ ନାହିଁ । ହଁ, ଯଦି ଭିତର ରତ୍ନ ଭଣ୍ଡାର ମଧ୍ୟରେ କିଛି ଗୁପ୍ତ କୋଠରୀ ଅଥବା ସ୍ଥାନର ସନ୍ଧାନ ମିଳେ ତେବେ ଏ ସମ୍ପର୍କରେ ନୂତନ ତଥ୍ୟ ମିଳିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଯାହା ସେଇ ଲୀଳାମୟଙ୍କ ଇଚ୍ଛା ।

ଜୟ ଜଗନ୍ନାଥ !

[ସଂଲଗ୍ନ ଚିତ୍ର କୃତ୍ରିମ ବୁଦ୍ଧିମତ୍ତା ଦ୍ବାରା ସୃଷ୍ଟ ।]

Sidebar