ଶ୍ରୀଜଗନ୍ନାଥଙ୍କ ଦନ୍ତ ମାର୍ଜନ ନୀତି ଓ ମୁତୁରୀ ଦାନ୍ତକାଠିର କାହାଣୀ

ଶ୍ରୀମନ୍ଦିରର ନୀତିକାନ୍ତି ସ୍ଵତନ୍ତ୍ର । ସାଧାରଣ ମନୁଷ୍ୟ ଯେପରି ଦିନ ଓ ଋତୁର ବିଭିନ୍ନ ସମୟରେ ଦିନଚର୍ଯ୍ୟା ଓ ଋତୁଚର୍ଯ୍ୟା ଆଦି ପାଳନ କରିଥାଏ, ଏଠାରେ ମହାପ୍ରଭୁ ସେପରି ସମ୍ପୂର୍ଣ୍ଣ ରାଜକୀୟ ବିଧିରେ ସମୟ ଅନୁସାରେ ପୂର୍ବ ରାତ୍ରରେ ପିନ୍ଧିଥିବା ପୋଷାକ ବଦଳାନ୍ତି (ମଇଲମ), ଦନ୍ତ ମାର୍ଜନ ଓ ସ୍ନାନ କରନ୍ତି (ଅବକାଶ), ବସ୍ତ୍ର ପରିଧାନ କରନ୍ତି (ତଡ଼ପଲାଗି), ଭୋଜନ ଗ୍ରହଣ କରନ୍ତି (ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପ), ବିଶ୍ରାମ ନିଅନ୍ତି (ପହୁଡ଼), ଶୟନ କରନ୍ତି (ଖଟଶେଯ ଲାଗି ଓ ରାତ୍ରପହୁଡ଼), ଗ୍ରୀଷ୍ମ ଋତୁରେ ଚନ୍ଦନ ଲାଗି ହୋଇ ଜଳକ୍ରୀଡ଼ା କରିଥାନ୍ତି (ଚନ୍ଦନ ଯାତ୍ରା ସମ୍ବନ୍ଧିତ ନୀତି ଓ ବେଶ) ତଥା ଶୀତ ଋତୁରେ ଗରମ ପୋଷାକ ମଧ୍ୟ ପରିଧାନ କରନ୍ତି (ଘୋଡ ଲାଗି) । ଏହି ସବୁ ଦୈନନ୍ଦିନ ତଥା ସ୍ଵତନ୍ତ୍ର ନୀତି ମଧ୍ୟରୁ ଅବକାଶ ନୀତି ଅନ୍ୟତମ ଯାହାର ଏକ ବିଶେଷ ଅଂଶ ହେଉଛି ଦନ୍ତ ମାର୍ଜନ ।
ମଇଲମ ନୀତି ପରେ ଅବକାଶ ନୀତି ବଢ଼େ ଯେଉଁଥିପାଇଁ ନିମ୍ନ ଲିଖିତ ଉପକରଣ ମାନ ଆବଶ୍ୟକ ହୁଏ ।
୧) ପିଢ଼ା ୨) ପାଣି ୩) ଖଟୁଳି ୪) ଦାନ୍ତ କାଠି ୫) ଜିଭ ଛେଲା ୬) ତିନି ଗୋଟି ବଟା ୭) ଫୁଲ ଓ ତୁଳସୀ ୮) ଚନ୍ଦନ ୯) ଅଅଁଳା ୧୦) କର୍ପୁର ୧୧) ଦର୍ପଣ ୧୨) ଗରା ୧୩) ହାଣ୍ଡି
ଏହି ନୀତିରେ ପ୍ରଥମେ ପାଣି ଆପଟ ପାଣି ଦିଅନ୍ତି । ପିଢ଼ା, ଜିଭ ଛେଲା ଓ ଅନ୍ୟାନ୍ୟ ବାସନ ଠାକୁରଙ୍କ ଭଣ୍ଡାରରୁ ସୁଆର ବଡୁ ଆଣି ଯୋଗାନ୍ତି । ଖଟୁଳି ସେବକ ଖଟୁଳି ଆଣନ୍ତି ତଥା ଦର୍ପଣିଆ ସେବକ ଦର୍ପଣ ଯୋଗାନ୍ତି । ଅଅଁଳା ଘଟୁଆରି ଅଅଁଳା ଦିଅନ୍ତି । କର୍ପୁର ଭଣ୍ଡାର ମେକାପଙ୍କ ଜିମାରେ ଥାଏ । ଚନ୍ଦନ ମୁଖପଖାଳ ପୁଷ୍ପାଳକ ଯୋଗାନ୍ତି । ଦାନ୍ତକାଠି ମୁଖପଖାଳ ପଢ଼ିଆରୀ ଦିଅନ୍ତି । ଶ୍ରୀମନ୍ଦିର ସ୍ୱତ୍ୱ ଲିପି ଅନୁସାରେ ଏହି ଦାନ୍ତକାଠି କେବଳ ମୁତୁରୀ ଦାନ୍ତକାଠି ହେବା ଉଚିତ୍ ।
ପ୍ରଥମେ ମଇଲମ ନୀତି ଶେଷ ହେବା ପରେ ପାଣି ଆପଟ ଏକ ଗରା ପାଣି ଦିଅନ୍ତି । ସୁଆର ବଡୁ ଉକ୍ତ ପାଣି ଭିତର ପୋଖରୀଆରେ ପକାଇ ଧୁଆ ପହଁରା କରନ୍ତି ଯାହାକୁ ଅବକାଶ ପାଇଁ ପାଣି ପଡ଼ିବା ବୋଲି କୁହାଯାଏ । ତା’ ପରେ ସୁଆର ବଡୁ ତିନି ଠାକୁରଙ୍କ ସାମ୍ନାରେ ସିଂହାସନ ତଳେ ଓ ପୋଖରୀଆର ପ୍ରାୟ ମଧ୍ୟ ଭାଗରେ ତିନି ଗୋଟି କାଠ ପିଢ଼ା ପକାନ୍ତି । ଖଟୁଳି ସେବକ ତିନି ଗୋଟି ଖଟୁଳି ନେଇ ପିଢ଼ା ପାଖରେ ରଖନ୍ତି । ମୁଖପଖାଳ ପଢ଼ିଆରୀ ତିନି ଗୋଟି ବଟା ଓ ତିନି ଗୋଟି ଥାଳି ସଜାଡି ସେଥିରେ ଫୁଲ, ତୁଳସୀ, ଚନ୍ଦନ ଓ ଅଅଁଳା ରଖନ୍ତି । ତତ୍ସହିତ ସେଥିରେ ତିନି ଗୋଟି ମୁତୁରୀ ଦାନ୍ତକାଠି (ଯାହାର ଅଗ୍ର ଭାଗ ଛେଚା ହୋଇ ସେଥିରେ ଦନ୍ତ ମଞ୍ଜନ ରୂପେ କର୍ପୂର ପଡ଼ିଥାଏ) ଓ ତିନି ଗୋଟି ସୁବର୍ଣ୍ଣ ଜିଭ ଛେଲା ମଧ୍ୟ ରଖନ୍ତି । ଗରା ବଡୁ ତିନି ଗୋଟି ରୂପା ଝରି ତିନି ଗୋଟି ପିଢ଼ା ପାଖରେ ରଖନ୍ତି ତଥା ଦର୍ପଣିଆ ତିନି ଗୋଟି ଦର୍ପଣ ରଖନ୍ତି । ପାଣି ଆପଟ ତିନି ଗୋଟି ପିଢ଼ା ପାଖରେ ତିନି ଗରା ପାଣି ଓ ଆଉ ଏକ ୪ର୍ଥ ଗରା ପାଣି ରଖନ୍ତି ଯେଉଁଥିରେ କର୍ପୁର ଗୋଳା ହୁଏ । ମହା ଭୋଇ ଦେଇଥିବା ଦହି ସ୍ନାନ ପାଣିରେ ଗୋଳା ହୁଏ । ଏହା ପରେ ମୁଖ ପଖାଳ ପଢ଼ିଆରୀ ମଇଲମ କରିଥିବା ତିନି ଜଣ ପୁଷ୍ପାଳକଙ୍କୁ ପୂଜାରେ ବସିବାକୁ ଡାକନ୍ତି । ସେମାନେ ଆସି ପୂଜାରେ ବସନ୍ତି ଓ ତିନି ଠାକୁରଙ୍କୁ ଦାନ୍ତ କାଠି ଓ ଜିଭ ଛେଲା ଦୂରରୁ ଦେଖାଇ ଦାନ୍ତ ଘଷିବା ଓ ଜିଭ ଛେଲିବା ଭଙ୍ଗୀ ଦ୍ବାରା ସେମାନଙ୍କ ଦନ୍ତ ମାର୍ଜନ ନୀତି ସମାପନ କରନ୍ତି । ଏହା ପରେ ଠାକୁର ମାନଙ୍କର ସ୍ନାନ ନୀତି ବଢ଼େ ।
ତେବେ ମନରେ ସ୍ଵତଃ ଏକ ପ୍ରଶ୍ନ ଉଠେ ଯେ ଆମେ ପୂର୍ବ କାଳରେ ଦନ୍ତ ମାର୍ଜନ ନିମିତ୍ତ ସାଧାରଣତଃ ନିମ୍ବ, କରଞ୍ଜ, ଖଦିର, ବକୁଳ ଆଦି ଦାନ୍ତ କାଠି ବ୍ୟବହାର କରୁଥିବା ସମୟରେ ମହାପ୍ରଭୁଙ୍କ ଦନ୍ତ ମାର୍ଜନ ପାଇଁ ମୁତୁରୀ ଦାନ୍ତକାଠି କାହିଁକି ବ୍ୟବହୃତ ହୁଏ ଏବଂ ଏହି ମୁତୁରୀ ଦାନ୍ତକାଠିର ବିଶେଷତ୍ଵ କ’ଣ ?
ଏହାର ଉତ୍ତର ଜାଣିବା ଅତି ଦୂରୁହ ବ୍ୟାପାର । ମହାପ୍ରଭୁ ଯେପରି ରହସ୍ୟମୟ ତାଙ୍କର ଲୀଳା ମଧ୍ୟ ଯୁଗେ ଯୁଗେ ସେପରି ରହସ୍ୟମୟ ତଥା ସାଧାରଣ ଜନଙ୍କୁ ଅଗୋଚର । ମୁତୁରୀ ଦାନ୍ତକାଠି ଯେଉଁ ଲତାରୁ ସଂଗ୍ରହ କରାଯାଇଥାଏ ତାହାକୁ ମୁତୁରୀ ଲତା କୁହନ୍ତି ଏବଂ ଏହାର ବୈଜ୍ଞାନିକ ନାମ ହେଉଛି Smilax china । ଏହା ରସରେ ତିକ୍ତ, ବିପାକରେ କଟୁ ତଥା କର୍ମରେ ତ୍ରିଦୋଷ ଶାମକ ହୋଇଥିବାରୁ ଏହା ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଦନ୍ତ ମାର୍ଜନ ନିମିତ୍ତ ଏକ ଉତ୍ତମ ଔଷଧି । ଏହାର ମୂତ୍ରଳ ଗୁଣ ଯୋଗୁଁ ଏହାକୁ ସାଧାରଣ ଭାଷାରେ ମୁତୁରୀ ଲତା ବୋଲି କୁହନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏହି ମୁତୁରୀ ଲତାର ଆୟୁର୍ବେଦୀୟ ନାମ ହେଉଛି ଚୋପଚିନି (ଚିନ ଦେଶର ସ୍ଥାନୀୟ ଔଷଧି ତଥା ଏଠାରେ ବହୁଳ ଭାବରେ ଚାଷ କରାଯାଉଥିବା ହେତୁ) ଏବଂ ଏହା ଅନ୍ୟ ଦେଶରୁ ଭାରତକୁ ଆସିଅଛି ବୋଲି ଲିଖିତ ଅଛି । ମୂଳ ଆୟୁର୍ବେଦ ଗ୍ରନ୍ଥ ଚରକ ସଂହିତା, ସୁଶୃତ ସଂହିତା ଆଦିରେ ଏହାର ବର୍ଣ୍ଣନା ନାହିଁ । ସର୍ବ ପ୍ରଥମେ ଏହାର ବର୍ଣ୍ଣନା ଭାବ ପ୍ରକାଶ ନିଘଣ୍ଟୁ (୧୬ଶ ଶତାବ୍ଦୀରେ ରଚିତ)ରେ ଦେଖିବାକୁ ମିଳିଥାଏ ଯେଉଁଥିରେ ଏହାକୁ ଦ୍ୱୀପାନ୍ତର ବଚା ରୂପେ ଏଥିପାଇଁ ବର୍ଣ୍ଣନା କରାଯାଇଛି ଯେ ଏହା ବଚା ନାମକ ଆୟୁର୍ବେଦ ଔଷଧି ଭଳି ଦେଖା ଯାଉଥିବା ହେତୁ ତଥା ଅନ୍ୟ ଏକ ବିଦେଶୀ ଦ୍ଵୀପରୁ ଭାରତକୁ ଆସିଥିବା ହେତୁ । ବିଶ୍ୱାସ କରାଯାଏ ଯେ ଏହା ଜାଭା, ସୁମାତ୍ରା ଆଦି ଦ୍ୱୀପରୁ ଭାରତକୁ ଆସିଅଛି ।
କୌତୁହଳର ବିଷୟ ଏହିକି ଯେ ଏକଦା ପ୍ରାଚୀନ ଓଡ଼ିଶାର ସାଧବ ପୁଅ ମାନେ ଜାଭା ସୁମାତ୍ରା ଆଦି ଦେଶକୁ ସମୁଦ୍ର ମାର୍ଗରେ ବ୍ୟବସାୟ ନିମନ୍ତେ ଯାଉଥିଲେ ଏବଂ ହୋଇପାରେ ସେମାନଙ୍କ ଦ୍ଵାରା ଏହି ମୁତୁରୀ ଲତା ବା ଦ୍ୱୀପାନ୍ତର ବଚା ସର୍ବ ପ୍ରଥମେ ଓଡ଼ିଶାକୁ ଆସିଅଛି । ତେବେ ପୁଣି ଏକ ପ୍ରଶ୍ନ ମନରେ ଉଠେ ଯେ ତା’ ପୂର୍ବରୁ ମହାପ୍ରଭୁଙ୍କ ଦନ୍ତ ମାର୍ଜନ ନିମିତ୍ତ କେଉଁ ଦାନ୍ତ କାଠିର ବ୍ୟବହାର ହେଉଥିଲା ? ନା ମୁତୁରୀ ଲତା ଆମ ଓଡ଼ିଶାରେ ଉପଲବ୍ଧ ହେଉଥିବା ଏକ ସ୍ଥାନୀୟ ଔଷଧି (ଯେହେତୁ ଏହା ମୟୂରଭଞ୍ଜର ଘନ ଜଙ୍ଗଲରେ ପ୍ରାକୃତ ରୂପେ ଉପଲବ୍ଧ ହୋଇଥାଏ) ଯାହା କେଉଁ ଅନାଦି କାଳରୁ ମହାପ୍ରଭୁଙ୍କ ସେବାରେ ଲାଗିଅଛି ? ଏହାର ଉତ୍ତର ନିଶ୍ଚିତ ଭାବେ ଏକ ରହସ୍ୟ ହୋଇ ରହିବ ମହାପ୍ରଭୁ ଏବଂ ତାଙ୍କର ଅଲୌକିକ ଲୀଳା ପରି …
ଉପସ୍ଥାପନା – ଡ଼ା କୁମାର ଅରୋଜ୍ୟୋତି
[ଚିତ୍ର ସୌଜନ୍ୟ : ପ୍ରାର୍ଥନା ଚ୍ୟାନେଲ]
