‘ବିଜେ କାହାଳୀ’ ର କାହାଣୀ

ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଶରୀରରେ ଅପୂର୍ବ ଶିହିରଣ ଖେଳିଯାଏ ସେତେବେଳେ, ଯେତେବେଳେ କାଳିଆ ସାଆନ୍ତଙ୍କ ବିଜେ କାହାଳୀ ବୀର ଦର୍ପରେ ବାଜିଉଠେ । ବିଜେ କାହାଳୀର ମାଙ୍ଗଳିକ ଧ୍ବନି ମହାପ୍ରଭୁଙ୍କ ଆଗମନର ବା ବିଜେ ହେବାର ସଙ୍କେତ ଦେଇଥାଏ । ମହାପ୍ରଭୁ ସ୍ୱୟଂ ବିଜେ କରିବା ସମୟରେ କିମ୍ବା ତାଙ୍କର ଚଳନ୍ତି ପ୍ରତିମା ବିଜେ କରିବା ସମୟରେ ସାଧାରଣତଃ ଏହି କାହାଳୀ ବାଜିଥାଏ । ଏହାର ଉଦ୍ଦେଶ୍ୟ ସମସ୍ତ ଅପଶକ୍ତି ମାନେ ଦୂରେଇ ଯାଆନ୍ତୁ ଓ ମହାପ୍ରଭୁଙ୍କର ଯାତ୍ରା ଯେପରି ଶୁଭ ହେଉ ।
ଏହି କାହାଳୀ ୩୯ ଇଞ୍ଚ ଲମ୍ବ ବିଶିଷ୍ଟ ହୋଇଥିଲେ ହେଁ ଏହା ୩ ଖଣ୍ଡରେ ବିଭାଜିତ । ବିଜେ କାହାଳୀ ୩ ଖଣ୍ଡ ହେବା ପଛରେ ଦୁଇଟି ଲୋକକଥା ଶୁଣିବାକୁ ମିଳିଥାଏ । ପ୍ରଥମ ଲୋକକଥା ଅନୁସାରେ ଅତୀତରେ ଗଜପତି ମହାରାଜା ଯୁଦ୍ଧ କରିବାକୁ ଯିବା ସମୟରେ ତାଙ୍କ ମା’ଙ୍କ ପାଇଁ କ’ଣ ଆଣିବେ ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ । ଉତ୍ତରରେ ତାଙ୍କ ମା’ କହିଥିଲେ “ମୋ ପାଇଁ ଗଙ୍ଗାଙ୍କୁ ଆଣିବୁ ।” ଗଜପତି ଯୁଦ୍ଧରେ ଜୟ ଲାଭ କରିବା ପରେ ମା’ଙ୍କ ପାଇଁ ଗଙ୍ଗାଙ୍କୁ ନେବା କଥା ମନେ ପଡ଼ିଯିବାରୁ ସେ ତପସ୍ୟାରତ ହେଲେ ଏବଂ ମହାମନ୍ତ୍ରୀଙ୍କୁ କହିଲେ – “ମୋତେ ତପରୁ ଯିଏ ଉଠାଇବ ତାକୁ ମୋ ଖଡ୍ଗରେ ତିନି ଗଡ଼ କରିଦେବି ।”
ଏଣେ ଗଜପତି ତପରେ ବସିଥିବା ବେଳେ ଶତ୍ରୁପକ୍ଷ ପୁନର୍ବାର ଆକ୍ରମଣ କରିବାରୁ ମହାମନ୍ତ୍ରୀ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଲେ । ଯଦିଓ ସୈନ୍ୟସାମନ୍ତ ଯୁଦ୍ଧ କଲେ, କିନ୍ତୁ ପରାସ୍ତ ହେବାର ସମୟ ଉପନୀତ ହେଲା । ତେଣୁ ଗଜପତିଙ୍କୁ ତପରୁ ଉଠାଇବା ପାଇଁ କାହାଳିଆଙ୍କୁ ଡକାଇ କାହାଳୀ ବଜାଗଲା । ଗଜପତିଙ୍କ ତପ ଭଙ୍ଗ ହେବାରୁ ସେ କାହାଳିଆଙ୍କୁ ଖଡ୍ଗରେ ଚୋଟ ପକାଇବାକୁ ଉଦ୍ୟତ ହୁଅନ୍ତେ ଚତୁର ମହାମନ୍ତ୍ରୀ କହିଲେ – “କାହାଳିଆର ଦୋଷ ନୁହେଁ ମହାରାଜ ବରଂ କାହାଳୀ ବାଜିବାରୁ ଆପଣଙ୍କ ତପ ଭଙ୍ଗ ହେଲା ।” ତେଣୁ ଗଜପତି କାହାଳୀକୁ ଖଡ୍ଗରେ ତିନି ଗଡ଼ କରିଦେଲେ ବୋଲି କଥିତ ଅଛି ।
ଦ୍ଵିତୀୟ ଲୋକକଥା ଅନୁସାରେ ୧୩ଶ ଶତାବ୍ଦୀରେ ଉତ୍କଳର ରାଜା ଥିଲେ ରାଜା ଗଙ୍ଗେଶ୍ୱର ଦେବ । ଏକଦା ତାଙ୍କର ଦାକ୍ଷିଣାତ୍ୟ ଯୁଦ୍ଧାଭିଯାନ ସମୟରେ ସେ ଗୋଲକୁଣ୍ଡାର ରାଜାଙ୍କ ଦ୍ବାରା ପରାସ୍ତ ହୋଇ ଯୁଦ୍ଧବନ୍ଦୀ ହୋଇଥିଲେ । ତାଙ୍କ ସହିତ ତାଙ୍କର ସହଚର ବୃନ୍ଦ ମଧ୍ୟ ଯୁଦ୍ଧବନ୍ଦୀ ହୋଇ ରହିଥିଲେ । ସେହି ଯୁଦ୍ଧବନ୍ଦୀ ମାନଙ୍କ ମଧ୍ୟରେ ରାଜାଙ୍କର କାହାଳିଆ ମଧ୍ୟ ଥିଲେ । ଯେତେବେଳେ ରାଜାଙ୍କର କାହାଳିଆ ନିଜ କାହାଳୀ ସହିତ ବନ୍ଦୀଶାଳା ମଧ୍ୟକୁ ପ୍ରବେଶ କରିବାକୁ ଗଲେ ସେତେବେଳେ ଗୋଲକୁଣ୍ଡାର ରାଜା କହିଲେ – “ବର୍ତ୍ତମାନ ଏହି ଅବସ୍ଥାରେ କାହାଳୀର କି ପ୍ରୟୋଜନ ? କାହାଳୀ ବାହାରେ ରଖି ବନ୍ଦୀଶାଳା ମଧ୍ୟକୁ ପ୍ରବେଶ କର ।” ଉତ୍ତରରେ ଉତ୍କଳ ନରେଶ ଗଙ୍ଗେଶ୍ଵର ଦେବ କହିଥିଲେ – “ମୁଁ ମୋର ପ୍ରାଣ ଥିବା ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଶିରୀ କପଡ଼ା ବନ୍ଧା ହୋଇଥିବା ଏହି କାହାଳୀକୁ ମୋ ନିଜ ଠାରୁ କେବେ ହେଲେ ଅଲଗା କରି ପାରିବି ନାହିଁ ।” ଏଥିରେ ଗୋଲକୁଣ୍ଡାର ରାଜା କ୍ରୋଧିତ ହୋଇ କହିଲେ – “ଯଦି ତୁମେ ଯୁଦ୍ଧବନ୍ଦୀ ତେବେ ମୋର ଆଦେଶ ମାନିବାକୁ ବାଧ୍ୟ । ଏହି କାହାଳୀକୁ ତୁରନ୍ତ ତ୍ୟାଗ କରି ଯୁଦ୍ଧବନ୍ଦୀ ଭାବରେ ଅବସ୍ଥାନ କର ।” ତେବେ ଗୋଲକୁଣ୍ଡା ରାଜାଙ୍କର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ରାଜା ଗଙ୍ଗେଶ୍ୱର ଦେବ କାହାଳିଆ ଠାରୁ କାହାଳୀକୁ ଅଲଗା କଲେ ନାହିଁ । ଏଥିରେ ଗୋଲକୁଣ୍ଡାର ରାଜା କ୍ଷୁବ୍ଧ ହୋଇ କାହାଳୀକୁ ତଳେ ପକାଇ ତିନି ଖଣ୍ଡ କରିଦେଲେ ଏବଂ କହିଲେ – “ଯଦି ତୁମର ମହାପ୍ରଭୁ ସତ୍ୟ ଏବଂ ତୁମର ଭକ୍ତି ସତ୍ୟ ତେବେ ତୁମର କାହାଳିଆ ଏହି ଖଣ୍ଡିତ କାହାଳୀକୁ ବଜାଇ ଦେଖାଉ, ତେବେ ମୁଁ ତୁମର ମହାପ୍ରଭୁଙ୍କର ସତ୍ୟତାକୁ ମାନିବି ।”
ଉତ୍ତରରେ ରାଜା ଗଙ୍ଗେଶ୍ୱର ଦେବ କାହାଳିଆକୁ କହିଲେ – “ହେ କାହାଳିଆ ! ଆମ ମହାପ୍ରଭୁ ହେଉଛନ୍ତି ଚିରନ୍ତନ ସତ୍ୟ, ଶାଶ୍ଵତ, ସନାତନ; କୋଟି କୋଟି ଓଡିଆଙ୍କ ମଉଡମଣି, ସମଗ୍ର ବିଶ୍ୱର ଗଣ ଦେବତା, ଆମର ପ୍ରାଣର ଆରାଧ୍ୟ । ତୁମେ ମହାପ୍ରଭୁ ଓ ବଡ଼ ଠାକୁରଙ୍କୁ ସ୍ମରଣ କରି ଏହି ଖଣ୍ଡିତ କାହାଳୀରେ ମହାପ୍ରଭୁଙ୍କର ଶିରୀ କପଡ଼ା ବାନ୍ଧି କାହାଳୀ ବଜାଅ, ଦେଖିବ ନିଶ୍ଚିତ ଭାବରେ ଏହି କାହାଳୀ ବାଜି ଉଠିବ ।” ଏହା ଶୁଣି ଗୋଲକୁଣ୍ଡାର ରାଜା ଅଟ୍ଟହାସ୍ୟ କରିବାକୁ ଲାଗିଲେ ତଥା ତାଙ୍କର ପାର୍ଷଦ ବୃନ୍ଦ ମଧ୍ୟ ସ୍ମିତ ହାସ୍ୟ କଲେ । ସେମାନେ ଭାବିଲେ ଯେଉଁ କାହାଳୀ ତିନି ଖଣ୍ଡ ହୋଇ ଭାଙ୍ଗି ଯାଇଛି ତାହା କଣ ପୁନର୍ବାର ବାଜି ଉଠିବ ?
ତତ୍ପରେ ଉତ୍କଳର ରାଜା ଏବଂ ତାଙ୍କର କାହାଳିଆ ମହାପ୍ରଭୁଙ୍କୁ ସ୍ମରଣ କରି ତାଙ୍କର ମାନ ସେ ସ୍ଵୟଂ ରକ୍ଷା କରନ୍ତୁ ବୋଲି ପ୍ରାର୍ଥନା ଜଣାଇଲେ । ଏହାପରେ କାହାଳିଆ ସେହି ଖଣ୍ଡିତ କାହାଳୀକୁ ମହାପ୍ରଭୁଙ୍କର ଶିରୀ କପଡ଼ା ଦ୍ଵାରା ବାନ୍ଧି ମହାପ୍ରଭୁଙ୍କୁ ସ୍ମରଣ କରି ବଜାଇବାକୁ ଲାଗିଲା । ଆଶ୍ଚର୍ଯ୍ୟର କଥା ଖଣ୍ଡିତ କାହାଳୀଟି ସହସା ବାଜି ଉଠିଲା ଠିକ୍ ସେହିପରି ଶବ୍ଦ କରି ଯେପରି ବିଜେ କାହାଳୀ, ବୀର କାହାଳୀ, ଶୁଭ କାହାଳୀ ବାଜି ଥାଏ । ଏଥିରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟଚକିତ ହେଲେ, ଗୋଲକୁଣ୍ଡାର ରାଜା ଲଜ୍ଜିତ ହେଲେ ଏବଂ ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ । କହିଲେ – “ହେ ଉତ୍କଳ ନରେଶ ଗଙ୍ଗେଶ୍ୱର ଦେବ ! ଆପଣ ସତ୍ୟ ବଚନ କହୁଥିଲେ । ମହାପ୍ରଭୁ ଯେଉଁଠି ଥାଆନ୍ତୁ ନା କାହିଁକି ତାଙ୍କର, ତାଙ୍କ ଭକ୍ତଙ୍କର ମାନ ରକ୍ଷା କରିବା ପାଇଁ ସେ ସଦା ତତ୍ପର ।” ଏହାପରେ ସେ ଉତ୍କଳ ନରେଶଙ୍କୁ କ୍ଷମା ପ୍ରାର୍ଥନା କରି ତାଙ୍କୁ ମୁକ୍ତ କଲେ ।
ଏହି ଘଟଣାର ସ୍ମୃତିରେ ବିଜେ କାହାଳୀ ସର୍ବଦା ତିନି ଖଣ୍ଡରେ ବିଭକ୍ତ ହୋଇଥାଏ ଓ ସେଥିରେ ମହାପ୍ରଭୁଙ୍କର ପତନି ବନ୍ଧା ଯାଇଥାଏ । ଏହି ତିନି ଖଣ୍ଡ ବିଶିଷ୍ଟ କାହାଳୀକୁ ପରସ୍ପର ସହ ଯୋଡ଼ି, ସଂଯୋଗ ସ୍ଥାନକୁ ପତନିରେ ଗୁଡ଼ାଇ ବାନ୍ଧିବା ପରେ ଏହାକୁ ବଜାଇବାର ବିଧି ରହିଛି । ପରେ ନୀତି ସରିଲେ ପୁନଃ ତିନି ଖଣ୍ଡ କରି ଦିଆଯାଏ ।
ମହାପ୍ରଭୁଙ୍କର ଏହି ବିଜେ କାହାଳୀକୁ ବଜାଇବା ପାଇଁ ଏକ ବିଶେଷ ଧରଣର ସେବକ ରହିଛନ୍ତି ଯାହାଙ୍କୁ କାହାଳିଆ ସେବକ କୁହାଯାଏ । ବର୍ଷକ ୩୬୫ ଦିନ ମଧ୍ୟରୁ ଅଣସର ସମୟକୁ ବାଦ ଦେଲେ ୩୫୦ ଦିନ ଏହି କାହାଳିଆ ସେବକ ନିୟୋଜିତ ହୁଅନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜେ କାହାଳୀ ରୂପାରେ ନିର୍ମିତ ହୋଇଥାଏ । ୪୦୦ ଗ୍ରାମ୍ ଲେଖାଏଁ ଓଜନ ବିଶିଷ୍ଟ ୩ଟି କାହାଳୀ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ମହଜୁଦ ରହିଥାଏ । ଗୋଟିଏ କାହାଳୀଆ ସେବକଙ୍କ ପାଖରେ ଥିବା ବେଳେ ଆଉ ଗୋଟିଏ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଓ ଅନ୍ୟଟି କମାଣ୍ଡରଙ୍କ ଦାୟିତ୍ବରେ ରହିଥାଏ ।
ଶ୍ରୀମନ୍ଦିରର ଦୈନନ୍ଦିନ ନୀତିରେ ରାତିରେ ମହାପ୍ରଭୁ ପହୁଡ଼ ଯିବା ବେଳେ ତଥା କର୍ପୂର ଆଳତି ଓ ପିଠଉ ଆଳତି ହେଲେ ୪ ଥର କାହାଳୀ ବାଜୁଥିବା ବେଳେ ପ୍ରତ୍ୟେକ ଯାନିଯାତ୍ରାରେ ବାହାର ବିଜେ ସମୟରେ କାହାଳୀ ବାଜିବାର ପରମ୍ପରା ରହିଛି । ବର୍ଷ ସାରା ଯେତେ ଘଣ୍ଟା, ଛତା, କାହାଳୀ ସହିତ ଭୋଗ ଆସେ ସେହି ସେହି ସମୟରେ କାହାଳୀ ବାଜିଥାଏ । ସ୍ନାନ ଯାତ୍ରା ଓ ଝୁଲଣ ସମୟରେ ପ୍ରତ୍ୟହ ଭିତର ଓ ବାହାର ବିଜେ ସମୟରେ କାହାଳୀ ବାଜେ । ଚାରି ଦିନ ଠାକୁରଙ୍କ ବେଣ୍ଟରେ, ପ୍ରତ୍ୟେକ ମଙ୍ଗଳାର୍ପଣ, ବେଢ଼ା, ଜନ୍ମ, ବନ୍ଦାପନା, ଛେକ ଓ ଜଳ ଛେକରେ କାହାଳୀ ବାଜେ । ଆଶ୍ୱିନ ମାସ ଷୋଳପୂଜା ସମୟରେ ଷୋଳ ଦିନ ମା ବିମଳାଙ୍କ ମନ୍ଦିରରେ ସକାଳ ଧୂପ ଓ ସନ୍ଧ୍ୟା ଧୂପ ଆଳତିରେ ତଥା ପାର୍ଶ୍ଵ ଦେବାଦେବୀଙ୍କର ଉତ୍ସବରେ ଯଥା ଗଣେଶ, ସରସ୍ଵତୀ ଓ ସୂର୍ଯ୍ୟ ମନ୍ଦିରର ଉତ୍ସବ ତଥା ଶ୍ରୀମନ୍ଦିରର ବିବିଧ ପର୍ବପର୍ବାଣୀରେ ମଧ୍ୟ କାହାଳୀ ବାଜେ । ଏତଦବ୍ୟତୀତ ମକର ଓ ସାତପୁରୀ ତାଡ଼ ଆଣିବା ସମୟରେ, ଶୋଲ ଚିତା ଆଣିବା ସମୟରେ, ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠରୁ ହାତୀ ବେଶ ଆସିବା ସମୟରେ, ଅଣସର ପଟି ଆଣିବା ସମୟରେ, ଖଡ଼ି ଓ ଖଳି ଆଣିବା ବେଳେ, ରାଜ ପ୍ରସାଦ ଓ ଖଡ଼ି ପ୍ରସାଦ ବିଜେ ସମୟରେ, ଗୁରୁବାର ବନ୍ଦାପନା ଓ ଏକାନ୍ତରେ, ପ୍ରତ୍ୟକ ଆଜ୍ଞା ମାଳ ଦେବା ସମୟରେ ତଥା ନବକଳେବରରେ ଦାରୁ ଆସିବା ବେଳେ ଅଲାମ ଚଣ୍ଡୀଙ୍କ ଠାରୁ କାହାଳୀ ବାଜି ଥାଏ ।
ତେବେ ରଥ ନିର୍ମାଣର ଅନୁକୂଳରେ, ପ୍ରାରମ୍ଭରେ ଓ ରଥ ଗଡ଼ିବା ଆରମ୍ଭ ହେଲେ କାହାଳୀ ବାଜିବାର ଉନ୍ମାଦନା ସ୍ଵତନ୍ତ୍ର । ରଥଯାତ୍ରାର ବିଭିନ୍ନ ପର୍ଯ୍ୟାୟରେ ଯେପରିକି ଅକ୍ଷୟ ତୃତୀୟାରେ ତିନି ରଥର କାଠ ଅନୁକୂଳ ହେବା ସମୟରେ, ଚକଡେରା ନୀତି ଦିନ କାହାଳୀ ବାଜେ । ରଥ ପ୍ରତିଷ୍ଠା ପାଇଁ ସଂସ୍କାର ବେଳେ ତିନି ରଥରେ ଗୋଟିଏ ଲେଖାଏଁ ବିଜେ କାହାଳୀ ବାଜେ । ରଥଯାତ୍ରା ଦିନ ଶ୍ରୀଜିଉଙ୍କ ପହଣ୍ଡି ପୂର୍ବରୁ ଅଣସର ପିଣ୍ଡିରେ ମଙ୍ଗଳାର୍ପଣ ବେଳେ ଯେତେ ସଂସ୍କାର ହୁଏ ସେଠାରେ ୧୫ ରୁ ୨୦ ଥର କାହାଳୀ ବାଜେ । ପରେ ଶ୍ରୀଜିଉଙ୍କ ପହଣ୍ଡି ପାଇଁ ଡୋରି ଲାଗିବା ପରେ ବିଜେ କାହାଳୀ ବାଜିବା ପରେ ରଥ ଘଣ୍ଟୁଆ ଘଣ୍ଟ ବଜାଇ ପହଣ୍ଡି ଆରମ୍ଭ କରନ୍ତି । ଗଜପତି ମହାରାଜାଙ୍କର ସ୍ବତନ୍ତ୍ର କାହାଳିଆ ଥିଲେ ହେଁ ସେ କେବଳ ନଅର ମଧ୍ୟରେ କାହାଳୀ ବଜାଇ ଗଜପତିଙ୍କୁ ରଥ ପାଖରେ ଆଣି ପହଞ୍ଚାନ୍ତି । ଗଜପତି ରଥ ଉପରକୁ ଉଠିବା ବେଳେ କାହାଳିଆ ବିଜେ କାହାଳୀ ବଜାଇ ଥାଆନ୍ତି । ଛେରା ପହଁରା ସାରି ଗଜପତି ରାଜ ନଅରକୁ ଫେରିବା ବେଳକୁ ପୁନଶ୍ଚ କାହାଳୀ ବାଜେ । ରଥ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କର ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ ଦିନ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ ପୁଷ୍ପାଞ୍ଜଳି ଦେବା ସମୟରେ କାହାଳୀ ବାଜେ । ତେବେ ଏହି ସମୟରେ କେବଳ ଦେବୀ ସୁଭଦ୍ରାଙ୍କ ରଥରେ କାହାଳୀ ବାଜିବାର ପରମ୍ପରା ରହିଛି । ବାହୁଡ଼ା ଯାତ୍ରା ପରେ ନୀଳାଦ୍ରି ବିଜେରେ ମଧ୍ୟ ବିଜେ କାହାଳୀ ବାଜି ନୀତି ସମ୍ପାଦିତ ହୁଏ ।
ଶ୍ରୀମନ୍ଦିରର କାହାଳିଆ ସେବକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମହାନ୍ତିଙ୍କ ବକ୍ତବ୍ୟ ଅନୁଯାୟୀ କାହାଳୀ ସେବାରେ କାହାଳୀକୁ ଥରକରେ ତିନି ଥାକିଆ ହୋଇ ପ୍ରାୟ ୧ ମିନିଟ୍ ପର୍ଯ୍ୟନ୍ତ ବଜାଇ ହୁଏ । ତେବେ ଜ୍ବର, ଥଣ୍ଡା କିମ୍ବା କାଶ ହେଲେ କାହାଳୀ ବଜାଇବା ସମ୍ଭବପର ହୁଏ ନାହିଁ । ଏତଦବ୍ୟତୀତ ବୟସର ଅପରାହ୍ନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନ୍ୟ ସବୁ ସେବା ସମ୍ପାଦନ କରି ହେଉଥିଲେ ମଧ୍ୟ ଥରେ ଦାନ୍ତ ପଡ଼ିଗଲେ କାହାଳୀ ସେବା କରିବା ଆଉ ସମ୍ଭବପର ହୁଏନାହିଁ । କାହାଳିଆଙ୍କୁ ଏହି ସେବା ବାବଦରେ ପ୍ରତି ମାସରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱଳ୍ପ କିଛି ପାଉଣା ମିଳେ । ତେବେ ସେବକ ଶ୍ରୀଯୁକ୍ତ ମହାନ୍ତିଙ୍କ ବକ୍ତବ୍ୟ ଅନୁଯାୟୀ ଟଙ୍କା ନୁହେଁ, ବରଂ ସେବା କରିବାର ସୁଯୋଗ ହିଁ କାହାଳିଆ ସେବକଙ୍କ ପାଇଁ ସବୁଠାରୁ ବଡ଼ ପାଉଣା ।
ଜୟ ଜଗନ୍ନାଥ !
[ଉପସ୍ଥାପନା – ଡାକ୍ତର କୁମାର ଅରୋଜ୍ୟୋତି]
ସହାୟକ ଉତ୍ସ :
* ଦୈନିକ ସମ୍ବାଦ
* ଶ୍ରୀମତୀ ସ୍ୱାଗତିକା ପାଣି (ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷିକା) ଙ୍କ ୟୁଟ୍ୟୁବ୍ ଚାନେଲ୍
[ଚିତ୍ର ସୌଜନ୍ୟ : ଓଟିଭି]
