ଶ୍ରୀମହାପ୍ରସାଦ ସେବନ ବିଧି

ପରମ୍ପରା ତଥା ସାଂସ୍କୃତିକ ପ୍ରଥା ଅନୁସାରେ ହିନ୍ଦୁ ଧର୍ମର ଅନ୍ୟାନ୍ୟ ଦେବାଦେବୀଙ୍କୁ ସମର୍ପିତ ଭୋଗକୁ ‘ପ୍ରସାଦ’ କୁହାଯାଉଥିବା ବେଳେ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଭୋଗକୁ ହିଁ କେବଳ ‘ମହାପ୍ରସାଦ’ ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ଶ୍ରୀମହାପ୍ରସାଦକୁ ସ୍ୱୟଂ ମହାଲକ୍ଷ୍ମୀ, ଶ୍ରୀଜଗନ୍ନାଥଙ୍କ ନିମିତ୍ତ ପାକ କରିଥାନ୍ତି ଯାହାକି ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲଭ ତଥା ଭାଗ୍ୟରେ ଥିଲେ ସେବନ କରିବାର ସୌଭାଗ୍ୟ ମିଳିଥାଏ। ତେବେ ଏହି ଶ୍ରୀମହାପ୍ରସାଦକୁ ସେବନ କରିବାର ସ୍ୱତନ୍ତ୍ର ବିଧି ରହିଛି ଯାହାକି ନିମ୍ନରେ ପ୍ରଦାନ କରାଯାଇଛି।

ଶ୍ରୀମହାପ୍ରସାଦକୁ ସର୍ବଦା ଭୂମିରେ ବିନା ଆସନରେ ବସି ସେବନ କରିବା ବିଧେୟ। କଦଳୀ ପତ୍ରରେ ଶ୍ରୀମହାପ୍ରସାଦ ବଢା ଯାଉଥିବା ସମୟରେ କଦଳୀ ପତ୍ରର ସରୁ ଭାଗ ବାମକୁ ତଥା ଏହାର ଓସାରିଆ ଭାଗ ଦକ୍ଷିଣକୁ ମୁଖ କରିବା ଆବଶ୍ୟକ। କାରଣ ଏହାଦ୍ବାରା କଦଳୀ ପତ୍ରର ଦକ୍ଷିଣ ଭାଗରେ ଅଧିକ ପରିମାଣର ଶ୍ରୀମହାପ୍ରସାଦ ବଢାଯାଇପାରିବ ଯାହାକି ଏକ ବ୍ୟକ୍ତି ପକ୍ଷେ ଦକ୍ଷିଣ ହାତର ବ୍ୟବହାର କରି ସେବନ କରିବା ପାଇଁ ସୁବିଧା ଜନକ ହେବ। ଏହାର ବିପରୀତ କ୍ରମେ ଯଦି ପତ୍ରର ବାମ ପଟେ ଅଧିକ ଶ୍ରୀମହାପ୍ରସାଦ ବଢାଯିବ ତେବେ ଏକ ଦକ୍ଷିଣହସ୍ତି ବ୍ୟକ୍ତି ପକ୍ଷେ ଏହା ସେବନ କରିବା କଷ୍ଟକର ବ୍ୟାପାର ହୋଇଯିବ। ତେଣୁ ଏହି ବିଧିରେ ଶ୍ରୀମହାପ୍ରସାଦ ବାଢ଼ିବାର ନିୟମ ରହିଛି।

କଦଳୀ ପତ୍ରରେ ଶ୍ରୀମହାପ୍ରସାଦ ବଢା ଯିବା ସମୟରେ ଲେମ୍ବୁ, ଲୁଣ ଓ ଲଙ୍କାକୁ ସର୍ବଦା ସେବନ କରିବାକୁ ବସିଥିବା ବ୍ୟକ୍ତିଙ୍କର ଦକ୍ଷିଣ ଦିଗରେ ପତ୍ରର ଉପରି ଭାଗରେ ବାଢିବା ଉଚିତ। ଅନ୍ନ ମହାପ୍ରସାଦ ସର୍ବଦା ସେବନକାରୀ ବ୍ୟକ୍ତିଙ୍କର ନିକଟ ଆଡ଼କୁ ପାଖାପାଖି ପତ୍ରର ମଝିରେ ତଥା ତାହା ନିକଟରେ ଡାଲି ତଥା ଡାଲମା ବାଢିବା ଆବଶ୍ୟକ। ତତ୍ପରେ ଏହାର ଚତୁର୍ପାର୍ଶ୍ୱରେ ଅନ୍ୟ ଶ୍ରୀମହାପ୍ରସାଦ ମାନ ବାଢିବା ଉଚିତ। ସମସ୍ତ ଶ୍ରୀମହାପ୍ରସାଦ ବଢା ହୋଇସାରିବା ପରେ ଏହାକୁ ସେବନ କରିବା ପୂର୍ବରୁ ନିମ୍ନୋକ୍ତ ଶ୍ଲୋକଟିକୁ ପାଠ କରିବା ଆବଶ୍ୟକ।

“ନୀଳାଚଳ-ନୀବାସାୟ ନିତ୍ୟାୟ ପରମାତ୍ମନେ।
ବଳଭଦ୍ର-ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ ।।”

ଅର୍ଥ – “ହେ ଶ୍ରୀମହାପ୍ରସାଦ! ନୀଳାଚଳ ନିଵାସୀ, ନିତ୍ୟ, ପରମାତ୍ମା, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ସଂଯୁକ୍ତ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରି ଆପଣଙ୍କ ସେବନ କରୁଅଛି।”

ଏହାପରେ ଶ୍ରୀମହାପ୍ରସାଦ ସେବନ ଆରମ୍ଭ କରିବା ଆବଶ୍ୟକ। ଏହି ଶ୍ରୀମହାପ୍ରସାଦକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ର ସେବନ କରିବା ବିଧେୟ। ଏହି ଶ୍ରୀମହାପ୍ରସାଦର ବିଶେଷତ୍ଵ ଏହିକି ଯେ ଏହା କେବେହେଲେ ଅଇଁଠା ହୁଏନାହିଁ ତଥା ଏହାକୁ ଏକାଧିକ ବ୍ୟକ୍ତି ଗୋଟିଏ ପାତ୍ରରେ ମଧ୍ୟ ଏକତ୍ର ସେବନ କରିପାରିବେ। ଶ୍ରୀମହାପ୍ରସାଦର ସେବନ ସମାପ୍ତି ପରେ ନିମ୍ନୋକ୍ତ ଶ୍ଲୋକଟିକୁ ପାଠ କରିବା ଉଚିତ।

“ୟଦନ୍ନଂ ପାଚୟେତ୍ ଲକ୍ଷ୍ମୀର୍ଭୁଙକ୍ତେ ଶ୍ରୀପୁରୁଷୋତ୍ତମଃ।
ତଦନ୍ନଂ ମୋକ୍ଷଦଂ ଦିବ୍ୟଂ ଭକ୍ଷଣାତ୍ ପାପନାଶନମ୍ ।।”

ଅର୍ଥ – “ହେ ଶ୍ରୀମହାପ୍ରସାଦ! ମାତା ମହାଲକ୍ଷ୍ମୀ ଆପଣଙ୍କୁ ପାକ କରନ୍ତି ଓ ଶ୍ରୀଜଗନ୍ନାଥ ଆପଣଙ୍କୁ ଭୋଜନ କରନ୍ତି। ତାଙ୍କର ଭୋଜନର ଅବଶିଷ୍ଟାଂଶ ଆପଣ ଅଟନ୍ତି। ଆପଣ ମୋକ୍ଷଦାୟୀ ତଥା ଆପଣଙ୍କ ସେବନ ଦ୍ୱାରା ପାପ ନାଶ ହୋଇଥାଏ।”

ଏହାପରେ ମୁଖ ଧୌତ ସମୟରେ କେବେହେଲେ କୁଳୁକୁଜା କରି ଜଳକୁ ମୁଖରୁ ବାହାରକୁ ଫିଙ୍ଗିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ପାପ ଲାଗିଥାଏ। ତେଣୁ କେବଳମାତ୍ର ଜଳପାନ କରି ମୁଖକୁ ପୋଛିଦେବା ଉଚିତ। ଏବଂ ଯଦି ପାରୁଛନ୍ତି ହାତକୁ ବେସିନ ବା କଳରେ ନ ଧୋଇ କୌଣସି ଗଛମୂଳରେ ଧୋଇଦିଅନ୍ତୁ ତଥା ପତ୍ର ଗୁଡିକୁ ମଧ୍ୟ ଏଠିସେଠି ନ ପକାଇ କୌଣସି ଗଛମୂଳରେ ପକାଇ ଦିଅନ୍ତୁ।

ଏହିପରି ବିଧିରେ ଦେବତାଙ୍କ ପାଇଁ ଦୁର୍ଲ୍ଲଭ ଶ୍ରୀମହାପ୍ରସାଦ ସେବନ କରିବା ଦ୍ୱାରା ଆମର ପାପ ନାଶ ହୋଇଥାଏ ତଥା ଅଶେଷ ପୁଣ୍ୟ ଅର୍ଜିତ ହୋଇଥାଏ।

ଜୟ ଜଗନ୍ନାଥ!

Sidebar