ଗରୁଡ଼ ଉଦ୍ଗାର ମଣି ଓ ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ ମହାପ୍ରଭୁ ଯେତିକି ରହସ୍ୟମୟ ସେତିକି ରହସ୍ୟମୟ ତାଙ୍କର ଇତିହାସ ଓ ସଂସ୍କୃତି । ଏଥିରୁ ତାଙ୍କର ଦୁର୍ମୂଲ୍ୟ ରତ୍ନ ଭଣ୍ଡାର ବା ବାଦ୍ ଯାଆନ୍ତା କିପରି ? ଶ୍ରୀମନ୍ଦିରର ବେହରଣ ଦ୍ଵାର ନିକଟରେ ପ୍ଲଟ ନମ୍ବର-୫ ଓ ପ୍ଲଟ ନମ୍ବର-୬ ଉପରେ ଏହି ରତ୍ନ ଭଣ୍ଡାର ଅବସ୍ଥିତ ଯେଉଁଠାରେ କି ମହାପ୍ରଭୁଙ୍କର ସ୍ଵର୍ଣ୍ଣ ରତ୍ନାଦି ମୂଲ୍ୟବାନ ଅଳଙ୍କାର ସବୁ ଗଚ୍ଛିତ । ଏହା ଦୁଇ ଭାଗରେ ବିଭକ୍ତ, ଯଥା –

୧) ଭିତର ଭଣ୍ଡାର ୨) ବାହାର ଭଣ୍ଡାର

ବାହାର ଭଣ୍ଡାରରେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତି, ବିଭିନ୍ନ ପର୍ବପର୍ବାଣି ଓ ବେଶ ନିମିତ୍ତ ଲାଗୁଥିବା ଅଳଙ୍କାର ଓ ଉପଚାର ଦ୍ରବ୍ୟାଦି ରହୁଥିବା ସମୟରେ ଭିତର ଭଣ୍ଡାରରେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତି ଓ ବେଶ ଲାଗି ଆବଶ୍ୟକ ପଡୁନଥିବା ତଥା ବିବିଧ ରାଜା, ମହାରାଜା, ଗଜପତି ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦ୍ଵାରା ମହାପ୍ରଭୁଙ୍କୁ ଅର୍ପିତ ଅତି ମୂଲ୍ୟବାନ ସ୍ୱର୍ଣ୍ଣ ରତ୍ନାଦି ଅଳଙ୍କାର ସବୁ ଗଚ୍ଛିତ ରହିଥାଏ । ମହାପ୍ରଭୁଙ୍କୁ ବର୍ଷ ତମାମ ଯେଉଁସବୁ ଅଳଙ୍କାର ଲାଗି ହୁଏ ସେ ସମ୍ୱନ୍ଧରେ ଆମେ ଉତ୍ତମ ରୂପେ ଅବଗତ ଥିବା ସମୟରେ ଭିତର ଭଣ୍ଡାରରେ ଗଚ୍ଛିତ ଥିବା ସ୍ଵର୍ଣ୍ଣ ରତ୍ନାଦି ଅଳଙ୍କାର ଆମ ପାଇଁ ଅଜଣା ଓ ରହସ୍ୟମୟ । କୁହାଯାଏ ଯେ ଏହି ବାହାର ଓ ଭିତର ଭଣ୍ଡାରରେ ଅନୁପମ ରତ୍ନ ଅଳଙ୍କାରାଦି ଗଚ୍ଛିତ ରହିଛି ଯାହାର ମୂଲ୍ୟ ଆକଳନ କରିବା ସର୍ବଶ୍ରେଷ୍ଠ ଜହୁରୀଙ୍କ ପକ୍ଷେ ମଧ୍ୟ ସମ୍ଭବପର ନୁହେଁ । ଏହିପରି ଏକ ଅନୁପମ ତଥା ରହସ୍ୟମୟ ରତ୍ନ ହେଉଛି ଗରୁଡ଼ ଉଦ୍ଗାର ମଣି ଯାହାକି ଉଭୟ ବାହାର ଓ ଭିତର ଭଣ୍ଡାରରେ ଗଚ୍ଛିତ । ଆସନ୍ତୁ ଏ ସମ୍ପର୍କରେ ଜାଣିବା ।

କିମ୍ବଦନ୍ତୀ ଅନୁସାରେ ଗରୁଡ଼ ପକ୍ଷୀ ସୁମେରୁ ପର୍ବତରୁ ଏକ ବିଶେଷ ମଣି ଯାହାର ସେପରି କୌଣସି ଉଜ୍ଜଳତା ନଥାଏ ତାହାକୁ ଆଣି ଉଦରସ୍ଥ କରି ପୁନଃ ଉଦ୍ଗାର (ବାନ୍ତି) କରିବା ଦ୍ୱାରା ରାସାୟନିକ ପ୍ରତିକ୍ରିୟା କାରଣରୁ ସେହି ମଣିର ଉଜ୍ଜଳତାରେ ଅସାଧାରଣ ବୃଦ୍ଧି ଘଟିଥାଏ । ଏହି ମୂଲ୍ୟବାନ ତଥା ଅନୁପମ ମଣିକୁ ଗରୁଡ଼ ଉଦ୍ଗାର ମଣି କୁହାଯାଏ । ସାଧାରଣତଃ ଏହି ମଣି ତିବ୍ବତ ଦେଶରେ ଦେଖିବାକୁ ମିଳିଥାଏ । ତେବେ ବୈଜ୍ଞାନିକ ମତରେ ଏହି ମୂଲ୍ୟବାନ ମଣି Jasper ନାମରେ ଖ୍ୟାତ ଯାହାକି Chalcedony ନାମକ ଖଣିଜ ପଥରର ଏକ ପ୍ରଜାତି । ଏହାର ବିଶେଷ ଉଜ୍ଜଳତା ଏଥିରେ ଥିବା Hematite, Iron Hydroxides ଏବଂ ଅନ୍ୟ ଖଣିଜ ପଦାର୍ଥ କାରଣରୁ ହୋଇଥାଏ । କାରଣ ଯାହାବି ହେଉ ଏହି ଅନୁପମ ମଣି ଶ୍ରୀମନ୍ଦିରର ଉଭୟ ବାହାର ଓ ଭିତର ଭଣ୍ଡାରରେ ମହାପ୍ରଭୁଙ୍କର ବିଶେଷ ଅବସର ପାଇଁ ଉଦ୍ଦିଷ୍ଟ ବେଶରେ ଲାଗି ନିମିତ୍ତ ଉପଲବ୍ଧ ।

ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିରେ ପ୍ରଦତ୍ତ ୧୯୫୬ ମସିହାର ରତ୍ନ ଭଣ୍ଡାର ତାଲିକା ଅନୁଯାୟୀ ବାହାର ଭଣ୍ଡାରରେ ଏହି ଗରୁଡ଼ ଉଦ୍ଗାର ମଣି କ୍ରମିକ ନମ୍ବର ୭ ରେ ଥିବା ସ୍ବର୍ଣ୍ଣ କୁରୁଜାତକ ମାଳିରେ (୧୫ ଗୋଟି ସଂଖ୍ୟାରେ), କ୍ରମିକ ନମ୍ବର ୨୪ ରେ ଥିବା ରତ୍ନଜଡ଼ିତ ପଦକ ସହ ମୁକ୍ତା ମାଳିରେ (୧୦ ଗୋଟି ସଂଖ୍ୟାରେ), ଭିତର ଭଣ୍ଡାରରେ କ୍ରମିକ ନମ୍ବର ୨୪ ରେ ଥିବା ନବରତ୍ନ ଚାପସରି ରେ (୧୦ ଗୋଟି ସଂଖ୍ୟାରେ), କ୍ରମିକ ନମ୍ବର ୫୫ ରେ ଥିବା ରତ୍ନଜଡ଼ିତ ପଦକରେ (୫ ଗୋଟି ସଂଖ୍ୟାରେ), କ୍ରମିକ ନମ୍ବର ୧୪୬ ରେ ଥିବା ରତ୍ନଜଡ଼ିତ ସୁନା ଚାପସରି ମାଳିରେ (୩୬୫ ଗୋଟି ସଂଖ୍ୟାରେ) ତଥା କ୍ରମିକ ନମ୍ବର ୧୫୪ ରେ ଥିବା ରତ୍ନଜଡ଼ିତ ରାମାନନ୍ଦିଆ ଚିତାରେ ୨ ଗୋଟି ସଂଖ୍ୟାରେ (ଏଥି ସହିତ ଗରୁଡ଼ ଉଦ୍ଗାର କଣି ମଧ୍ୟ ୮ ଗୋଟି ସଂଖ୍ୟାରେ) ସ୍ଥିତ ।

ଏତଦବ୍ୟତୀତ ୧୯୭୮ ମସିହାର ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ତାଲିକାରେ ମଧ୍ୟ ଏହି ଗରୁଡ଼ ଉଦ୍ଗାର ମଣି ର ବର୍ଣ୍ଣନା ଦେଖିବାକୁ ମିଳିଥାଏ ।

ତେବେ ଶ୍ରୀଜଗନ୍ନାଥଙ୍କର ଏକ ସାଧାରଣ ଭକ୍ତ ଭାବେ ଆମେ ଆଶା ପ୍ରକଟ କରିବା ଯେ ଉଭୟ ବାହାର ଓ ଭିତର ଭଣ୍ଡାରରେ ବହୁ ସଂଖ୍ୟାରେ ଗଚ୍ଛିତ ଏହି ଅସାଧାରଣ ମଣି ମହାପ୍ରଭୁଙ୍କ ବେଶରେ ନିୟମିତ ଭାବେ ନିୟୋଜିତ ହେଉ ଓ ମହାପ୍ରଭୁଙ୍କୁ ଏହି ଅନୁପମ ମଣି ଅର୍ପଣ କରିଥିବା ବ୍ୟକ୍ତିବିଶେଷଙ୍କ ମୂଳ ଉଦ୍ଦେଶ୍ୟ ଚରିତାର୍ଥ ହେଉ ।

ଜୟ ଜଗନ୍ନାଥ !

ସହାୟକ ଉତ୍ସ :
– ଶ୍ରୀମନ୍ଦିର ରତ୍ନ ଭଣ୍ଡାର (ପ୍ରଫେସର ସୁରେନ୍ଦ୍ର ନାଥ ଦାଶ)

© ଡ଼ାକ୍ତର କୁମାର ଅରୋଜ୍ୟୋତି

Sidebar