ମା ବିମଳାଙ୍କ ରଥଯାତ୍ରା ବା ଶାକ୍ତ ଗୁଣ୍ଡିଚା

ପ୍ରାଚୀନ ଓଡ଼ିଶାରେ, ବିଶେଷ କରି ଶ୍ରୀଜଗନ୍ନାଥ ସଂସ୍କୃତିରେ ବିବିଧ ଉପାସନା ପଦ୍ଧତିର ସମନ୍ୱୟ ଘଟିଥିଲା ଜନ୍ମଧ୍ୟରୁ ଅନ୍ୟତମ ହେଉଛି ‘ଦୁର୍ଗାମାଧବ’ ଉପାସନା । ତେଣୁ ଶ୍ରୀଜଗନ୍ନାଥ ଓ ମା ବିମଳା ଉଭୟଙ୍କୁ ଶରତ କାଳରେ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଠାରୁ ଆଶ୍ଵିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ (୧ ଦିନ ଦେବୀଙ୍କ ବିଶ୍ରାମ ବ୍ୟତୀତ) ଷୋଳଦିନ ପୂଜାରେ ଏକତ୍ର ‘ଦୁର୍ଗାମାଧଵ’ ରୂପେ ପୂଜା କରାଯାଇଥାଏ ।

ଶ୍ରୀମନ୍ଦିରର ନୈଋତ କୋଣରେ ମା ବିମଳାଙ୍କ ମନ୍ଦିର ଅବସ୍ଥିତ । ଏହା ଭାରତର ଏକ ପ୍ରମୁଖ ଶକ୍ତିପୀଠ । ଷୋଳପୂଜା ଅବସରରେ ମା ବିମଳାଙ୍କ ବିଜେ ପ୍ରତିମା ମା ଦୁର୍ଗାଙ୍କୁ ସହସ୍ର କୁମ୍ଭାଭିଷେକ ଆଦି ନୀତିର ସମାପ୍ତି ପଶ୍ଚାତ୍ ଭଣ୍ଡାର ଘର ଦ୍ୱାରରେ ବିଜେ କରାଯାଇଥାଏ । ଏଥିସହିତ ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇ ରତ୍ନସିଂହାସନରୁ ଶ୍ରୀମାଧବଙ୍କୁ ଆଣି ଭଣ୍ଡାର ଘର ଦ୍ୱାରରେ ବିଜେ କରାଯାଇଥାଏ । ଏହାପରେ ଭଦ୍ରାସନରେ ଶ୍ରୀମାଧଵ, ମା ଦୁର୍ଗାଙ୍କ ସହିତ ଏକତ୍ର ଷୋଳ ଦିନ ପର୍ଯ୍ୟନ୍ତ ରୁନ୍ଧା ହୁଅନ୍ତି (ଏହି ରୁନ୍ଧା ଦଶହରା ପଦାରୁ ଫେରିଲେ ଫିଟାଯାଏ)। ଏହାପରେ ଶ୍ରୀଦୁର୍ଗାମାଧଵଙ୍କୁ ଜୟବିଜୟ ଦ୍ୱାର ଦେଇ ଝୁଲଣ ମଣ୍ଡପ ଠାରେ ଥିବା ପାଲିଙ୍କିରେ ବିଜେ କରାଯାଇଥାଏ । ତତ୍ପଶ୍ଚାତ୍ ସେମାନଙ୍କୁ ଷୋଡ଼ଶ ଉପଚାରାଦିରେ ପୂଜା କରାଯାଇଥାଏ । ଏହାପରେ ସେମାନଙ୍କୁ ମା ବିମଳାଙ୍କ ମନ୍ଦିରକୁ ବିଜେ କରାଯାଇଥାଏ ଯେଉଁଠାରେ କି ସେମାନେ ଜଗମୋହନରେ ପଲଙ୍କରେ ଉପବେଶନ କରନ୍ତି । ତତ୍ପରେ ଶୀତଳ ଭୋଗ ଓ ବନ୍ଦାପନା ହେବାପରେ, ମା ବିମଳାଙ୍କ ତିନି ଧୂପ ଓ ଶ୍ରୀଜଗନ୍ନାଥଙ୍କ ରାତ୍ର ଚନ୍ଦନ ଲାଗି ପରେ ବିମାନବଡୁମାନେ ବିମାନରେ ଶ୍ରୀଦୁର୍ଗାମାଧଵଙ୍କୁ ନେବାପରେ ମହାଜନମାନେ ଶ୍ରୀଦୁର୍ଗାମାଧଵଙ୍କୁ ଭଣ୍ଡାର ଘରେ ବିଜେ କରାନ୍ତି । ଏହିପରି ନୀତି ଆଠଦିନ ଧରି ହୋଇଥାଏ ।

ନବମ ଦିନ ଠାରୁ ପରବର୍ତ୍ତୀ ଆଠ ଦିନ ପର୍ଯ୍ୟନ୍ତ ଅର୍ଥାତ ଆଶ୍ଵିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ରୁନ୍ଧା ହୋଇଥିବା ଶ୍ରୀଦୁର୍ଗାମାଧଵ ରଥାକୃତି ବିମାନରେ ବସି ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରନ୍ତି ଯେଉଁଠାରେ କି ସେମାନଙ୍କ ନିମିତ୍ତ ଭୋଗ ବନ୍ଦାପନା ଆଦି ନୀତି କରାଯାଇଥାଏ । ଏହାପରେ ରଥାକୃତି ବିମାନଟି ଫେରିଆସେ । ଏହିପରି ଶ୍ରୀଦୁର୍ଗାମାଧଵ ପ୍ରତ୍ୟହ ଏହି ବିମାନଟିରେ ଯାତ୍ରା କରି ଶ୍ରୀମନ୍ଦିରରେ ରାତ୍ର ଚନ୍ଦନ ଲାଗି ବଢିବା ପରେ ବିମାନବଡୁ ସେବକମାନଙ୍କ ଦ୍ୱାରା ପାଲିଙ୍କିରେ ପ୍ରତ୍ୟାବର୍ତ୍ତନ କରି ଭଣ୍ଡାର ଘର ଦ୍ୱାର ଠାରେ ବିଜେ ହୋଇଥାନ୍ତି । ଶ୍ରୀଦୁର୍ଗାମାଧଵଙ୍କର ଏହି ରଥାକୃତି ବିମାନ ଦ୍ୱାରା କରାଯାଉଥିବା ଯାତ୍ରାକୁ ଶାକ୍ତ ଗୁଣ୍ଡିଚା ବା ଆଶ୍ଵିନ ଗୁଣ୍ଡିଚା ବା ଶରତ ଗୁଣ୍ଡିଚା ବୋଲି କୁହାଯାଏ ।

ଦଶହରା ଦିନ ଶ୍ରୀଦୁର୍ଗାମାଧବଙ୍କ ରୁନ୍ଧା ଫିଟାଯାଏ ଓ ସେମାନଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠର ମହାଖଳା ପଦାକୁ ବିଜେ କରାଯାଇ ତାଙ୍କ ନିକଟରେ ଭୋଗ ବନ୍ଦାପନା ଆଦି ନୀତିର ସମାପ୍ତି ପରେ ଶ୍ରୀମାଧଵ ରତ୍ନସିଂହାସନକୁ ଓ ମା ବିମଳାଙ୍କ ବିଜେ ପ୍ରତିମା ଦେବୀ ଦୁର୍ଗା ପୁନଃ ଭଣ୍ଡାର ଘରକୁ ବିଜେ କରନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିବା ସମୟରେ ଶ୍ରୀମନ୍ଦିରରେ କେବଳ ଶ୍ରୀ ମାଧବ (ଶ୍ରୀଜଗନ୍ନାଥଙ୍କ କ୍ଷୁଦ୍ର ମୂର୍ତ୍ତି), ମା ଭୂଦେବୀ ଓ ମା ଶ୍ରୀଦେବୀ ହିଁ ବିରାଜମାନ ଥାଆନ୍ତି । ତେଣୁ ଏହି ଶାକ୍ତ ଗୁଣ୍ଡିଚା ସମୟରେ ହିଁ ଶ୍ରୀ ମାଧବଙ୍କୁ ରଥାକୃତି ବିମାନରେ ଯାତ୍ରା କରିବାର ତଥା ଦର୍ଶନ କରିବାର ବିରଳ ସୁଯୋଗ ମିଳିଥାଏ । ବାସ୍ତବିକ ଅନନ୍ୟ ଏହି ଶ୍ରୀଜଗନ୍ନାଥ ସଂସ୍କୃତି ଓ ଅନନ୍ୟ ଶ୍ରୀଜଗନ୍ନାଥଙ୍କ ଲୀଳା ।

ଜୟ ଜଗନ୍ନାଥ !

Sidebar