ବୁଦ୍ଧ, ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର

ଭଗବାନ ବିଷ୍ଣୁଙ୍କର ଦଶ ଅବତାର ମଧ୍ୟରୁ ନବମ ଅବତାର ହେଉଛନ୍ତି ବୁଦ୍ଧ ଏବଂ ବୁଦ୍ଧଙ୍କ ସମେତ ଏହି ଦଶ ଅବତାରଙ୍କର ସର୍ବପୁରାତନ ଶିଳାଲେଖ ବର୍ଣ୍ଣନା ଦେଖିବାକୁ ମିଳିଥାଏ ୭ମ ଶତାବ୍ଦୀର ଆଦିବରାହ ଗୁମ୍ଫା, ମହାବଳୀପୁରମ୍ ଠାରେ । ଏହି ଶିଳାଲେଖର ବର୍ଣ୍ଣନା ଅନୁଯାୟୀ ଦଶ ଅବତାର ଗୁଡ଼ିକ ହେଲେ –

ମତ୍ସ୍ୟଃ କୂର୍ମୋ ବରାହଶ୍ଚ ନରସିଂହଶ୍ଚ ବାମନ ରାମୋ ରାମଶ୍ଚ ରାମଶ୍ଚ ବୁଦ୍ଧ କଳ୍କୀ ଚ ତେ ଦଶ ।।

ଅର୍ଥାତ୍ – ମତ୍ସ୍ୟ, କୂର୍ମ, ବରାହ, ନରସିଂହ, ବାମନ, (ପରଶୁ)ରାମ, ରାମ, (ବଳ)ରାମ, ବୁଦ୍ଧ ଏବଂ କଳ୍କୀ ।।

ଆମ ଉତ୍କଳୀୟ ସଂସ୍କୃତିରେ ମଧ୍ୟ ଭଗବାନ ବିଷ୍ଣୁଙ୍କର ଉପରୋକ୍ତ ଦଶ ଅବତାରର ବର୍ଣ୍ଣନା ଦେଖିବାକୁ ମିଳିଥାଏ । ଉଦାହରଣ ସ୍ୱରୂପ ୧୨ଶ ଶତାବ୍ଦୀରେ ରଚିତ ଶ୍ରୀଜୟଦେବଙ୍କ ଶ୍ରୀଗୀତଗୋବିନ୍ଦ, ଯାହାର ବର୍ଣ୍ଣନା ଅନୁଯାୟୀ ଏହି ଦଶ ଅବତାର ଗୁଡ଼ିକ ହେଲେ –

ମୀନ (ମତ୍ସ୍ୟ), କଚ୍ଛପ (କୂର୍ମ), ସୂକର (ବରାହ), ନରହରି (ନରସିଂହ), ବାମନ, ଭୃଗୁପତି (ପରଶୁରାମ), ରାମ, ହଳଧର (ବଳରାମ), ବୁଦ୍ଧ ଏବଂ କଳ୍କୀ ।।

ତେବେ ଶାସ୍ତ୍ରୀୟ ଦଶ ଅବତାରର ଏହି ବର୍ଣ୍ଣନାରେ ସେତେବେଳେ ବ୍ୟତିକ୍ରମ ଦେଖିବାକୁ ମିଳେ ଯେତେବେଳେ ବୁଦ୍ଧଙ୍କ ସ୍ଥାନରେ ଶ୍ରୀଜଗନ୍ନାଥ ସ୍ଥାନିତ ହୁଅନ୍ତି ଶ୍ରୀମନ୍ଦିରର ଦୁଇଗୋଟି ସ୍ଥାନରେ – ସିଂହଦ୍ୱାର ଗୁମୁଟସ୍ଥ ତୋରଣ ଲକ୍ଷ୍ମୀଙ୍କ ନିମ୍ନସ୍ଥ ଅଞ୍ଚଳରେ ଥିବା ଦଶ ଅବତାର ପଟି ମଧ୍ୟରେ ଏବଂ ନାଟମଣ୍ଡପସ୍ଥ ଗରୁଡ଼ ସ୍ତମ୍ଭର ପଶ୍ଚାତ ଭାଗରେ ଥିବା ପ୍ରାଚୀର ଉପରିସ୍ଥ ଦଶ ଅବତାର ମୂର୍ତ୍ତି ମଧ୍ୟରେ । ତେବେ ଶ୍ରୀଜଗନ୍ନାଥଙ୍କ ଏ ମୂର୍ତ୍ତି ଦୁଇଟି ପ୍ରସ୍ତର ନିର୍ମିତ ନୁହେଁ, ଚୂନ ଆସ୍ତରଣ/ପ୍ରଲେପ ନିର୍ମିତ । ଏଥିରୁ ଅନୁମେୟ ଯେ ଦଶ ଅବତାର ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ସ୍ଥାନିତ କରିବା ଘଟଣା ପରବର୍ତ୍ତୀ ସମୟର, ଶ୍ରୀମନ୍ଦିର ନିର୍ମାଣ ହେବା ସମୟର ନୁହେଁ ।

ଘଟଣାଟି ଭିନ୍ନ ମୋଡ଼ ନିଏ ସେତେବେଳେ, ଯେଉଁ ସମୟରେ ସିଂହଦ୍ୱାର ଗୁମୁଟସ୍ଥ ଶ୍ରୀଜଗନ୍ନାଥଙ୍କ ସମେତ ଦଶ ଅବତାରଙ୍କ ପଟିର ଭଗ୍ନ ମୂର୍ତ୍ତି ସବୁର ପରିବର୍ତ୍ତନର ଆବଶ୍ୟକତା ପଡ଼େ । ଯେହେତୁ ପ୍ରତ୍ନତତ୍ତ୍ଵ ବିଭାଗର ନିୟମ ଅନୁଯାୟୀ ପୁରାତନ ମୂର୍ତ୍ତିର ପରିବର୍ତ୍ତନ ସମୟରେ ସେହି ଢାଞ୍ଚାର ନୂତନ ମୂର୍ତ୍ତି ହିଁ ଲାଗି ପାରିବ, ତେଣୁ ପ୍ରତ୍ନତତ୍ତ୍ଵ ବିଭାଗ ପୂର୍ବ ଢାଞ୍ଚା ଅନୁଯାୟୀ ହିଁ ଶ୍ରୀଜଗନ୍ନାଥଙ୍କ ସମେତ ଦଶ ଅବତାରଙ୍କ ପଟିର ନୂତନ ମୂର୍ତ୍ତି ସବୁର ନିର୍ମାଣ କରେ । ମାତ୍ର ଏହି ମୂର୍ତ୍ତି ସବୁ ଯେତେବେଳେ ସ୍ଵସ୍ଥାନରେ ଲାଗିବାର ପ୍ରସ୍ତୁତି ହୁଏ, ସେତେବେଳେ ଅନେକ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରନ୍ତି । ସେମାନେ ଯୁକ୍ତି ଉପସ୍ଥାପନ କରନ୍ତି ଯେ ଶ୍ରୀଜଗନ୍ନାଥ ହେଉଛନ୍ତି ‘ଅବତାରୀ’ ଯାହାଙ୍କ ଠାରୁ ଅବତାର ମାନେ ଆବିର୍ଭୁତ ହୁଅନ୍ତି, ତେଣୁ ସେ କିପରି ‘ଅବତାର’ଙ୍କ ଗହଣରେ ରହିବେ ?

ବାସ୍ତବିକ ଶ୍ରୀମନ୍ଦିରର ରୀତିନୀତି ଓ ପରମ୍ପରା ଅନୁସାରେ ଶ୍ରୀଜଗନ୍ନାଥଙ୍କ ଠାରୁ ହିଁ ଭଗବାନଙ୍କ ଅବତାର ବା ଲୀଳାପୁରୁଷ ମାନେ ଆବିର୍ଭୁତ ହୁଅନ୍ତି, ଯେପରିକି ଶ୍ରୀକୃଷ୍ଣ ଜନ୍ମ ନୀତି, ଯେଉଁଥିରେ ଶ୍ରୀଜଗନ୍ନାଥଙ୍କ ଠାରୁ ହିଁ ଶ୍ରୀକୃଷ୍ଣ ଆବିର୍ଭୁତ ହୁଅନ୍ତି । ତେଣୁ ଶ୍ରୀଜଗନ୍ନାଥଙ୍କ ‘ଅବତାରୀ’ ତତ୍ତ୍ଵର ପ୍ରାମାଣିକତା ଥିବାରୁ ଏହି ନବନିର୍ମିତ ଦଶ ଅବତାର ମୂର୍ତ୍ତି ଲାଗିବା ପ୍ରସଙ୍ଗ ବିବାଦ ଘେରକୁ ଆସିଯାଇଥାଏ ଓ ଏଯାବତ୍ ଏହି ମୂର୍ତ୍ତି ସବୁ ସ୍ଵସ୍ଥାନରେ ଲାଗି ନ ପାରି ସିଂହଦ୍ୱାର ଗୁମୁଟରେ ଶୂନ୍ୟ ସ୍ଥାନ ସୃଷ୍ଟି କରେ ।

ପୁନଶ୍ଚ ଅନ୍ୟ ଏକ ଯୁକ୍ତି ଉପସ୍ଥାପିତ ହୁଏ ଯେ ଶ୍ରୀଜଗନ୍ନାଥ ହିଁ ବୁଦ୍ଧ ତେଣୁ ସେ ଏହି ଦଶ ଅବତାର ପଟିରେ ରହିବା ଯୁକ୍ତିଯୁକ୍ତ । ଏହି ମତର ସାମ୍ୟତା ମଧ୍ୟ ୬ଷ୍ଠ-୭ମ ଶତାବ୍ଦୀରେ ବୌଦ୍ଧ ଧର୍ମାବଲମ୍ବୀ ରାଜା ଇନ୍ଦ୍ରଭୂତିଙ୍କ ରଚିତ ‘ଜ୍ଞାନସିଦ୍ଧି’ ଗ୍ରନ୍ଥରେ ଦେଖିବାକୁ ମିଳେ ଯେଉଁଥିରେ ବୁଦ୍ଧଙ୍କୁ ଜଗନ୍ନାଥ ନାମରେ ଅଭିହିତ କରାଯାଇ ପ୍ରଣିପାତ କରାଯାଇଅଛି । ଯଥା –

ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନବରାର୍ଚ୍ଚିତମ୍ ।
ସର୍ବବୁଦ୍ଧମୟଂ ସିଦ୍ଧିବ୍ୟାପିନଂ ଗଗନୋପମମ୍ ।।

ଶ୍ରୀଜଗନ୍ନାଥ ଓ ବୁଦ୍ଧଙ୍କ ସାମ୍ୟତା ସମ୍ପର୍କରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ସମେତ ବିବିଧ ଗବେଷକ ମାନେ ମତବ୍ୟକ୍ତ କରିଛନ୍ତି ଯେ – “ଅଶୋକଙ୍କ ସମୟରେ ପୁରୀ ଠାରେ ଏକ ବୌଦ୍ଧ ସ୍ତୁପ ନିର୍ମିତ ହୋଇଥିଲା ଓ ସେଥିରେ ବୌଦ୍ଧ ତ୍ରିରତ୍ନ ଚିହ୍ନ (ବୁଦ୍ଧ, ଧମ୍ମ ଓ ସଂଘ) ଅଙ୍କିତ ହୋଇ ପୂଜିତ ହେଉଥିଲେ ଯାହାକି ପରବର୍ତ୍ତୀ କାଳରେ ବ୍ରାହ୍ମଣ୍ୟ ଧର୍ମର ପ୍ରଭାବରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରୂପରେ ପୂଜିତ ହେଲେ । ଶ୍ରୀମନ୍ଦିର ଉପରେ ଥିବା ନୀଳଚକ୍ର ମଧ୍ୟ ବୌଦ୍ଧ ଉପାସନା ପୀଠର ଚକ୍ର ସଦୃଶ । ଚୀନ ପରିବ୍ରାଜକ ଫାହିୟାନ୍ ଙ୍କ ବର୍ଣ୍ଣନା ଅନୁଯାୟୀ ୪ର୍ଥ ଶତାବ୍ଦୀ ସମୟରେ ବିଭିନ୍ନ ଦେଶରେ ବୌଦ୍ଧ ମୂର୍ତ୍ତିମାନଙ୍କୁ ରଥରେ ବସାଇ ରଥଯାତ୍ରା କରିବାର ବିବରଣୀ ମାନ ରହିଛି ଯାହାର ଏକ ରୂପାନ୍ତରିତ ରୂପ ହୋଇପାରେ ପୁରୀର ରଥଯାତ୍ରା ।”

ତେବେ ବୁଦ୍ଧ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ସାମ୍ୟତା/ଅଭେଦତା କିମ୍ବା ବିଭେଦତା ଉପରେ ଆଲୋକପାତ କଲେ ଆଲୋଚନାଟି ସୁବିସ୍ତୃତ ହୋଇଯିବ ଓ ଆମେ କୌଣସି ନିଷ୍କର୍ଷରେ ପହଞ୍ଚିବା କଠିନ ହେବ । ଶ୍ରୀମନ୍ଦିରର ବିମାନରେ ସ୍ଥାନିତ ଦଶ ଅବତାରଙ୍କ ମୂର୍ତ୍ତି ମଧ୍ୟରେ ବୁଦ୍ଧଙ୍କ ମୂର୍ତ୍ତି (ଯାହାକି ନିଶା ନୃସିଂହ ମନ୍ଦିର ପାର୍ଶ୍ୱରେ ସ୍ଥିତ) ଓ ମୁକ୍ତି ମଣ୍ଡପ ସମୀପସ୍ଥ ଆଦି ନୃସିଂହ ମନ୍ଦିରର ବିମାନରେ ସ୍ଥାନିତ ଦଶ ଅବତାରଙ୍କ ମୂର୍ତ୍ତି ମଧ୍ୟରେ ବୁଦ୍ଧଙ୍କ ମୂର୍ତ୍ତିର ଉପସ୍ଥିତି ଏହା ପ୍ରମାଣିତ କରେ ଯେ ଅନ୍ତତଃ ଆମ ସନାତନ ପରମ୍ପରାରେ ଯେବେଠାରୁ ମନ୍ଦିର ନିର୍ମିତ ହୋଇ ମୂର୍ତ୍ତି ପୂଜାର ପ୍ରଚଳନ ହେଲା, ସେବେଠାରୁ ଦଶ ଅବତାରଙ୍କ ମଧ୍ୟରେ ବୁଦ୍ଧ ସ୍ଥାନିତ – ଏଥିରେ ଦ୍ଵିମତ ନାହିଁ । ଏବଂ ଆମ ସନାତନ ପରମ୍ପରାରେ ମଧ୍ୟ ବିବିଧ ଦେବାଦେବୀଙ୍କ ରଥଯାତ୍ରା ପାଳନ ଏକ ମୌଳିକ ପରିକଳ୍ପନା (ଭବିଷ୍ୟ ପୁରାଣ ଓ ସ୍କନ୍ଦ ପୁରାଣରେ ବର୍ଣ୍ଣିତ), ଏହା ବୌଦ୍ଧ ଧର୍ମର ଅନୁକରଣ ନୁହେଁ । ତେଣୁ ଦଶାବତାର ପଟିରେ ବୁଦ୍ଧଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କୁ ସ୍ଥାପନ କରିବା କେବଳ ଯେ ଅଶାସ୍ତ୍ରୀୟ ନୁହେଁ, ବରଂ ଏକ ବିଫଳ ପ୍ରୟାସ ଅବତାରୀ ଜଗନ୍ନାଥଙ୍କୁ ଅନ୍ୟ ଅବତାର ଅଥବା ବୁଦ୍ଧଙ୍କ ସମକକ୍ଷ କରିବା ନିମିତ୍ତ ।

ଜୟ ଜଗନ୍ନାଥ !

Sidebar