ଶ୍ରୀନାରାୟଣ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତୀକାତ୍ମକ ପଟ୍ଟି

ଅନବସର ସମୟରେ, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରତିନିଧି ସ୍ବରୂପ ଶ୍ରୀନାରାୟଣ ପଟ୍ଟିଦିଅଁ ରୂପେ ପୂଜା ପାଆନ୍ତି । ତାଙ୍କର ଶରୀର କୃଷ୍ଣବର୍ଣ୍ଣ । ସେ ଚତୁର୍ଭୁଜ ତଥା ପଦ୍ମାସନସ୍ଥ ଏବଂ ବହୁତଳଯୁକ୍ତ ଏକ କୁଞ୍ଜରେ ବିରାଜମାନ । ଶ୍ବେତ କପୋତ ଚତୁଷ୍ଟୟ ଏହି କୁଞ୍ଜର ଉପରିଭାଗରେ ବିଦ୍ୟମାନ ଥିବାବେଳେ ତଳଭାଗରେ ମକରଦ୍ବୟ ଶୋଭା ପାଉଛନ୍ତି । ଏହି କୁଞ୍ଜର ଚୂଡ଼ା ପଦ୍ମପୁଷ୍ପାକୃତି ହୋଇଥିବାବେଳେ ବେଦୀ ଗୁଡ଼ିକ ପ୍ରସ୍ଫୁଟିତ ପଦ୍ମପୁଷ୍ପ ଭଳି ହୋଇଅଛି ।

ଶ୍ରୀନାରାୟଣଙ୍କ ସ୍କନ୍ଧପ୍ରଦେଶର ବିକଶିତ ଚତୁର୍ଭୁଜ ବଳିଆର ତଥା ସଦୃଢ଼ ପରିଦୃଶ୍ୟ ହୁଏ ଏବଂ ତାହା ଉତ୍ତମରୂପେ ଚିତ୍ରିତ ହୋଇଅଛି । କୁଶଳଭାବେ ଚିତ୍ରିତ ନୟନ ଏବଂ ଭ୍ରୁଲତା ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଦୃଷ୍ଟି ପ୍ରଦାନ କରେ । ତାଙ୍କର ମୁଖ, ନାସିକା ତଥା ଓଷ୍ଠ ଅତ୍ୟନ୍ତ ସ୍ପଷ୍ଟ ପରିଦୃଷ୍ଟ ହେଉଥିବା ସ୍ଥଳେ ଶୁକ୍ଳ ବର୍ଣ୍ଣର ଶ୍ମଶ୍ରୁ ବହ୍ନିର ଶିଖା ତୁଲ୍ୟ ଉତ୍ତୁଙ୍ଗ ପ୍ରତୀୟମାନ ହୁଏ । ଭାଲପଟରେ ଥିବା ଚିତା ମଧ୍ୟରେ ରକ୍ତବର୍ଣ୍ଣର ଏକ ବିନ୍ଦୁ ପରିଦୃଷ୍ଟ ହେଉଥିବା ବେଳେ ଏହି ଚିତା ନାସିକାର ମୂଳ ପର୍ଯ୍ୟନ୍ତ ଲମ୍ବିଅଛି । ତାଙ୍କ କର୍ଣ୍ଣଦ୍ବୟ ମକରକୁଣ୍ଡଳ ଏବଂ କାନଗୁଣା ଦ୍ବାରା ଶୋଭିତ ।

ଉନ୍ନତ ବପୁ ବିଶିଷ୍ଟ ତଥା ବିବିଧ ଅଳଙ୍କାର ଓ ମାଣିକ୍ୟ ମଣ୍ଡିତ ଶ୍ରୀନାରାୟଣଙ୍କ ସ୍କନ୍ଧଠାରୁ କଟିଦେଶପର୍ଯ୍ୟନ୍ତ ଯଜ୍ଞୋପବୀତ ଲମ୍ବିଅଛି ଯାହାକି ତାଙ୍କର କଟିରେ ଲାଗି ହୋଇଥିବା ଅଣ୍ଟାପଟ୍ଟିରେ ମିଳିତ ହୋଇଅଛି । ଦିବ୍ୟ ପୀତବସନ ତ୍ରିକଚ୍ଛ ଶୈଳୀରେ ପରିଧାନପୂର୍ବକ ତାଙ୍କର ପଦଦ୍ବୟ ତଥା ହସ୍ତଚତୁଷ୍ଟୟରେ ସୁବର୍ଣ୍ଣ ବଳାମାନ ଶୋଭା ପାଉଥିବାବେଳେ ବପୁପ୍ରଦେଶ ତଥା ବାହୁଗୁଡ଼ିକରେ ଚିତା ଅଙ୍କିତ ହୋଇଅଛି ।

ବପୁଦେଶରେ ଶ୍ରୀବତ୍ସଙ୍କର ରକ୍ତାଭ ପଦଚିହ୍ନ ଶୋଭାୟମାନ ହେଉଅଛି । ଗଳାରେ କମଳ ପୁଷ୍ପର ବନମାଳ, ସବୁଜ ବର୍ଣ୍ଣର କେଶୋରାଜି ଉଡ୍ଡୀୟମାନ ତଥା ମସ୍ତକୋପରିସ୍ଥ ବର୍ଣ୍ଣାଢ୍ୟ କିରୀଟି ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ପ୍ରତୀତ ହୁଏ । ଶ୍ରୀନାରାୟଣଙ୍କ ଉଭୟ ପାର୍ଶ୍ବରେ ସପ୍ତଋଷି ପ୍ରଣତ ମୁଦ୍ରାରେ ଦଣ୍ଡାୟମାନ ।

ପଟ୍ଟିଦିଅଁଙ୍କ ନିର୍ମାଣ କାର୍ଯ୍ୟ ଶୀତଳ ଷଷ୍ଠୀରୁ ଆରମ୍ଭ ହୋଇଥାଏ । ସ୍ନାନ ପୂର୍ଣ୍ଣିମା ରାତ୍ରିରେ ମହାପ୍ରଭୁଙ୍କ ଆଜ୍ଞାମାଳ ସହ ପଟୁଆର ପହଞ୍ଚିଥାଏ ଓ ଏହି ଆଜ୍ଞାମାଳ ଆସିବା ପରେ ସମସ୍ତ ପଟ୍ଟିଙ୍କୁ କାନ୍ଥରୁ ଓହ୍ଲାଇ ତାଙ୍କୁ ପତନୀରେ ଗୁଡ଼ାଇ ହସ୍ତରେ ବହନ କରି ଘଣ୍ଟ, ଛତ୍ର, କାହାଳୀ ସହ ଶ୍ରୀମନ୍ଦିରକୁ ବିଜେ କରାଯାଇଥାଏ ଏବଂ ଏହି ପଟ୍ଟି ଅଣସର ପିଣ୍ଡି ତାଟିରେ ଟଙ୍ଗା ହେବା ପରେ ପଟ୍ଟିଦିଅଁ ବୋଲାଇଥାନ୍ତି । ଏହା ସ୍ନାନ ଯାତ୍ରା ପରଦିନ ଠାରୁ ୧୪ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରତୀକାତ୍ମକ ରୂପ ଭାବେ ପୂଜିତ ହୋଇଥାନ୍ତି ।

ତଥ୍ୟ ସହାୟତା – ଶ୍ରୀଜଗନ୍ନାଥ ଫେସବୁକ୍ ପୃଷ୍ଠା
© Durgamadhab Mohanty

Sidebar