ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ଵାର

ଶ୍ରୀମନ୍ଦିରର ପୂର୍ବ ଦିଗରେ ଅବସ୍ଥିତ ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ନାମରେ ପରିଚିତ। ଏହି ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ ଦୁଇଟି ବିରାଟ ସିଂହଙ୍କର ମୂର୍ତ୍ତି ସହ ପ୍ରଭୁଙ୍କ ଦୁଇ ଦ୍ୱାରପାଳ ଜୟ-ବିଜୟଙ୍କ ମୂର୍ତ୍ତି ସ୍ଥାପିତ ହୋଇଅଛନ୍ତି। ଏହି ମୁଖ୍ୟ ଦ୍ୱାରକୁ ଧର୍ମଦ୍ୱାର ବୋଲି ମଧ୍ୟ କୁହାଯାଇଥାଏ। ଏହି ଦ୍ଵାରର ଗୁମୁଟରେ ମା ତୋରଣ ଲକ୍ଷ୍ମୀ ଓ ଛଅ ଜଣ ସଖୀ ସ୍ଥାପିତ ହୋଇଅଛନ୍ତି। ପୂର୍ବେ ଏହାର ନିମ୍ନଭାଗରେ ଦଶ ଅବତାର ଶୋଭା ପାଉଥିଲେ। ସିଂହଦ୍ଵାର ଦେଇ ରଥଯାତ୍ରା ଦିନ ମହାପ୍ରଭୁ ନିଜେ ବିଜେ କରିଥାଆନ୍ତି ଓ ନିଳାଦ୍ରୀ ବିଜେ ଦିନ ବାହୁଡ଼ା ବିଜେ କରିଥାଆନ୍ତି। ଅନ୍ୟାନ୍ୟ ପର୍ବପର୍ବାଣୀ ସମୟରେ ଚଳନ୍ତି ବିଗ୍ରହ ମାନେ ଏହି ଦ୍ଵାର ଦେଇ ବିଜେ ଓ ବାହୁଡ଼ା ବିଜେ ମଧ୍ୟ କରିଥାଆନ୍ତି।

ଶ୍ରୀମନ୍ଦିରର ଦକ୍ଷିଣ ଦିଗର ପ୍ରବେଶ ଦ୍ୱାର ଅଶ୍ୱଦ୍ୱାର ନାମରେ ପରିଚିତ। ଏହାକୁ ଅର୍ଥ ଦ୍ଵାର ବୋଲି ମଧ୍ୟ କୁହାଯାଇଥାଏ। ଏହି ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ ଦୁଇଟି ବିରାଟ ଅଶ୍ୱ ମୂର୍ତ୍ତି ଅବସ୍ଥିତ, ଗୋଟିଏ ଧଳା ଓ ଅନ୍ୟଟି କଳା ରଙ୍ଗର ଯାହାର ଉପରି ଭାଗରେ ଯଥାକ୍ରମେ ଶ୍ରୀଜଗନ୍ନାଥ ଏବଂ ଶ୍ରୀବଳଭଦ୍ରଙ୍କ ପ୍ରତିମା ଯୋଦ୍ଧା ବେଶରେ ବିରାଜମାନ, ଯାହାକି କାଞ୍ଚି ବିଜୟକୁ ଚିତ୍ରଣ କରିଥାଏ। ଏହି ଦ୍ଵାରର ଗୁମୁଟରେ ଶ୍ରୀକୃଷ୍ଣଙ୍କ ବଂଶୀ ବାଦନର ଅପୂର୍ବ ବିଗ୍ରହ ସହ ଛଅ ଜଣ ସଖୀ ସ୍ଥାପିତ ହୋଇଅଛନ୍ତି। ପୂର୍ବେ ଏହାର ନିମ୍ନଭାଗରେ ନବଗ୍ରହ ଓ ନବଗ୍ରହଙ୍କ ଦୁଇ ପାର୍ଶ୍ବରେ ଦୁଇ ଭାରବାହକ ମଧ୍ୟ ଶୋଭା ପାଉଥିଲେ। ଏହି ଦ୍ଵାର ଦେଇ ଗଜପତି ମହାରାଜା ଶ୍ରୀମନ୍ଦିର କୁ ବିଜେ କରିଥାଆନ୍ତି।

ଶ୍ରୀମନ୍ଦିରର ପଶ୍ଚିମ ଦିଗର ପ୍ରବେଶ ଦ୍ୱାର ବ୍ୟାଘ୍ର ଦ୍ୱାର ନାମରେ ପ୍ରସିଦ୍ଧ। ଏହି ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ ଦୁଇଟି ବିରାଟ ବ୍ୟାଘ୍ର ମୂର୍ତ୍ତି ଅବସ୍ଥିତ। ପୂର୍ବେ ଏହି ଦ୍ଵାରର ଗୁମୁଟରେ ପତିତପାବନଙ୍କ ଚିତ୍ରିତ ସ୍ୱରୂପ ଶୋଭା ପାଉଥିଲେ। ଏହି ଦ୍ୱାରକୁ କର୍ମ ଦ୍ୱାର ବୋଲି ମଧ୍ୟ କୁହାଯାଏ। କୁମାର ପୂର୍ଣ୍ଣିମା ଦିନ ଶ୍ରୀସୁଦର୍ଶନ ତିନି ଆଶ୍ରମ ବିଜେ ନୀତି ସାରି ଏହି ଦ୍ଵାର ଦେଇ ବାହୁଡ଼ି ଆସିଥାଆନ୍ତି।

ଶ୍ରୀମନ୍ଦିରର ଉତ୍ତର ଦିଗରେ ଅବସ୍ଥିତ ପ୍ରବେଶ ଦ୍ୱାରକୁ ହସ୍ତୀଦ୍ୱାର କୁହାଯାଏ। ଏହି ଦ୍ୱାରର ଗୁମୁଟ ପାବଚ୍ଛ ଉର୍ଦ୍ଧ୍ବରେ ଦୁଇଟି ହସ୍ତୀଙ୍କ ମୂର୍ତ୍ତି ବିରାଜମାନ। ଏହି ଦ୍ଵାରର ଗୁମୁଟରେ ନବଗ୍ରହ ବିରାଜିତ ହୋଇଅଛନ୍ତି, ନବଗ୍ରହଙ୍କ ଦୁଇ ପାର୍ଶ୍ବରେ ଦୁଇ ଭାରବାହକ ମଧ୍ୟ ରହିଛନ୍ତି ଓ ଏହାର ଉପରି ଭାଗରେ ଶ୍ରୀକୃଷ୍ଣଙ୍କ ବଂଶୀ ବାଦନର ଅପୂର୍ବ ବିଗ୍ରହ ସହ ଛଅ ଜଣ ସଖୀ ସ୍ଥାପିତ ହୋଇଅଛନ୍ତି। ଏହି ଦ୍ଵାର ଦେଇ ଦେବତାମାନେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଆସିଥାଆନ୍ତି ବୋଲି ବିଶ୍ୱାସ ରହିଛି। ଏହି ଦ୍ୱାରକୁ ମୋକ୍ଷଦ୍ୱାର ବୋଲି ମଧ୍ୟ କୁହାଯାଏ । ନବକଳେବର ସମୟରେ ମହାଦାରୁ ଏହି ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଆସିଥାଆନ୍ତି।

ତଥ୍ଯ ସହାୟତା – ଉତ୍କଳ ପ୍ରସଙ୍ଗ

© Durgamadhab Mohanty

Sidebar