ଶ୍ରୀଜୀଉମାନଙ୍କର ସ୍ନାନ ଓ ମହାସ୍ନାନ ନୀତି

ସୁସ୍ଥତା, ସ୍ୱଚ୍ଛତା ତଥା ପବିତ୍ରତା ଲାଭ କରିବା ନିମନ୍ତେ ସ୍ନାନର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଆୟୁର୍ବେଦ ଶାସ୍ତ୍ର ମତରେ ସ୍ନାନ କରିବା ଦ୍ଵାରା ଏତଦବ୍ୟତୀତ ବିବିଧ ପ୍ରକାର ଲାଭ ମିଳିଥାଏ । ପ୍ରଥମତଃ ଏହାଦ୍ୱାରା ଶରୀର ଏବଂ ଅନ୍ତରାତ୍ମା ପବିତ୍ର ହୋଇଥାଏ । ଆଉ ମଧ୍ୟ ଏହାଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ, ଶ୍ରମରୁ ଲାଘବତା ମିଳିଥାଏ, ସ୍ବେଦ ଏବଂ ମଳର ନାଶ ହୋଇଥାଏ, ଶରୀରର ବଳ ଏବଂ ଓଜର ବୃଦ୍ଧି ଘଟିଥାଏ, ହୃଦୟ ଏବଂ ଇନ୍ଦ୍ରିୟ ଗୁଡିକୁ ଶକ୍ତି ମିଳିଥାଏ, ରକ୍ତର ଶୁଦ୍ଧି ହୋଇଥାଏ ତଥା ଅଗ୍ନି ପ୍ରଦୀପ୍ତ ହୋଇଥାଏ । ସ୍ନାନ ଦ୍ୱାରା ମଧ୍ୟ ତନ୍ଦ୍ରା ଓ ପାପର ଶମନ ହୁଏ, ପୁଂସତ୍ୱର ବୃଦ୍ଧି ଘଟିଥାଏ ଏବଂ ସନ୍ତୋଷ ପ୍ରାପ୍ତି ହୋଇଥାଏ । ତେଣୁ ଏହିସବୁ ଉପକାରିତା ଦୃଷ୍ଟିରୁ ଆମ ଦୈନନ୍ଦିନ ଜୀବନଚର୍ଯ୍ୟାରେ ସ୍ନାନର ଏକ ବିଶେଷ ଭୂମିକା ରହିଛି । ଆମେ ଯେପରି ପ୍ରତିଦିନ ଏହି ସ୍ନାନ ସମେତ ଅନ୍ୟାନ୍ୟ ନିତ୍ୟକର୍ମ ମାନ ପାଳନ କରୁ, ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ମଧ୍ୟ ଆମ ଭଳି ନିତ୍ୟକର୍ମ ମାନ ପାଳନ କରନ୍ତି । ତେବେ ସେମାନେ ଦାରୁ ବିଗ୍ରହ ହୋଇଥିବାରୁ ସେମାନଙ୍କର ପ୍ରତ୍ୟକ୍ଷ ସ୍ନାନ କରା ନ ଯାଇ, ପ୍ରତୀକାତ୍ମକ ଭାବେ ସ୍ନାନ ନୀତିର ସମ୍ପାଦନ କରାଯାଇଥାଏ । ସେମାନଙ୍କର ସ୍ନାନ ନୀତି କିପରି ସମ୍ପାଦିତ ହୋଇଥାଏ, ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା ।

ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଯଥା –

୧) ଦୈନନ୍ଦିନ ଅବକାଶ ନୀତିରେ ସମ୍ପାଦିତ ସ୍ନାନ
୨) ଵିଶେଷ ପରିସ୍ଥିତିରେ ସମ୍ପାଦିତ ମହାସ୍ନାନ

ଏତଦବ୍ୟତୀତ ସ୍ନାନପୂର୍ଣ୍ଣିମା ଦିନ ମଧ୍ୟ ଶ୍ରୀଜୀଉମାନଙ୍କର ବିଶେଷ ସ୍ନାନ ବିଧି ସ୍ନାନମଣ୍ଡପରେ ସମ୍ପାଦିତ ହୋଇଥାଏ ଯାହାକି ଅନ୍ୟ ଏକ ଆଲେଖ୍ୟରେ ଉପସ୍ଥାପିତ ହେବ ।

୧) ଦୈନନ୍ଦିନ ଅବକାଶ ନୀତିରେ ସମ୍ପାଦିତ ସ୍ନାନ : –

ଶ୍ରୀଜୀଉମାନଙ୍କର ଦୈନନ୍ଦିନ ନୀତିରେ ମଇଲମ ଓ ତଡପଲାଗି ପରେ ଅବକାଶ ନୀତି ଅନୁଷ୍ଠିତ ହୋଇଥାଏ । ରତ୍ନସିଂହାସନ ଉପରେ ବିରାଜମାନ ଶ୍ରୀଜୀଉମାନଙ୍କର ଦନ୍ତମାର୍ଜନ ଓ ସ୍ନାନ ବିଧିକୁ ‘ଅବକାଶ’ କୁହାଯାଏ । ବର୍ତ୍ତମାନ ପ୍ରଚଳିତ ଶ୍ରୀମନ୍ଦିରର ଦୈନିକ ପଞ୍ଜିକାରେ ଏହି ଅବକାଶ ନୀତିର ନିର୍ଦ୍ଧାରିତ ସମୟ ସକାଳ ୭ ଘଟିକା ବୋଲି ଉଲ୍ଲେଖ ରହିଛି ଯାହାକି ପୂର୍ବରୁ ସକାଳ ୬ଟାରୁ ୬:୩୦ ଘଟିକା ମଧ୍ୟରେ ସମ୍ପାଦିତ ହେବାର ବିଧି ଥିଲା । ତେବେ ଏହି ନୀତି ଅନୁଷ୍ଠିତ ହେବାର ପ୍ରକୃତ ସମୟ ପୂର୍ବ ନୀତିଗୁଡିକ ଉପରେ ନିର୍ଭରଶୀଳ ।

ଏହି ଅବକାଶ ନୀତିରେ ପ୍ରଥମେ ଶ୍ରୀଜୀଉମାନଙ୍କର ଦନ୍ତମାର୍ଜନ ନୀତିର ସମାପ୍ତି ପରେ ସ୍ନାନ ବିଧି ଅନୁଷ୍ଠିତ ହୋଇଥାଏ । ଏଥିନିମନ୍ତେ ସ୍ନାନ ପାଇଁ ତିନି ଗରା ଜଳ ତିନି ଠାକୁରଙ୍କ ସମ୍ମୁଖରେ ରଖାଯାଏ । ଏହି ଜଳ ମା ବିମଳାଙ୍କ ମନ୍ଦିର ସମ୍ମୁଖରେ ଥିବା କୂପରୁ ଅଣାଯାଇଥାଏ । ତତ୍ପରେ ତିନୋଟି ପିଢ଼ା ଉପରେ ତିନୋଟି ଅଷ୍ଟଧାତୁ ନିର୍ମିତ ଦର୍ପଣ ରଖାଯାଏ । ଏହି ଦର୍ପଣ ଗୁଡିକୁ ତିନି ଠାକୁରଙ୍କ ସମ୍ମୁଖରେ ଏପରି ରଖାଯାଏ ଯେ ଯେପରିକି ସେମାନଙ୍କର ପ୍ରତିବିମ୍ବ ଏହି ଦର୍ପଣ ଗୁଡିକ ଉପରେ ପଡିବ । ସ୍ନାନ ପାଇଁ ତିନୋଟି ରୂପା ଝରିରେ ଜଳ ରଖାଯାଏ । ଏହାପରେ ଚନ୍ଦନ, ଅଁଳା ଓ ଦହି ପୂର୍ବବର୍ଣ୍ଣିତ ଦର୍ପଣ ଗୁଡିକ ଉପରେ ଲଗା ଯାଇଥାଏ । ତତ୍ପରେ କର୍ପୁର ମିଶା ଜଳ ଏହା ଉପରେ ଢଳାଯାଇ ଶ୍ରୀଜୀଉମାନଙ୍କର ସ୍ନାନ ବିଧି ସମ୍ପାଦିତ ହୋଇଥାଏ । ଏହାପରେ ଚନ୍ଦନଲଗା ଫୁଲଟିଏ ଧରି ସମ୍ପୃକ୍ତ ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ପୋଛିଲା ଭଳି ପ୍ରୋଚ୍ଛନ୍ନ ମୁଦ୍ରାରେ ଫୁଲଟିକୁ ହଲାଇ ଆଚମନ କୁଣ୍ଡରେ ପକାନ୍ତି । ଏହି ସ୍ନାନ ବିଧି ସ୍ୱତନ୍ତ୍ର ସ୍ନାନମନ୍ତ୍ରରେ କରାଯାଇଥାଏ । ଏହି ନୀତି ଚାଲୁଥିବା ସମୟରେ ଶ୍ରୀମନ୍ଦିରର ଜ୍ୟୋତିଷ ଖୁରି ନାଏକ ସେଠାରେ ଦଣ୍ଡାୟମାନ ରହି ଠାକୁରମାନଙ୍କର ସେହି ଦିନର ନକ୍ଷତ୍ର ବିଚାର ଆଦି ଶୁଣାଇଥାନ୍ତି । ଯଦି ସେହିଦିନ ଜନ୍ମ ନକ୍ଷତ୍ର ଥାଏ, ତେବେ ସେ ଏ ସମ୍ବନ୍ଧରେ ତଢାଉକରଣଙ୍କୁ ଅବଗତ କରାଇଥାନ୍ତି ଓ ମଧ୍ୟାହ୍ନ ଧୂପ ନୀତି ପରେ ନକ୍ଷତ୍ର ବନ୍ଦାପନା ହୋଇଥାଏ । ଶ୍ରୀଜୀଉମାନଙ୍କର ଅବକାଶ ନୀତିର ସମାପ୍ତି ପରେ ଗରୁଡ଼ଙ୍କ ସ୍ନାନ ନୀତି ସମ୍ପାଦିତ ହୋଇଥାଏ ।

୨) ଵିଶେଷ ପରିସ୍ଥିତିରେ ସମ୍ପାଦିତ ମହାସ୍ନାନ : –

ମହାସ୍ନାନ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏକ ବିଶେଷ ନୀତି ଯାହାର ବିଭିନ୍ନ କାରଣ ରହିଥାଏ । ଓଡ଼ିଶା ସରକାରଙ୍କ ତରଫରୁ ନିଯୁକ୍ତ ହୋଇଥିବା ସ୍ପେଶାଲ ଅଫିସର ୧୯୬୫ ମସିହାରେ ଏକ ରିପୋର୍ଟ ଦେଇଥିଲେ ଯେଉଁଥିରେ କି ଉଲ୍ଲେଖ ଥିଲା କେଉଁ କାରଣରୁ ମହାସ୍ନାନ ହୁଏ ଓ ଏହି ବିଧି କିପରି ପାଳିତ ହୋଇଥାଏ । ସେହି କାରଣ ଓ ତତ୍ସଂଲଗ୍ନ ବିଧିଗୁଡ଼ିକ ନିମ୍ନରେ ପ୍ରଦତ୍ତ ।

କ) ଶ୍ରୀମନ୍ଦିର ମଧ୍ୟକୁ କୁକୁର ପ୍ରବେଶ କଲେ କିମ୍ବା ଶ୍ରୀମନ୍ଦିର ପରିସରରେ ଶବ ବା ଅସ୍ଥି ଦେଖାଦେଲେ ଶ୍ରୀଜୀଉମାନଙ୍କର ନୀତି ବନ୍ଦ ରହିବ ଓ ନୀତିର ଉପକରଣ ମାନ ବାହାରକୁ ବାହାର କରାଯିବ । ତତ୍ପରେ ଜୟ ବିଜୟ ଦ୍ୱାର ଠାରୁ ଭିତର ପୋଖରିଆ ପର୍ଯ୍ୟନ୍ତ ଉତ୍ତମ ରୂପେ ଧୁଆ ହୋଇ ତାଉପରେ ଚୁନପାଣି ପଡିବ । ତତ୍ପଶ୍ଚାତ ପାଳିଆ ମେକାପ ରତ୍ନସିଂହାସନରେ ପୋଛା ମାରିବେ ଓ ସିଂହାସନ ତଳେ ମହାସ୍ନାନ ଠା ହୋଇ ମହାସ୍ନାନ ବଢିବ । ଏହାପୂର୍ବରୁ ସମସ୍ତ ରୋଷ ଧୋ ପଖାଳ ହେବ । ଭୋଗ ନିମିତ୍ତ ପ୍ରସ୍ତୁତ ଥିବା ସମସ୍ତ ଭୋଗ, ଜଳ ଦିଆଯାଇଥିବା ସମସ୍ତ ପଦାର୍ଥ ମାନ, ପାଣିହାଣ୍ଡି, ଶିକା, ବାଉଁଶ ଆଦି ବାହାର ହେବ ଓ ପୁନର୍ବାର ରୋଷଘରେ ହୋମ ହେବ । ସୁର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ପୁନଶ୍ଚ ଅନୁଷ୍ଠିତ ହେବ ଓ ଏହାପରେ ଯେଉଁଠାରୁ ନୀତି ବନ୍ଦ ହୋଇଥିବ ତାହା ଆରମ୍ଭ ହୋଇ କ୍ରମାନ୍ବୟରେ ଅନ୍ୟାନ୍ୟ ସମସ୍ତ ନୀତି ଅନୁଷ୍ଠିତ ହେବ ।

ଖ) ଭିତର କାଠ ସମୀପରୁ ସିଂହାସନ ପର୍ଯ୍ୟନ୍ତ ଥିବା ସ୍ଥାନରେ ଯଦି କୌଣସି ବ୍ୟକ୍ତି ମଳତ୍ୟାଗ ବା ପରିସ୍ରା କରେ, କିମ୍ବା ଛେପ ପକାଏ, ତେବେ ଭିତର ଓ ବାହାର ଧୋପଖାଳ ହୋଇ ଚୁନପାଣି ପଡ଼ିଲା ପରେ ପୁଷ୍ପାଳକ ସେବକ ଠାକୁରଙ୍କୁ ମଇଲମ କରନ୍ତି ଓ ତତ୍ପରେ ଶୁଦ୍ଧ ସୁଆର ବଡ଼ ମହାସ୍ନାନର ପୂଜା ଠା କରନ୍ତି । ତତ୍ପଶ୍ଚାତ ଠାକୁରମାନେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ହୁଏ ।

ଗ) ଦର୍ଶନ ସମୟରେ କିମ୍ବା ଅନ୍ୟ ସମୟରେ ଯଦି କେହି ଶ୍ରୀଜୀଉମାନଙ୍କୁ ହାତ ବଢ଼ାଇ ଛୁଇଁଦିଏ, ତେବେ ଉକ୍ତ ବ୍ୟକ୍ତିଠାରୁ ଜୋରିମାନା ଆଦାୟ କରାଯାଇ ମହାସ୍ନାନ ଇତ୍ୟାଦିରେ ଖର୍ଚ୍ଚ ହୁଏ । ମହାସ୍ନାନ ବଢିଲା ପରେ ଅନ୍ୟାନ୍ୟ ନୀତି ହୋଇଥାଏ ।

ପ୍ରତ୍ୟେକ ମହାସ୍ନାନରେ ଷୋଡ଼ଶ ଉପଚାରରେ ପୂଜା ହୁଏ ଏବଂ ମହାସ୍ନାନ ପୂଜା ସରିଲେ ପୂର୍ବରୁ ଯେଉଁପର୍ଯ୍ୟନ୍ତ ନୀତି ହୋଇଥିବ, ସେହିଠାରୁ ନୀତି ପୁନଶ୍ଚ ଆଗକୁ ବଢେ ।

ସହାୟକ ଉତ୍ସ :

୧) ଚରକ ସଂହିତା
୨) ସୁଶ୍ରୁତ ସଂହିତା
୩) ଶ୍ରୀ ପୀତାମ୍ବର ପ୍ରଧାନୀ (ଶ୍ରୀମନ୍ଦିର, ରଥଯାତ୍ରା ବିଶେଷାଙ୍କ – ୨୦୧୩)
୪) ଶ୍ରୀଜଗନ୍ନାଥ ଜ୍ଞାନକୋଷ
୫) ଶ୍ରୀଜଗନ୍ନାଥଙ୍କ ସେବା ଓ ଉପାସନା

Sidebar