ରଥ ତ୍ରୟର ପ୍ରଭା

ଶ୍ରୀକ୍ଷେତ୍ରର ରଥଯାତ୍ରାରେ ତିନି ରଥର ମୁଖ୍ୟ ଆକର୍ଷଣ ହେଉଛି ପ୍ରଭା ଯେଉଁଠାରେ କି ମୁଖ୍ୟ ଦେବାଦେବୀ ବିରାଜିତ ହୋଇଥାଆନ୍ତି । ରଥ ତ୍ରୟର ପ୍ରଭା ପ୍ରତିବର୍ଷ ନିର୍ମାଣ କରାଯାଇଥାଏ । ରଥଯାତ୍ରାର ମାତ୍ର ଅଳ୍ପ କେଇ ଦିନ ପୂର୍ବରୁ ରୂପକାର ସେବକମାନେ ଏହାକୁ ରୂପ ଦେଇଥାନ୍ତି, ତା ପରେ ମହାରଣା ସେବକମାନଙ୍କ ଦ୍ୱାରା ଏହାର ନିର୍ମାଣ କରାଯାଇ ସାରିଲା ପରେ ଚିତ୍ରକାର ସେବକମାନେ ଏଥିରେ ଚିତ୍ର କରିଥାଆନ୍ତି । ରଥ ଯାତ୍ରାର ପୂର୍ବ ଦିନେ ଦୁଇ ଦିନ ପୂର୍ବରୁ ଏହା ରଥରେ ଲଗାଯାଇଥାଏ ।

ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥର ପ୍ରଭାରେ ଓଲଟ ପଦ୍ମ ଅଙ୍କିତ କରାଯାଇଥାଏ ଓ ଏହାର ଦୁଇ ପାର୍ଶ୍ଵରେ ସଦାଶିବ ଶଙ୍କର ଓ ଦେବର୍ଷି ନାରଦ ପ୍ରଣତି ମୁଦ୍ରାରେ ରହିଥାଆନ୍ତି । ଭଗବାନ୍ ଶଙ୍କର ଦୁଇ ହାତ ଯୋଡ଼ି ରହିଥିବା ବେଳେ ଅନ୍ୟ ଦୁଇ ହାତରେ ସେ ତ୍ରିଶୂଳ ଓ ଡମ୍ବରୁ ଧରିଥାଆନ୍ତି । ଶ୍ରୀ ନାରଦ ମହାମୁନି ଦୁଇ ହାତ ଯୋଡ଼ି ରହିଥିବା ବେଳେ ସ୍କନ୍ଧରେ ବୀଣା ରଖିଥାଆନ୍ତି । ପ୍ରଭାର ଉପରି ଭାଗରେ କୀର୍ତ୍ତିମୁଖ ରହିଥିବା ବେଳେ ପ୍ରଭାର ଦୁଇ ପାର୍ଶ୍ଵରେ ହଳ ଓ ମୂଷଳର ଚିହ୍ନ ରହିଅଛି ତଥା ଅନ୍ତିମ ପଟକୁ ମଗର ମୁଣ୍ଡର ଚିହ୍ନ ରହିଅଛି।

ମା ସୁଭଦ୍ରାଙ୍କ ଦେବଦଳନ ରଥର ପ୍ରଭାରେ ଓଲଟ ପଦ୍ମ ଅଙ୍କିତ କରାଯାଇଥାଏ ଓ ଏହାର ଦୁଇ ପାର୍ଶ୍ଵରେ ଜୟା ଓ ବିଜୟା ଚାମର ଏବଂ ଆଲଟ ସେବା ମୁଦ୍ରାରେ ବିରାଜିତ ହୋଇ ରହିଥାଆନ୍ତି । ଜୟା ଓ ବିଜୟା ଗୋଟିଏ ହାତରେ ଯଥାକ୍ରମେ ଚାମର ଓ ଆଲଟ ଧରିଥିବା ବେଳେ ଅନ୍ୟ ହାତକୁ ସୁନ୍ଦର ଠାଣିରେ ରଖିଥାଆନ୍ତି । ପ୍ରଭାର ଉପରି ଭାଗରେ କୀର୍ତ୍ତିମୁଖ ରହିଥିବା ବେଳେ ପ୍ରଭାର ଦୁଇ ପାର୍ଶ୍ଵରେ ପଦ୍ମର ଚିହ୍ନ ରହିଅଛି ଓ ଅନ୍ତିମ ପଟକୁ ମଗର ମୁଣ୍ଡର ଚିହ୍ନ ରହିଅଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପ୍ରଭାରେ ଓଲଟ ପଦ୍ମ ଅଙ୍କିତ କରାଯାଇଥାଏ ଓ ଏହାର ଉଭୟ ପାର୍ଶ୍ଵରେ ବେଦପତି ବ୍ରହ୍ମା ଓ ଇନ୍ଦ୍ର (ସହସ୍ରାକ୍ଷ) ପ୍ରଣତି ମୁଦ୍ରାରେ ରହିଥାଆନ୍ତି । ବେଦପତି ବ୍ରହ୍ମା ନିଜର ଦୁଇ କରକୁ ଯୋଡ଼ି ରଖିଥିବା ବେଳେ ଅନ୍ୟ ଦୁଇ କରରେ ଜପମାଳା ଓ କମଣ୍ଡଳୁ ଧରିଥାଆନ୍ତି । ଦେବରାଜ ଇନ୍ଦ୍ର ମଧ୍ୟ ନିଜର ଦୁଇ କର ଯୋଡ଼ି ରହିଥାଆନ୍ତି । ଆଗରୁ ଦେବରାଜ ଦୁଇ ଆଖି ବିଶିଷ୍ଟ ହୋଇ ରହୁଥିବା ବେଳେ ଏବେ ସହସ୍ରାକ୍ଷ ହୋଇ ନିର୍ମାଣ ହେଉଅଛନ୍ତି । ପ୍ରଭାର ଉପରି ଭାଗରେ କୀର୍ତ୍ତିମୁଖ ରହିଥିବା ବେଳେ ପ୍ରଭାର ଦୁଇ ପାର୍ଶ୍ଵରେ ଚକ୍ର ଓ ଶଙ୍ଖ ଚିହ୍ନ ରହିଅଛି ତଥା ଅନ୍ତିମ ପଟକୁ ମଗର ମୁଣ୍ଡର ଚିହ୍ନ ରହିଅଛି।

©Durgamadhab Mohanty

Sidebar