ପୌରାଣିକ ମତରେ ରଥଯାତ୍ରାର ପ୍ରଚଳନ

ରଥଯାତ୍ରା କହିଲେ ଆମେ ସାଧାରଣତଃ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାକୁ ବୁଝିଥାଉ, ମାତ୍ର ଏହା କେବେଠାରୁ ଆରମ୍ଭ ହେଲା ସେସମ୍ବନ୍ଧରେ ଐତିହାସିକମାନଙ୍କ ମଧ୍ୟରେ ମତଭେଦ ରହିଛି । କିଛି ଐତିହାସିକମାନେ କୁହନ୍ତି ଯେ ଏହି ରଥଯାତ୍ରାର ସମ୍ବନ୍ଧ ବୌଦ୍ଧ ଧର୍ମ ସହିତ ରହିଛି । ମାତ୍ର ସାଧାରଣ ଭାବେ ରଥଯାତ୍ରା ଯେ ହିନ୍ଦୁଧର୍ମର ଏକ ମୌଳିକ ପରିକଳ୍ପନା ଏବଂ ବିଭିନ୍ନ ଦେବାଦେବୀଙ୍କର ମଧ୍ୟ ରଥଯାତ୍ରାର ଆୟୋଜନର ବ୍ୟବସ୍ଥାମାନ ଯେ ହିନ୍ଦୁ ଧର୍ମରେ ରହିଛି, ତାହା ଅନେକଙ୍କୁ ଜଣା ନ ଥିବ । ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା ।

ଭବିଷ୍ୟ ପୁରାଣରେ ଭଗବାନ ଶ୍ରୀକୃଷ୍ଣ ରାଜା ଯୁଧିଷ୍ଠିରଙ୍କୁ କହୁଛନ୍ତି –

ଏକଦା ଚୈତ୍ର ମାସରେ ଦେବତାମାନଙ୍କ ଦ୍ୱାରା ସମାବୃତ ହୋଇ ଭଗବାନ ଶଙ୍କର ମଳୟ ପର୍ବତ ଉପରେ ଶାନ୍ତ ଭାବରେ ବିରାଜମାନ ଥିଲେ । ଏହି ସମୟରେ ଦେବର୍ଷି ନାରଦ ଭୂ-ଲୋକରୁ ନିଜର ପରିଭ୍ରମଣ ଶେଷ କରି ସେଠାରେ ଉପସ୍ଥିତ ହେଲେ । ସେଠାରେ ସେ ଭଗବାନ ଶଙ୍କରଙ୍କୁ ପ୍ରଣାମ କରି ଭୂ-ଲୋକରେ ସେ ଅନୁଭବ କରିଥିବା ବସନ୍ତ ଋତୁର ଅପୂର୍ବ ମହିମା ସମ୍ବନ୍ଧରେ ତାଙ୍କୁ ଅବଗତ କରାଇଲେ । ସେ ବର୍ଣ୍ଣନା କଲେ ଯେ – “ବର୍ତ୍ତମାନ ଭୂ-ଲୋକରେ କାମଦେବଙ୍କ ମିତ୍ର ବସନ୍ତ ଋତୁ ସମଗ୍ର ସଂସାରକୁ ନିଜ ବଶରେ କରିଦେଇଛନ୍ତି । ସେଠାରେ ମନ୍ଦ ମନ୍ଦ ସୁଗନ୍ଧିତ ମଳୟ ପବନ ବହୁଛି । ବସନ୍ତ ଋତୁର ସହଯୋଗୀ ‘କୋକିଳ’ ଓ ‘ଆମ୍ର ମଞ୍ଜରୀ’ ତାଙ୍କୁ ଏ ଦିଗରେ ସହଯୋଗ ପ୍ରଦାନ କରୁଛନ୍ତି । ନଗର ନଗର ଏବଂ ଗ୍ରାମ ଗ୍ରାମରେ ବସନ୍ତ ଋତୁ ଏହା ଘୋଷଣା କରୁଛନ୍ତି କି ଯେ କେବଳ ଏ ସଂସାରର ନୁହେଁ, ବରଂ ତିନି ଲୋକର ସ୍ଵାମୀ ହେଉଛନ୍ତି ସ୍ୱୟଂ କାମଦେବ । ତେଣୁ ହେ ଭଗବାନ ! ତାଙ୍କରି ଶାସନରେ ଲୋକମାନେ ଉନ୍ମତ୍ତ ହେଉଛନ୍ତି । ତେଣୁ ଚୈତ୍ର ମାସର ଏହି ବିଚିତ୍ର ପ୍ରଭାବ ଦେଖି ମୁଁ ଆପଣଙ୍କ ପାଖକୁ ଏହାର ନିରାକରଣ ପାଇଁ ଆସିଅଛି ।”

ଦେବର୍ଷି ନାରଦଙ୍କ ବଚନକୁ ଶୁଣି ଭଗବାନ ଶଙ୍କର ଗନ୍ଧର୍ବ, ଅପ୍ସରା, ମୁନୀଗଣ ଓ ସମସ୍ତ ଦେବତାଙ୍କ ସହିତ ଭୂ-ଲୋକକୁ ଗମନ କଲେ ଓ ତାଙ୍କ କଥାର ତାତ୍ପର୍ଯ୍ୟକୁ ହୃଦୟଙ୍ଗମ କଲେ । ଏହି ସମୟରେ ସେଠାରେ ଉପସ୍ଥିତ ଦେବତାମାନେ ମଧ୍ୟ ବସନ୍ତ ଋତୁର ପ୍ରଭାବରେ ଉନ୍ମତ୍ତ ହୋଇ ଗାୟନ ଓ ବାଦନରେ ରତ ହେଲେ । ଭଗବାନ ଶଙ୍କର ଏହା ଦେଖି ତୁରନ୍ତ ଏହାର ପ୍ରତିକାର ପାଇଁ ଚିନ୍ତା କରିବାକୁ ଲାଗିଲେ । ସେ ଦେବତାମାନଙ୍କୁ ଉନ୍ମତ୍ତତାରୁ ରକ୍ଷା କରିବା ସହିତ ବସନ୍ତ ଋତୁର ସମ୍ମାନକୁ ମଧ୍ୟ ରକ୍ଷା କରିବା ପାଇଁ ଉପାୟର ଚିନ୍ତା କରିବାକୁ ଲାଗିଲେ ।

ତତ୍ପରେ ସେ ବସନ୍ତ ଋତୁକୁ ନିକଟକୁ ଡାକି କହିଲେ – “ବସନ୍ତ ! ତୁମେ କେବଳ ଚୈତ୍ର ମାସରେ ନିଜର ପ୍ରଭାବ ପ୍ରକଟ କର, ଅନ୍ୟ ମାସରେ ନୁହେଁ । ଚୈତ୍ର ମାସର ଶୁକ୍ଳପକ୍ଷରେ ସମସ୍ତ ଜୀବଙ୍କୁ ବିଶେଷ କରି ଦେବତାମାନଙ୍କୁ ସୁଖ ପ୍ରଦାନ କର ।” ଏହାପରେ ସେ ଘୋଷଣା କଲେ ଯେ – “ଯେଉଁ ବ୍ୟକ୍ତି ବସନ୍ତ ଋତୁରେ ରଥଯାତ୍ରା ଉତ୍ସବ କରିବ, ସେ ଏହି ସଂସାରରେ ଦିବ୍ୟ ଭୋଗମାନ ଭୋଗ କରିବା ସହିତ ନୀରୋଗ ରହିବ ।” ଏହା କହି ଭଗବାନ ଶଙ୍କର ସମସ୍ତ ଦେବତାଙ୍କ ସହିତ ନିଜ ଲୋକକୁ ପ୍ରସ୍ଥାନ କଲେ । ବସନ୍ତ ଋତୁ ମଧ୍ୟ ଭଗବାନ ଶଙ୍କରଙ୍କ ଆଜ୍ଞାରେ ବନରେ ବିହାର କରି କରି ଅନ୍ତର୍ଦ୍ଧାନ ହୋଇଗଲେ । ସେହିଦିନଠାରୁ ଭୂ-ଲୋକରେ ରଥଯାତ୍ରା ଉତ୍ସବର ପ୍ରଚାର ପ୍ରସାର ଆରମ୍ଭ ହେଲା ।

ଭଗବାନ ଶ୍ରୀକୃଷ୍ଣ ପୁନର୍ବାର ରାଜା ଯୁଧିଷ୍ଠିରଙ୍କୁ କହିଲେ – “ରାଜନ୍ ! ବର୍ତ୍ତମାନ ଆପଣ ଦେବତାମାନଙ୍କର ରଥଯାତ୍ରା ପାଳନ କରିବା ନିମିତ୍ତ ବିଶେଷ ତିଥିମାନଙ୍କ ସମ୍ବନ୍ଧରେ ବର୍ଣ୍ଣନାକୁ ଶୁଣନ୍ତୁ । ତୃତୀୟା ତିଥିରେ ଗୌରୀଙ୍କର, ଚତୁର୍ଥୀ ତିଥିରେ ଗଣପତିଙ୍କର, ପଞ୍ଚମୀ ତିଥିରେ ଲକ୍ଷ୍ମୀ ଅଥବା ସରସ୍ୱତୀଙ୍କର, ଷଷ୍ଠୀ ତିଥିରେ ସ୍କନ୍ଦଙ୍କର, ସପ୍ତମୀ ତିଥିରେ ସୂର୍ଯ୍ୟଙ୍କର, ଅଷ୍ଟମୀ ଓ ଚତୁର୍ଦ୍ଦଶୀ ତିଥିରେ ଶିବଙ୍କର, ନବମୀ ତିଥିରେ ଚଣ୍ଡିକାଙ୍କର, ଦଶମୀ ତିଥିରେ ବେଦବ୍ୟାସ ଆଦି ଶାନ୍ତଚିତ୍ତ ଋଷି ମହର୍ଷିଙ୍କର, ଏକାଦଶୀ ତଥା ଦ୍ଵାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କର, ତ୍ରୟୋଦଶୀ ତିଥିରେ କାମଦେବଙ୍କର ଓ ପୂର୍ଣ୍ଣିମା ତିଥିରେ ସମସ୍ତ ଦେବତାଙ୍କର ଅର୍ଚ୍ଚନ ପୂଜନ କରିବା ଉଚିତ । ଏହିପ୍ରକାର ଦେବତା ମାନଙ୍କର ନିର୍ଦ୍ଦିଷ୍ଟ ତିଥିରେ ହିଁ ଦମନକୋତ୍ସଵ, ଦୋଳୋତ୍ସଵ ଓ ରଥଯାତ୍ରା ଆଦି ଉତ୍ସବ କରିବା ଆବଶ୍ୟକ । ଏହିପ୍ରକାର ବସନ୍ତ ୠତୁରେ ଉତ୍ସବ କରୁଥିବା ବ୍ୟକ୍ତି ବହୁତ କାଳ ପର୍ଯ୍ୟନ୍ତ ସ୍ୱର୍ଗସୁଖ ଭୋଗ କରି ପୁନଃ ଚକ୍ରବର୍ତ୍ତୀ ରାଜାର ପଦ ଲାଭ କରେ ।”

ଏହିପରିଭାବରେ ଭବିଷ୍ୟ ପୁରାଣରେ ବିଭିନ୍ନ ଦେବାଦେବୀଙ୍କର ବସନ୍ତ ୠତୁର ବିଭିନ୍ନ ତିଥିରେ ରଥଯାତ୍ରା ପାଳନ ବିଧିର ଉଲ୍ଲେଖ ରହିଛି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ ତିଥିଗୁଡିକ ମଧ୍ୟରେ ଅମାବାସ୍ୟା (ପିତୃମାନଙ୍କର ତିଥି), ପ୍ରତିପଦା ଏବଂ ଦ୍ଵିତୀୟା ତିଥିର ଉଲ୍ଲେଖ ନାହିଁ ଏବଂ ପ୍ରତିପଦା ତିଥିରେ (ଆଶ୍ଵିନ ମାସ ଶୁକ୍ଳପକ୍ଷ) ଯାଜପୁରର ମା ବିରଜା ଦେବୀଙ୍କର ରଥଯାତ୍ରା ଓ ଦ୍ଵିତୀୟା ତିଥିରେ (ଆଷାଢ଼ ମାସ ଶୁକ୍ଳପକ୍ଷ) ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଯାହାର ପୌରାଣିକ ଭିତ୍ତିଭୂମି ପରବର୍ତ୍ତୀ ଆଲେଖ୍ୟଟିରେ ଉପସ୍ଥାପନ କରାଯିବ । ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ।

ଧନ୍ୟବାଦ ! ଜୟ ଜଗନ୍ନାଥ !

Sidebar