ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିରର ରୂପରେଖ

ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର। ଯଦିଓ ଇତିହାସ କହେ ଯେ ଏହା ପ୍ରାୟ ଏକ ହଜାର ବର୍ଷର ପୁରୁଣା ମନ୍ଦିର, ତେବେ ପୌରାଣିକ ଦୃଷ୍ଟିକୋଣରୁ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ସତ୍ୟ ଯୁଗ ସମୟର ମନ୍ଦିର। ତେବେ ସତ୍ୟଯୁଗରେ ନିର୍ମିତ ମନ୍ଦିରର ରୂପରେଖ ସହିତ ଆଜିର ମନ୍ଦିରର ରୂପରେଖରେ ଅନେକ ଅସାମଞ୍ଜସ୍ୟ ରହିଛି। ତେଣୁ ବର୍ତ୍ତମାନର ମନ୍ଦିରକୁ ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିର ବୋଲି ଗ୍ରହଣ କରାଯାଇନପାରେ। ପୁରାଣର ପୃଷ୍ଠା ମଧ୍ୟ ଏ ସମ୍ବନ୍ଧରେ ନୀରବ ଯେ ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିର କେତେଦିନ ଧରି ତିଷ୍ଠି ରହିଥିଲା କିମ୍ବା ପରବର୍ତ୍ତୀ ଶ୍ରୀଜଗନ୍ନାଥ ମନ୍ଦିର ପୁନଶ୍ଚ କେବେ ବା କାହାଦ୍ୱାରା ନିର୍ମିତ ହୋଇଥିଲା। ଐତିହାସିକ ଦୃଷ୍ଟିକୋଣରୁ ମଧ୍ୟ ବର୍ତ୍ତମାନର ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ ପୂର୍ବରୁ, ଏକ କିମ୍ବା ଏକାଧିକ ଶ୍ରୀଜଗନ୍ନାଥ ମନ୍ଦିରର ଅବସ୍ଥିତିକୁ ଏଡାଇ ଦିଆଯାଇନପାରେ। ଐତିହାସିକ ମାନେ କୁହନ୍ତି, ବର୍ତ୍ତମାନର ଶ୍ରୀଜଗନ୍ନାଥ ମନ୍ଦିର ଚୋଡଗଙ୍ଗ ଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା ତଥା ଏହାର ନିର୍ମାଣର ଶେଷ ତୃତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ହୋଇଥିଲା। ଐତିହାସିକଙ୍କ ବର୍ଣ୍ଣନା ଅନୁସାରେ ବର୍ତ୍ତମାନର ମନ୍ଦିର ପୂର୍ବରୁ ମଧ୍ୟ ଯଯାତି କେଶରୀଙ୍କ ଦ୍ୱାରା ଏକ ଅଣତିରିଶି ହାତର କ୍ଷୁଦ୍ର ମନ୍ଦିର ଶ୍ରୀଜଗନ୍ନାଥଙ୍କ ନିମିତ୍ତ ନିର୍ମିତ ହୋଇଥିଲା। ଏବଂ ଏହା ପୂର୍ବରୁ ମଧ୍ୟ ଏକ ମନ୍ଦିର ସେଠାରେ ଅବସ୍ଥିତ ଥିଲା, ଯାହାକି ଭାଙ୍ଗିରୁଜି ଯାଇଥିବାରୁ ଯଯାତିଙ୍କ ଦ୍ୱାରା ଏକ ନୂତନ ମନ୍ଦିରର ନିର୍ମାଣର ଆବଶ୍ୟକତା ପଡିଥିଲା। ଏବେ ଆସନ୍ତୁ ଆମେ ଆହୁରି ଅତୀତକୁ ଫେରିଯିବା ଯେତେବେଳେକି ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ କରାଯାଉଥିଲା।

ବର୍ତ୍ତମାନର ଶ୍ରୀଜଗନ୍ନାଥ ମନ୍ଦିରର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ନିଶ୍ଚିତ ଭାବେ ପ୍ରଶଂସନୀୟ, ତେବେ ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିରର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଅତୁଳନୀୟ ଥିଲା ଯାହାର ବର୍ଣ୍ଣନା ସ୍କନ୍ଦ ପୁରାଣରେ ଦେଖିବାକୁ ମିଳେ। ସ୍କନ୍ଦ ପୁରାଣର ବର୍ଣ୍ଣନା ଅନୁଯାୟୀ ରାଜା ଇନ୍ଦ୍ରଦ୍ୟୁମ୍ନ, ଭଗବାନ ବିଷ୍ଣୁଙ୍କ ଦର୍ଶନର ଅଭିଳାଷ ରଖି ଏକ ହଜାର ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ ନିର୍ଭୁଲ ଓ ନିଷ୍ଠାର ସହିତ କରିଥିଲେ ଓ ଭଗବାନ ବିଷ୍ଣୁଙ୍କ ଦର୍ଶନ ଲାଭ କରିଥିଲେ। ତତ୍ପରେ ତାଙ୍କୁ ଶୁନ୍ୟବାଣୀ ଦ୍ଵାରା ନିର୍ଦେଶ ମିଳିଲା ନୀଳାଚଳ (ନୀଳଗିରି) ଉପରେ ଏକ ସମତୁଲ ସ୍ଥାନରେ ଯାହାକି କଲ୍ପବୃକ୍ଷର ଉତ୍ତରପଶ୍ଚିମ ଦିଗରେ ୧୦୦ ହାତ ଦୂରରେ ତଥା ଶ୍ରୀନୃସିଂହଙ୍କ ଉତ୍ତର ଦିଗରେ ଅବସ୍ଥିତ, ସେଠାରେ ଏକହଜାର ହାତର ଏକ ବିଶେଷ ମନ୍ଦିର ନିର୍ମାଣ କରିବାକୁ ଯେଉଁଥିରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସ୍ଥାପିତ କରାଯିବ।

ଏହା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗିପଡିଲେ। ଏଥିପାଇଁ ସେ, ସେସମୟର ବିଖ୍ୟାତ ଶିଳ୍ପୀ ମାନଙ୍କୁ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିଥିଲେ ଓ ଏହି କାର୍ଯ୍ୟକୁ ଅତ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାର ସହ ତଦାରଖ ମଧ୍ୟ କରିଥିଲେ। ଅତି ଅଳ୍ପ ସମୟ ମଧ୍ୟରେ ମନ୍ଦିରର ଚୁଡା ଏତେ ଉର୍ଦ୍ଧ୍ବକୁ ଉଠିଗଲା ଯେ ତାହାକୁ ମୁଣ୍ଡ ଟେକି ଦେଖିବା ମଧ୍ୟ କଷ୍ଟସାଧ୍ୟ ହୋଇଉଠିଲା। ସେତେବେଳର ସମସ୍ତ ରାଜାମାନେ ମଧ୍ୟ ମନ୍ଦିର ନିର୍ମାଣ ନିମିତ୍ତ ମୁକ୍ତ ହସ୍ତରେ ଦାନ ତଥା ସହଯୋଗ ପ୍ରଦାନ କରିଥିଲେ। ଏହି ମନ୍ଦିର ଚତୁର୍ଦିଗରୁ ଅକାଶଚୁମ୍ବି ହୋଇଥିଲା। ମନ୍ଦିରଟି ସୁନା ତଥା ମୂଲ୍ୟବାନ ରତ୍ନ ଦ୍ୱାରା ଆଚ୍ଛାଦିତ ହୋଇଥିଲା। ମନ୍ଦିର ଗାତ୍ରରେ ସ୍ଥାନେ ସ୍ଥାନେ ସ୍ଥାପିତ ସ୍ଫଟିକ ପଥର ତଥା କଳା ପଥରଗୁଡିକ ଶରତ ଋତୁର ଧଳା ବାଦଲ ତଥା ଆକାଶରେ ଦେଖାଯାଉଥିବା କଳା ବାଦଲର ଭ୍ରମ ସୃଷ୍ଟି କରୁଥିଲା। ଶିଳ୍ପଶାସ୍ତ୍ର ଅନୁସାରେ ଏହି ମନ୍ଦିରରେ ସ୍ୱତନ୍ତ୍ର ପଥର ଗୁଡ଼ିକୁ ଲଗାଯାଇଥିଲା ଯାହାକି ମନ୍ଦିରକୁ ବଜ୍ରାଘାତ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିପାରିବ। ଏହି ମୂଲ୍ୟବାନ ପଥରସବୁ ରାଜା ନିଜେ ସ୍ୱୟଂ ଧାର୍ମିକ ଉପାୟ ଦ୍ୱାରା ଉପାର୍ଜନ କରିଥିଲେ। ଶେଷରେ ଏହି ମହାନ ମନ୍ଦିରର ନିର୍ମାଣ କାର୍ଯ୍ୟର ଅନ୍ତ ଘଟିଲା ଏବଂ ରାଜା ଇନ୍ଦ୍ରଦ୍ୟୁମ୍ନ ମହର୍ଷି ନାରଦଙ୍କୁ କହିଲେ ଯେ ଏହି ମହାନ କାର୍ଯ୍ୟ କେବଳ ପ୍ରଭୁଙ୍କ ଆଶୀର୍ବାଦ ଦ୍ୱାରା ସଂପନ୍ନ ହୋଇଛି, କାରଣ ଏପରି କାର୍ଯ୍ୟ ଦେବତା ଏବଂ ଦାନବଙ୍କ ପାଇଁ ମଧ୍ୟ ସମ୍ପନ୍ନ କରିବା ଅସମ୍ଭବ।

ଉପରୋକ୍ତ ବର୍ଣ୍ଣନା ଯଦିଓ ଆଶ୍ଚର୍ଯ୍ୟଜନକ, ତେବେ ଏହାର ସତ୍ୟାସତ୍ୟ ପ୍ରମାଣ କରିବା ବର୍ତ୍ତମାନ ପକ୍ଷେ ଅସମ୍ଭବ। ଏହା ଶ୍ରୀଜଗନ୍ନାଥଙ୍କ ଲୀଳା ଭଳି ଅଲୌକିକ। ତେବେ ଯଦି ଭବିଷ୍ୟତରେ କୌଣସି ପ୍ରତ୍ନତାତ୍ତ୍ୱିକ ଗବେଷଣା କରାଯାଏ, କିଏ କହିବ, ହୁଏତ ସମୁଦ୍ରରେ ବୁଡିଯାଇଥିବା ଦ୍ୱାରକାପୁରୀ କିମ୍ବା ରାମସେତୁର ପୁନଃଆବିଷ୍କାର ପରି ଏହି ସର୍ବପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିରର ସତ୍ୟତା ମଧ୍ୟ ଲୋକଲୋଚନକୁ ଆସିବ। ତେବେ ସବୁ ସେଇ ମହାପ୍ରଭୁଙ୍କ ଇଛା!

ଜୟ ଜଗନ୍ନାଥ!

[ଆଲେଖ୍ୟଟି ଶ୍ରୀଯୁକ୍ତ ପ୍ରଶାନ୍ତ ମିଶ୍ରଙ୍କ ଦ୍ୱାରା ଲିଖିତ ଇଂରାଜୀ ଆଲେଖ୍ୟରୁ ଅନୁବାଦିତ ଓ ସ୍କନ୍ଦ ପୁରାଣ ଉପରେ ଆଧାରିତ]

Sidebar