ଗୁରୁ ନାନକଙ୍କ ରଚିତ ଆରତୀ ଓ ଶ୍ରୀଜଗନ୍ନାଥ

ଭକ୍ତି ଆନ୍ଦୋଳନର ସମୟ । ୧୬ଶ ଶତାବ୍ଦୀର ପ୍ରାରମ୍ଭିକ ଭାଗ । ଏକଦା ଗୁରୁ ନାନକ ଶ୍ରୀଜଗନ୍ନାଥଙ୍କର ଦର୍ଶନ ନିମିତ୍ତ ଶ୍ରୀକ୍ଷେତ୍ର ପରିଭ୍ରମଣ (ଉଦାସୀ)ରେ ଆସିଥାନ୍ତି । ସେ ଯଦିଓ ଭକ୍ତି ମାର୍ଗର ପ୍ରଚାରକ ଥିଲେ ତେବେ ସେ ଈଶ୍ୱରଙ୍କ ସାକାର ସ୍ୱରୂପ ଓ ବାହ୍ୟ ଅର୍ଚ୍ଚନାର ପକ୍ଷପାତୀ ନଥିଲେ । ମାତ୍ର ସେ ଯେତେବେଳେ ଶ୍ରୀଜଗନ୍ନାଥଙ୍କୁ ପ୍ରଥମ ଥର ପାଇଁ ଦେଖିଲେ, ସେତେବେଳେ ସେ ଭାବିଲେ – “ପ୍ରଭୁଙ୍କର ଏ କି ଅଦ୍ଭୁତ ରୂପ ! ପ୍ରଭୁ ଜଗନ୍ନାଥ ନା ସାକାର ଅଟନ୍ତି ନା ନିରାକାର !” ପ୍ରଭୁଙ୍କର ଏହି କିମାକାର (କେଉଁ ଆକାର) ରୂପକୁ ଦେଖି ସେ ଆଶ୍ଚର୍ଯ୍ୟଚକିତ ହେଲେ ଓ ପ୍ରଭୁଙ୍କ ପ୍ରତି ତାଙ୍କ ମନରେ ଗଭୀର ଭକ୍ତି ଭାବ ଜାଗ୍ରତ ହେଲା । ସେ ନିଜସ୍ୱ ଶୈଳୀରେ ବସି ରହି ପ୍ରଭୁଙ୍କର ନାମକୀର୍ତ୍ତନ କରିବାକୁ ଲାଗିଲେ ।

ଏହା ମଧ୍ୟରେ ଶ୍ରୀଜଗନ୍ନାଥଙ୍କର ଆରତୀ ସମୟ ଉପନୀତ ହେଲା । ସୁଗନ୍ଧିତ ପୁଷ୍ପ, ଧୂପ, ଦୀପ ଆଦିରେ ସଜ୍ଜିତ ଦିବ୍ୟ ଥାଳି ତଥା ପ୍ରଭୁଙ୍କର ମାଙ୍ଗଳିକ ଆରତୀର ଧ୍ୱନି ମଧ୍ୟରେ ଗୁରୁ ନାନକ ଅନ୍ତର୍ମୁଖୀ ହୋଇଯାଇଥିଲେ ଏବଂ ତାଙ୍କର ଚକ୍ଷୁରୁ ଅବିରତ ଭାବେ ଆନନ୍ଦାଶ୍ରୁ ନିର୍ଗତ ହେବାକୁ ଲାଗିଲା । ପ୍ରଭୁଙ୍କର ଭକ୍ତିରେ ସେ ଏପରି ମଜ୍ଜି ଯାଇଥିଲେ ଯେ ସେ ଅନ୍ୟ ଭକ୍ତମାନଙ୍କ ପରି ପ୍ରଭୁଙ୍କୁ ଦଣ୍ଡାୟମାନ ଅବସ୍ଥାରେ ଦର୍ଶନ ଓ ତାଙ୍କର ନାମକୀର୍ତ୍ତନ କରି ନପାରି ପୂର୍ବବତ୍ ଅନ୍ତର୍ମୁଖୀ ହୋଇ ବସି ରହିଥିଲେ । ଯେତେବେଳେ ସେ ପ୍ରକୃତିସ୍ଥ ହେଲେ, ଉପସ୍ଥିତ କିଛି ସେବକ ତାଙ୍କୁ ଆରତୀ ସମୟରେ ଦଣ୍ଡାୟମାନ ନ ହୋଇ ବସି ରହିଥିବାର କାରଣ ସମ୍ପର୍କରେ ପଚାରନ୍ତେ “ଶ୍ରୀଜଗନ୍ନାଥ କେବଳ ଦାରୁ ମୂର୍ତ୍ତି ମଧ୍ୟରେ ସୀମିତ ନୁହଁନ୍ତି, ସେ ସର୍ବବ୍ୟାପୀ” ଉକ୍ତିଟିର ଯଥାର୍ଥତାକୁ ସିଦ୍ଧ କରିବା ନିମିତ୍ତ ତାଙ୍କ ମୁଖରୁ ନିମ୍ନ ପଦ୍ୟାବଳୀ ସମୂହ ଉଚ୍ଚାରିତ ହେଲା –

ଗଗନ ମୈ ଥାଲୁ ରବି ଚନ୍ଦୁ ଦୀପକ ବନେ ତାରିକା ମଣ୍ଡଲ ଜନକ ମୋତି ।।
[ସମ୍ପୂର୍ଣ୍ଣ ଗଗନ ରୂପୀ ଥାଳିରେ ସୂର୍ଯ୍ୟ ଓ ଚନ୍ଦ୍ର ଦୀପ ସଦୃଶ ଏବଂ ତାରକା ମାନଙ୍କର ସମୂହ ମୋତି ସଦୃଶ ବିଦ୍ୟମାନ ।]

ଧୂପୁ ମଲଆନଲୋ ପବଣୁ ଚଵରୋ କରେ ସଗଲ ବନରାଇ ଫୁଲନ୍ତ ଜୋତି ।।
[ମଳୟ ପର୍ବତ ଦିଶାରୁ ଆସୁଥିବା ଚନ୍ଦନର ସୁଗନ୍ଧ ହିଁ ଧୂପ ସଦୃଶ; ବାୟୁ ଚାମର ସଦୃଶ ଏବଂ ପ୍ରସ୍ଫୁଟିତ ହୋଇଥିବା ସମସ୍ତ ପୁଷ୍ପ ଓ ବନସ୍ପତିର ସମାହାର, ଜ୍ୟୋତି ରୂପକ ଆପଣଙ୍କର (ପ୍ରଭୁଙ୍କର) ଆରତୀ ପାଇଁ ହିଁ ସମର୍ପିତ ।]

କୈସୀ ଆରତୀ ହୋଇ ଭଵ ଖଣ୍ଡନା ତେରୀ ଆରତୀ ।।
[ହେ ଭଵ ଖଣ୍ଡନ (ଜୀବର ଜନ୍ମ-ମୃତ୍ୟୁର ନିରନ୍ତରତାର ନାଶକାରୀ) ! ପ୍ରକୃତିରେ ଘଟୁଥିବା ଆପଣଙ୍କର ଏହି ଆରତୀର ଭବ୍ୟତା କେଉଁ ପ୍ରକାରରେ ବର୍ଣ୍ଣନା କରାଯାଇପାରିବ !]

ଅନହତା ସବଦ ଵାଜନ୍ତ ଭେରୀ ।।
[ସମସ୍ତ ଜୀବମାନଙ୍କର ଅନ୍ତରରେ ଅନୁଭୁତ ହେଉଥିବା ଅନାହତ ଶବ୍ଦ/ଧ୍ୱନି ଯେପରି ଭେରୀ ସଦୃଶ ବାଜୁଅଛି !]

ସହସ ତଵ ନୈନ ନନ ନୈନ ହୈ ତୋହି କଉ ସହସ ମୂରତି ନନା ଏକ ତୋହି ।।
[ଆପଣ (ସଗୁଣ ବ୍ରହ୍ମ)ଙ୍କର ସହସ୍ର ନୟନ, ହେଲେ ଆପଣ (ନିର୍ଗୁଣ ବ୍ରହ୍ମ)ଙ୍କର ଗୋଟିଏ ମଧ୍ୟ ନୟନ ନାହିଁ । ଆପଣ (ସଗୁଣ ବ୍ରହ୍ମ)ଙ୍କର ସହସ୍ର ରୂପ, ହେଲେ ଆପଣ (ନିର୍ଗୁଣ ବ୍ରହ୍ମ)ଙ୍କର ଗୋଟିଏ ମଧ୍ୟ ରୂପ ନାହିଁ ।]

ସହସ ପଦ ବିମଲ ନନ ଏକ ପଦ ଗନ୍ଧ ବିନୁ ସହସ ତଵ ଗନ୍ଧ ଇଵ ଚଲତ ମୋହି ।।
[ଆପଣ (ସଗୁଣ ବ୍ରହ୍ମ)ଙ୍କର ସହସ୍ର ଚରଣ, ହେଲେ ଆପଣ (ନିର୍ଗୁଣ ବ୍ରହ୍ମ)ଙ୍କର ଗୋଟିଏ ମଧ୍ୟ ଚରଣ ନାହିଁ । ଆପଣ (ନିର୍ଗୁଣ ବ୍ରହ୍ମ) ନାସିକା ବିହୀନ, ହେଲେ ଆପଣ (ସଗୁଣ ବ୍ରହ୍ମ)ଙ୍କର ସହସ୍ର ନାସିକା । ମୁଁ ଆପଣଙ୍କର ଏହି ଆଶ୍ଚର୍ଯ୍ୟଜନକ ସ୍ୱରୂପରେ ମୋହିତ !]

ସଭ ମହି ଜୋତି ଜୋତି ହୈ ସୋଇ ।।
[ସୃଷ୍ଟିର ସକଳ ପ୍ରାଣୀଙ୍କ ମଧ୍ୟରେ ଦିବ୍ୟ ଜ୍ୟୋତି ବିଦ୍ୟମାନ । ଆପଣ ହିଁ ହେଉଛନ୍ତି ସେହି ଦିବ୍ୟ ଜ୍ୟୋତି ।]

ତିସ କୈ ଚାନଣି ସଭ ମହି ଚାନଣୁ ହୋଇ ।।
[ଆପଣଙ୍କ ପ୍ରକାଶ ମାଧ୍ୟମରେ ହିଁ ସମସ୍ତ ପ୍ରାଣୀ ପ୍ରକାଶିତ ।]

ଗୁର ସାଖୀ ଜୋତି ପରଗଟୁ ହୋଇ ।।
[କେବଳ ଗୁରୁଙ୍କର ଉପଦେଶ ଦ୍ୱାରା ହିଁ ଏହି ଜ୍ୟୋତିର ବୋଧ ହୋଇଥାଏ ।]

ଜୋ ତିସୁ ଭାବୈ ସୁ ଆରତୀ ହୋଇ ।।
[ଯାହା ତାଙ୍କୁ (ଈଶ୍ୱରଙ୍କୁ) ଭଲ ଲାଗେ, ତାହା ହିଁ ତାଙ୍କର ଆରତୀ ହୋଇଯାଏ ।]

ହରି ଚରଣ କମଲ ମକରନ୍ଦ ଲୋଭିତ ମନୋ ଅନଦିନୋ ମୋହି ଆହୀ ପିଆସା ।।
[ମୋର ମନ, ହରି ଚରଣ କମଳ ମକରନ୍ଦ ପାଇଁ ଲାଳାୟିତ ଏବଂ ଦିନରାତି ଏହି ରସପାନ ନିମିତ୍ତ ହିଁ ମୋର ତୃଷ୍ଣା ରହିଥାଏ ।]

କ୍ରିପା ଜଲୁ ଦେହି ନାନକ ସାରିଙ୍ଗ କଉ ହୋଇ ଜା ତେ ତେରୈ ନାମି ଵାସା ।।
[କୃପା କରି କୋକିଳ ରୂପକ ଏହି ନାନକକୁ ଆପଣଙ୍କର ଦିବ୍ୟକୃପା ରୂପକ ଜଳ ଦିଅନ୍ତୁ, ଯଦ୍ବାରା କି ମୁଁ ଆପଣଙ୍କର ନାମ (ଜପ)ରେ ମଜ୍ଜି ରହେ ।]

ଗୁରୁ ନାନକଙ୍କର ଉକ୍ତ ପଦ୍ୟାବଳୀ ବା ଦିବ୍ୟ ଆରତୀ ଶ୍ରବଣ କରି ଉପସ୍ଥିତ ସେବକ, ସାଧୁ ଓ ଭକ୍ତଗଣ ଆଚମ୍ବିତ ହେଲେ ଏବଂ ଅନୁଭବ କଲେ ଯେ ଗୁରୁ ନାନକ ନିଜର ହୃଦୟର ଗମ୍ଭୀରା ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ସ୍ଥାପିତ କରିସାରିଛନ୍ତି ।

ଗୁରୁ ନାନକଙ୍କର ଏହି ଆରତୀ ଶିଖମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ‘ଶ୍ରୀଗୁରୁ ଗ୍ରନ୍ଥ ସାହିବ’ରେ ସ୍ଥାନ ପାଇଛି । ଏହା ‘ଶ୍ରୀଗୁରୁ ଗ୍ରନ୍ଥ ସାହିବ’ର ୧୩ ନମ୍ବର ଓ ୬୬୩ ନମ୍ବର ପୃଷ୍ଠାରେ (କିଛିଟା ଭିନ୍ନତା ମଧ୍ୟରେ) ସ୍ଥାନିତ । ପ୍ରତିଦିନ ଅମୃତସରସ୍ଥ ସ୍ୱର୍ଣ୍ଣ ମନ୍ଦିର ତଥା ପ୍ରାୟ ସମସ୍ତ ଗୁରୁଦ୍ୱାରା ସାହିବ ଠାରେ ଗୁରୁ ନାନକଙ୍କ ରଚିତ ଏହି ଆରତୀ ବିନା ବାହ୍ୟ ପୂଜାର୍ଚ୍ଚନାରେ ପାଠ କରାଯାଇଥାଏ ଏବଂ ଏହାର ଶ୍ରବଣ ସମୟରେ ଭଗବାନଙ୍କର ଦିବ୍ୟ ସ୍ୱରୂପର ଉପଲବ୍ଧି ହୋଇଥାଏ ଯାହାକୁକି ଦିନେ ଗୁରୁ ନାନକ ଶ୍ରୀଜଗନ୍ନାଥଙ୍କର ଦର୍ଶନ ଓ ଆରତୀ ସମୟରେ ଉପଲବ୍ଧି କରିଥିଲେ ।

ଜୟ ଜଗନ୍ନାଥ ! ୧ଓଁକାର ସତିଗୁର ପ୍ରସାଦି !

[ସଂଲଗ୍ନ ଚିତ୍ର ସୌଜନ୍ୟ : https://thedrunkenwisdom.wordpress.com/tag/guru-nanak/]

ସହାୟକ ଉତ୍ସ : ?
୧) http://www.gurugranthdarpan.net/hindi/0013.html
୨) https://www.shivpreetsingh.com/2013/04/an-acoustic-recording-of-guru-nanaks.html?m=1
୩) https://en.m.wikipedia.org/wiki/Gagan_mein_thaal
୪) https://gurugranthsahibtranslation.wordpress.com/pageno663/
୫)https://www.dekho-ji.com/sggs-663
୬) https://www.sikhiwiki.org/index.php/Guru_Nanak_at_Puri
୭) https://www.sikhiwiki.org/index.php/Guru_Nanak_%26_Lord_Jagannath
୮) https://hi.m.wikipedia.org/wiki/%E0%A4%97%E0%A4%97%E0%A4%A8_%E0%A4%AE%E0%A5%88_%E0%A4%A5%E0%A4%BE%E0%A4%B2
୯) The Jagannath Temple and the Sikh Arti (Sj. Anil Dhir, Odisha Review, February-March 2012)

Sidebar