କିପରି ଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ପ୍ରଭୁ ଶ୍ରୀନୀଳମାଧବଙ୍କର ଆସ୍ଥାନ ?

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ଥିଲେ ପ୍ରଭୁ ଶ୍ରୀନୀଳମାଧବ ଯେକି ଉତ୍କଳ ପ୍ରଦେଶର ପୁରୁଷୋତ୍ତମ କ୍ଷେତ୍ରରେ, ନୀଳଗିରି ନାମକ ପର୍ବତ ଶିଖରରେ ବିରାଜମାନ କରିଥିଲେ । ଶ୍ରୀନୀଳମାଧବଙ୍କ ଦର୍ଶନ ଓ ପୂଜା ନିମନ୍ତେ ଈନ୍ଦ୍ରାଦି ଦେବଗଣ ପ୍ରତ୍ୟହ ଉପଚାର ସହିତ ଆସୁଥିଲେ ଓ ତାଙ୍କୁ ଭକ୍ତିପୂର୍ବକ ସ୍ତୁତି, ନମସ୍କାରାଦି କରୁଥିଲେ । ପୁନଃ ଗୀତ, ବାଦ୍ୟ ଓ ନୃତ୍ୟ ଦ୍ୱାରା ଶ୍ରୀନୀଳମାଧବଙ୍କୁ ସନ୍ତୁଷ୍ଟ କରି ସେମାନେ ନିଜ ଲୋକ ଅଭିମୁଖେ ପ୍ରସ୍ଥାନ କରୁଥିଲେ । ଦେବଗଣଙ୍କ ଦ୍ୱାରା ଅର୍ପିତ ଏହି ପ୍ରସାଦର ସେବନ ଦ୍ୱାରା ସାଧାରଣ ଜୀବ ଜରା ଓ ବ୍ୟାଧି ଉପରେ ବିଜୟ ଲାଭ କରି ମରଣାନ୍ତ ମୁକ୍ତି ଲାଭ କରୁଥିଲେ ତଥା ପ୍ରଭୁ ଶ୍ରୀନୀଳମାଧବଙ୍କ ପ୍ରତ୍ୟକ୍ଷ ଦର୍ଶନ ମାତ୍ରକେ ହିଁ ସାଯୁଯ୍ୟ ମୁକ୍ତି ଲାଭ କରୁଥିଲେ । ତେବେ ଆମ ମନରେ ସ୍ୱୟଂ ଏକ କୌତୁହଳ ଜାତ ହୁଏ ଯେ ପ୍ରଭୁ ଶ୍ରୀନୀଳମାଧବଙ୍କର ଆସ୍ଥାନଟି କିପରି ଥିଲା । ଆସନ୍ତୁ ଏବେ ସେ ସମ୍ବନ୍ଧରେ ଜାଣିବା ।

ସୃଷ୍ଟି ଓ ପ୍ରଳୟ ଦ୍ୱାରା ମଧ୍ୟ ଆକ୍ରାନ୍ତ ହେଉନଥିବା, ଶ୍ରୀଲକ୍ଷ୍ମୀନାରାୟଣଙ୍କର ନିତ୍ୟ ନିବାସସ୍ଥଳୀ ପୁରୁଷୋତ୍ତମ କ୍ଷେତ୍ର ସମୁଦ୍ରର ଉତ୍ତର ତଟ ତଥା ମହାନଦୀର ଦକ୍ଷିଣ ଭାଗରେ ଅବସ୍ଥିତ ଥିଲା । ଏକଦା ଏହି ପୁରୁଷୋତ୍ତମ କ୍ଷେତ୍ର ଚାରିଦିଗରୁ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ଏବଂ ଏହି କ୍ଷେତ୍ରର ନାଭି ଥିଲା ନୀଳାଚଳ ବା ନୀଳଗିରି ନାମକ ପର୍ବତ । ଏହା ତୀର୍ଥରାଜ ମହୋଦଧି ତଟରେ ଚାରିଦିଗରୁ ସୁବର୍ଣ୍ଣମୟୀ ବାଲୁକା ରାଶି ଦ୍ୱାରା ଆବୃତ ଥିଲା । ଏହାର ପରିସୀମା ଥିଲା ପାଞ୍ଚ କୋସ । ଏହାର ଶିଖରକୁ ଯିବା ନିମିତ୍ତ କଣ୍ଟକିତ ଓ ଶିଳା ଖଣ୍ଡରେ ପରିପୂର୍ଣ୍ଣ ଏକ ଦୁର୍ଗମ ମାର୍ଗ ଥିଲା । ଏହି ନୀଳଗିରି ପର୍ବତ ଶିଖରରେ ଏକ କୋସ ପ୍ରସ୍ଥ ବିଶିଷ୍ଟ ଏକ ସୁଉଚ୍ଚ ମହାନ କଳ୍ପବଟ ଥିଲା ଯାହା ପ୍ରଳୟ କାଳରେ ମଧ୍ୟ ସ୍ଥିର ରହୁଥିଲା । ଏହା ଫଳପୁଷ୍ପ ହୀନ ତଥା ପଲ୍ଲବ ଦ୍ୱାରା ସୁଶୋଭିତ ଥିଲା ତଥା ଏହାର ଛାୟାରେ ଆଶ୍ରିତ ମନୁଷ୍ୟ ବ୍ରହ୍ମହତ୍ୟା ଦୋଷରୁ ମଧ୍ୟ ମୁକ୍ତି ଲାଭ କରୁଥିଲା । ଏହି କଳ୍ପବଟର ପଶ୍ଚିମରେ ରୌହିଣ ନାମକ ଏକ ଜଳପୂର୍ଣ୍ଣ କୁଣ୍ଡ ଥିଲା ଯାହା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ନୀଳ ପ୍ରସ୍ତରର ପାହାଚ ଥିଲା । ପାପ ରାଶିର ସଂହାର କରୁଥିବା ପବିତ୍ର ଜଳ ଦ୍ୱାରା ପରିପୂର୍ଣ୍ଣ ଏହି କୁଣ୍ଡ ଅତ୍ୟନ୍ତ ମନୋରମ ଥିଲା । ଏହି କୁଣ୍ଡ ସମସ୍ତ ଜଳର ଉତ୍ପତ୍ତିର କାରଣଭୂତ ମହାତୀର୍ଥ ଥିଲା ଯେଉଁଥିରେ ସ୍ନାନ କରିବା ମାତ୍ରେ ଜୀବ ବୈକୁଣ୍ଠକୁ ଗମନ କରୁଥିଲା । ରୌହିଣ କୁଣ୍ଡର ବହିର୍ଭାଗରେ ଚାରି ଦିଗରେ ସ୍ଫଟିକ ମଣିରେ ନିର୍ମିତ ଚାରିଗୋଟି ବେଦୀ ଥିଲା । କୁଣ୍ଡର ପୂର୍ବ ଦିଗରେ ଯେଉଁ ବେଦୀ ଥିଲା, ତାହାର ମଧ୍ୟ ଭାଗରେ ଶଙ୍ଖ-ଚକ୍ର-ଗଦା-ପଦ୍ମଧାରୀ ଇନ୍ଦ୍ରନୀଳମଣିମୟ ଭଗବାନ ଶ୍ରୀନୀଳମାଧବ ଦେବୀ ଲକ୍ଷ୍ମୀଙ୍କ ସହିତ ବିରାଜମାନ କରିଥିଲେ ।

ଏହି ଶ୍ରୀନୀଳମାଧବଙ୍କର ଦର୍ଶନ ନିମନ୍ତେ ଅବନ୍ତୀ ପ୍ରଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ପୁରୁଷୋତ୍ତମ କ୍ଷେତ୍ରକୁ ଆଗତ ହୁଅନ୍ତେ, ପୂର୍ବରୁ ମହାପ୍ରଭୁ ଯମରାଜଙ୍କୁ ଦେଇଥିବା ବଚନ ଅନୁଯାୟୀ ଶ୍ରୀନୀଳମାଧବଙ୍କ ବିଗ୍ରହ ଅନ୍ତର୍ହିତ ହୋଇଯାଇଥିଲେ ଏବଂ ମହାପ୍ରଭୁଙ୍କ ଆକାଶବାଣୀ ଅନୁସାରେ ତାଙ୍କର ଦାରୁ ବିଗ୍ରହ (ଚତୁର୍ଦ୍ଧା ମୂର୍ତ୍ତି)ଙ୍କର ନିର୍ମାଣ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ଵାରା ସମ୍ପାଦିତ ହୋଇ ସେହି ନୀଳଗିରି ପର୍ବତର ଏକ ସମତଳ ସ୍ଥାନରେ ଏକ ନବନିର୍ମିତ ମନ୍ଦିରରେ ପ୍ରତିଷ୍ଠିତ ହୋଇଥିଲେ । ସେହିଦିନଠାରୁ ମହାପ୍ରଭୁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପୂଜାର୍ଚ୍ଚନା ଆଜି ପର୍ଯ୍ୟନ୍ତ ଚାଲିଆସୁଅଛି ।

ସତରେ ମହାପ୍ରଭୁଙ୍କ ଲୀଳା କେତେ ଅଦ୍ଭୁତ ! ଏହିପରି ମହାପ୍ରଭୁ ତାଙ୍କର ଦିବ୍ୟ ଲୀଳା ମାଧ୍ୟମରେ ଭକ୍ତଜନଙ୍କୁ ସଦା ଆନନ୍ଦିତ କରି ରଖିଥାନ୍ତୁ ଏହାହିଁ ତାଙ୍କ ଶ୍ରୀପୟରରେ ପ୍ରାର୍ଥନା ।

ଜୟ ଜଗନ୍ନାଥ !

Sidebar