ଶ୍ରୀକ୍ଷେତ୍ରରେ ସମୁଦ୍ର କାହିଁକି କୂଳ ଲଙ୍ଘନ କରେ ନାହିଁ

ମହୋଦଧି ବା ସମୁଦ୍ର ଉପକୂଳରେ ଅବସ୍ଥିତ ଥିବାରୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ଅନେକ ସମୟରେ ଭୟଙ୍କର ବାତ୍ୟା ବା ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥାଏ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହିକିଯେ ଏଠାରେ ସମୁଦ୍ର କେବେହେଲେ କୂଳ ଲଙ୍ଘନ କରି ସହର ମଧ୍ୟକୁ ପ୍ରବେଶ କରେନାହିଁ । ନିକଟରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫଣୀ’ର ପ୍ରଭାବରେ ଶ୍ରୀକ୍ଷେତ୍ର ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲେ ମଧ୍ୟ ସମୁଦ୍ରର ଜଳ କୂଳ ଲଙ୍ଘନ କରି ସହର ମଧ୍ୟକୁ ପ୍ରବେଶ କରିପାରି ନ ଥିଲା । ତେବେ କଣ ରହିଛି ଏହାର କାରଣ ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା ।

ଏହାର ଭୌଗୋଳିକ କାରଣ ହୁଏତ ଏହା ହୋଇପାରେ ଯେ ଶ୍ରୀକ୍ଷେତ୍ର ଏକ ଉଚ୍ଚ ଭୂମି ଉପରେ ଅବସ୍ଥିତ, ତେଣୁ ସମୁଦ୍ରର ଜଳ ଏହାର ସୀମା ମଧ୍ୟକୁ ପ୍ରବେଶ କରିପାରେ ନାହିଁ । ପୁରାଣ ମତରେ ମଧ୍ୟ ଶ୍ରୀକ୍ଷେତ୍ର ଏକ ପର୍ବତ (ନୀଳଗିରି) ଉପରେ ଅବସ୍ଥିତ ଥିଲା ଯେଉଁଠାରେ କି ପ୍ରଭୁ ନୀଳମାଧବ (ଶ୍ରୀଜଗନ୍ନାଥଙ୍କ ଆଦ୍ୟ ରୂପ) ପୂଜା ପାଉଥିଲେ । ତେବେ ଆମେ ଯଦି ଏତଦ୍ବ୍ୟତୀତ ଅନ୍ୟ କାରଣ ସମ୍ବନ୍ଧରେ ଅନୁସନ୍ଧାନ କରିବାକୁ ଯିବା ତେବେ ଆମକୁ କିମ୍ବଦନ୍ତୀର ସହାୟତା ନେବାକୁ ପଡିବ । ଏକ ଜନପ୍ରିୟ କିମ୍ବଦନ୍ତୀ ଅନୁସାରେ ଏକ ସମୟରେ ସାଗର ରାଜା ବରୁଣ ଶ୍ରୀଜଗନ୍ନାଥଙ୍କୁ ପ୍ରଣିପାତ କରିବା ନିମିତ୍ତ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରୁଥିବାରୁ ଏ ଅଞ୍ଚଳ ସମୁଦ୍ରର କୂଳ ଲଙ୍ଘନ କରିବା କାରଣରୁ ବାରମ୍ବାର ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହେଉଥିଲା । ତେଣୁ ଏହାର ନିରାକରଣ ପାଇଁ ଶ୍ରୀକ୍ଷେତ୍ରବାସୀ ସେମାନଙ୍କର ଇଷ୍ଟଦେଵ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବାରୁ ମହାପ୍ରଭୁଙ୍କ ଆଦେଶକ୍ରମେ ହନୁମାନ ସମୁଦ୍ରକୂଳରେ ଚକ୍ରତୀର୍ଥ ଠାରେ ଜାଗ୍ରତ ପ୍ରହରୀ ରୂପେ ଦଣ୍ଡାୟମାନ ରହି ସହର ମଧ୍ୟରେ ସମୁଦ୍ର ବା ସାଗର ରାଜା ବରୁଣଙ୍କର ଅନୁପ୍ରବେଶକୁ ପ୍ରତିରୋଧ କଲେ । ଫଳସ୍ୱରୂପ ଶ୍ରୀକ୍ଷେତ୍ର ମଧ୍ୟକୁ ସମୁଦ୍ର ବା ଦରିଆ ଜଳର ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ରୂପେ ରୋକାଯାଇପାରିଲା । ଏହାପରଠାରୁ ସ୍ଥାନୀୟ ଲୋକମାନେ ହନୁମାନ ବା ମହାବୀରଙ୍କୁ ଶ୍ରଦ୍ଧାରେ ‘ଦରିଆ ମହାବୀର’ ରୂପେ ସମ୍ବୋଧନ କରିବାକୁ ଲାଗିଲେ ।

ସମୁଦ୍ର କୂଳରେ ପହରା ଦେଉଥିବା ହନୁମାନ ବା ଦରିଆ ମହାବୀରଙ୍କ ଭୋଜନ ନିମିତ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଦିନ ଶ୍ରୀମହାପ୍ରସାଦ ପଠାଉଥିଲେ । ହେଲେ ଏକଦା ହନୁମାନ ଅଯୋଧ୍ୟାର ଖୁଆମଣ୍ଡା ବା ଅମୃତଲଡୁର ଲୋଭରେ ପଡି ଶ୍ରୀଜଗନ୍ନାଥଙ୍କ ଅଜ୍ଞାତରେ ସେଠାକୁ ଏହା ଖାଇବାକୁ ଚାଲିଯାଇଥିଲେ । ତେଣୁ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବରୁଣ ରାଜା ପୁନଶ୍ଚ ଶ୍ରୀକ୍ଷେତ୍ର ମଧ୍ୟକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମିତ୍ତ ପ୍ରବେଶ କଲେ । ଏହାର ଫଳସ୍ୱରୂପ ସମଗ୍ର ସହର ଜଳମଗ୍ନ ହେବାରୁ ଶ୍ରୀଜଗନ୍ନାଥ ହନୁମାନଙ୍କୁ ସ୍ମରଣ କଲେ ଏବଂ ହନୁମାନ ଲଡୁ ଖାଉଥିବା ଅବସ୍ଥାରେ ଅର୍ଥାତ୍ ବାମ ହସ୍ତରେ ଅର୍ଦ୍ଧଭୁକ୍ତ ଖୁଆମଣ୍ଡା (ଅମୃତ ଲଡୁ) ଏବଂ ଦକ୍ଷିଣ ହସ୍ତରେ ଗଦା ଧରି ଶ୍ରୀକ୍ଷେତ୍ରରେ ଉପସ୍ଥିତ ହେବାରୁ ସମୁଦ୍ର ପୁନଶ୍ଚ ଶ୍ରୀକ୍ଷେତ୍ରରୁ ଅପସରି ଯାଇଥିଲା । ଏହାପରେ ହନୁମାନ ମହାପ୍ରଭୁଙ୍କୁ କହିଥିଲେ ଯେ ସେ ଅଯୋଧ୍ୟାର ଖୁଆମଣ୍ଡା ଖାଇବାର ଲୋଭକୁ ସମ୍ବରଣ କରିନପାରି ସେଠାକୁ ଚାଲିଯାଇଥିଲେ ଓ ଏତାଦୃଶ ଭୁଲ ଆଉ ପୁନର୍ବାର କରିବେ ନାହିଁ ବୋଲି କହି ଏଥିପାଇଁ ସେ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ ।

ଏହାପରେ ମହାପ୍ରଭୁ ହନୁମାନଙ୍କୁ ଏପରି ଏକ ଅମୃତଲଡୁ ପ୍ରଦାନ କରିଥିଲେ ଯେ ଯାହା କେବେ ହେଲେ ସରିବ ନାହିଁ ଓ ଫଳସ୍ୱରୂପ ହନୁମାନଙ୍କୁ କେବେହେଲେ ଶ୍ରୀକ୍ଷେତ୍ର ପରିତ୍ୟାଗ କରି ଅମୃତଲଡୁ ଖାଇବା ନିମିତ୍ତ ଅଯୋଧ୍ୟା ଯିବାକୁ ପଡ଼ିବ ନାହିଁ । ତତ୍ସହିତ ସେ ହନୁମାନଙ୍କୁ କର୍ତ୍ତବ୍ୟରେ ଅବହେଳା କରିଥିବା କାରଣରୁ ଶୃଙ୍ଖଳରେ ବନ୍ଧନ କରିଥିଲେ ବା ବେଡି ପକାଇଥିଲେ ଯେପରିକି ସେ ଶ୍ରୀକ୍ଷେତ୍ରକୁ ସମୁଦ୍ରର ଅନୁପ୍ରବେଶରୁ ସୁରକ୍ଷା ଦେବା ପାଇଁ ସଦା ସର୍ବଦା ପ୍ରହରୀ ରୂପେ ସମୁଦ୍ର ଉପକୂଳସ୍ଥ ଚକ୍ରତୀର୍ଥ ନିକଟରେ ଅବସ୍ଥାନ କରନ୍ତି । ମାତ୍ର ହନୁମାନଙ୍କୁ ଶୃଙ୍ଖଳରେ ବନ୍ଧନ କରିବା ଅସମ୍ଭବ ଥିବାରୁ ମହାପ୍ରଭୁ ଏପରି ବ୍ୟବସ୍ଥା କଲେ ଯେ ଯେପରିକି ଶୃଙ୍ଖଳର ପ୍ରତ୍ୟେକ ଭାଗରେ ରାମ ନାମ ଧ୍ୱନିତ ହେଉଥିବ । ଏହାଦ୍ବାରା ପ୍ରଭୁ ଶ୍ରୀରାମଙ୍କ ପ୍ରତି ଅତୁଟ ଭକ୍ତି ତଥା ଆନୁଗତ୍ୟ ଥିବା କାରଣରୁ ହନୁମାନ ନା ଶୃଙ୍ଖଳକୁ ଛିଣ୍ଡାଇ ପାରିଲେ, ନା ଶ୍ରୀକ୍ଷେତ୍ରକୁ ସମୁଦ୍ର କବଳରୁ ସୁରକ୍ଷା ଦେବାରେ ନିଜର କର୍ତ୍ତବ୍ୟରୁ ଓହରି ପାରିଲେ । ଶୃଙ୍ଖଳ ବା ବେଡି ଦ୍ୱାରା ଆବଦ୍ଧ ଅବସ୍ଥାରେ ରହି ଶ୍ରୀକ୍ଷେତ୍ରକୁ ସୁରକ୍ଷା ଦେଉଥିବା କାରଣରୁ ମଧ୍ୟ ସେ ‘ଶୃଙ୍ଖଳ ହନୁମାନ’ ବା ‘ବେଡି ହନୁମାନ’ ନାମରେ ଜନସମୁଦାୟଙ୍କ ଦ୍ୱାରା ସମ୍ବୋଧିତ ହେବାକୁ ଲାଗିଲେ । ଆଜି ମଧ୍ୟ ଶ୍ରୀକ୍ଷେତ୍ରର ଚକ୍ରତୀର୍ଥ ଠାରେ ଏହି ବେଡି ହନୁମାନଙ୍କ ମନ୍ଦିରଟି ବିଦ୍ୟମାନ ।

ଚକ୍ରତୀର୍ଥରେ ଅବସ୍ଥିତ ଏହି ହନୁମାନ ମନ୍ଦିରରେ ବେଡି ହନୁମାନଙ୍କୁ ପ୍ରତ୍ୟେହ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ଚକ୍ର ନାରାୟଣଙ୍କୁ ଲାଗିହୋଇଥିବା ଖୁଆମଣ୍ଡାରୁ ପାଞ୍ଚଟି ଖୁଆମଣ୍ଡା ସମର୍ପଣ କରାଯାଇଥାଏ । ଏଠାରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସହିତ ‘ରାମ ସହସ୍ର ନାମ’ ପାଠ ସହିତ ପହଡ଼ ପଡେ । ଏହାଛଡା ପ୍ରତି ସଂକ୍ରାନ୍ତିରେ ବେଡି ହନୁମାନଙ୍କୁ ନାଗା ବେଶରେ ସଜ୍ଜିତ କରାଯାଇଥାଏ । ବେଡି ହନୁମାନଙ୍କ ମୂଳ ମନ୍ଦିରଟି ଜରାଜୀର୍ଣ୍ଣ ହୋଇଯିବା ପରେ ଖ୍ରୀଷ୍ଟୀୟ ବିଂଶ ଶତାବ୍ଦୀର ପ୍ରାରମ୍ଭରେ କଲିକତାବାସୀ ବୈରୀନାଥ ବାଜୁରିଆଙ୍କ ଦ୍ଵାରା ତାଙ୍କ ମାତାଙ୍କ ସ୍ମୃତିରେ ଜୀର୍ଣ୍ଣ ମନ୍ଦିରର ଉଦ୍ଧାର କରାଯାଇ ଏହା ସମ୍ମୁଖରେ ଏକ ନାଟ ମନ୍ଦିରର ନିର୍ମାଣ କରାଯାଇଥିଲା । ଏହି ନାଟ ମନ୍ଦିରର ପାର୍ଶ୍ୱରେ ଶନି ଏବଂ ଲଡୁ ଗୋପାଳ ପୂଜା ପାଉଛନ୍ତି । ମନ୍ଦିରର ଚତୁଃପାର୍ଶ୍ବରେ ସାବିତ୍ରୀ, ଅଞ୍ଜନା ଏବଂ ଗଣେଶଙ୍କ ପ୍ରସ୍ତର ନିର୍ମିତ ମୂର୍ତ୍ତି ମଧ୍ୟ ବିରାଜମାନ । ଏହି ବେଡି ହନୁମାନଙ୍କ ମନ୍ଦିର ପାଇଁ ଚକ୍ରତୀର୍ଥର ମାହାତ୍ମ୍ୟ ଅନେକ ପରିମାଣରେ ବୃଦ୍ଧି ପାଇଛି ।

ତେବେ ଏଠାରେ ପାଠକଙ୍କ ମନରେ ଶଙ୍କା ଉପୁଜିପାରେ ଯେ ଶ୍ରୀକ୍ଷେତ୍ରରେ ସର୍ବତ୍ର ହନୁମାନଙ୍କ ମୂର୍ତ୍ତି ମାନ ବିରାଜମାନ, ତେଣୁ ସେ କିପରି ସମସ୍ତ ସ୍ଥାନରେ ଏକ ସମୟରେ ଉପସ୍ଥିତ ରହିଥାନ୍ତି ? ଏହାର ଉତ୍ତରରେ ଏତିକି କୁହାଯାଇପାରେ ଯେ ହନୁମାନ ହେଉଛନ୍ତି ଯୋଗସିଦ୍ଧ ତଥା ସ୍ୱୟଂ ସିଦ୍ଧି ଏବଂ ନିଧିର ଦାତା । ଯୋଗଶାସ୍ତ୍ରରେ ଏକ ପ୍ରକାର ସିଦ୍ଧି ରହିଛି ଯାହାଦ୍ୱାରା ସିଦ୍ଧି ପ୍ରାପ୍ତ ବ୍ୟକ୍ତି ଏକ ସମୟରେ ଅନେକ ସ୍ଥାନରେ ଉପସ୍ଥିତ ହୋଇପାରନ୍ତି । ତେଣୁ ଏହି ସିଦ୍ଧି ବଳରେ ହିଁ ହନୁମାନ ବା ଅନ୍ୟାନ୍ୟ ଦେବାଦେବୀ ତଥା ସିଦ୍ଧ ପୁରୁଷ ମାନେ ଏକ ସମୟରେ ଅନେକ ସ୍ଥାନରେ ଉପସ୍ଥିତ ରହିପାରନ୍ତି । ‘ହନୁମାନ ଚାଳିଶା’ରେ ଯଥାର୍ଥରେ ବର୍ଣ୍ଣନା କରାଯାଇଛି ଯେ –

“ଅଷ୍ଟସିଦ୍ଧି ନୌ ନିଧିକେ ଦାତା
ଅସ ବର ଦୀନ ଜାନକୀ ମାତା
ରାମ ରସାୟନ ତୁମ୍ହରେ ପାସା
ସଦା ରହୋ ରଘୁପତି କେ ଦାସା”

ରଘୁପତି ବା ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦାସ ଦରିଆ ମହାବୀରଙ୍କୁ କୋଟି ପ୍ରଣାମ । ସେ ଏହିପରି ଭାବରେ ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ଆଜ୍ଞାରେ ସମୁଦ୍ରର ଅନୁପ୍ରବେଶରୁ ରକ୍ଷା କରୁଥାଆନ୍ତୁ ।

ଜୟ ହନୁମାନ ! ଜୟ ଜଗନ୍ନାଥ !

-: ସହାୟକ ଉତ୍ସ :-

୧) ଶ୍ରୀକ୍ଷେତ୍ରରେ ହନୁମାନ ଉପାସନା ପରମ୍ପରା, ଶ୍ରୀ ପଙ୍କଜ ସାହୁ, ଉତ୍କଳ ପ୍ରସଙ୍ଗ (ମେ ୨୦୦୫)
୨) ଜଗନ୍ନାଥ ବଲ୍ଲଭ ମଠ ଅନ୍ତର୍ଭୁକ୍ତ ମନ୍ଦିର ଓ ଦେବାଦେବୀ, ଡକ୍ଟର ମନସା ଶ୍ରୀଚନ୍ଦନ, ଉତ୍କଳ ପ୍ରସଙ୍ଗ (ଜୁନ ୨୦୧୨)

Sidebar