ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୋଳବେଦୀ

ଓଡିଶାରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ, ସେଥିମଧ୍ୟରୁ ଦୋଳ ପୂର୍ଣ୍ଣିମା ଅନ୍ୟତମ । ଦୋଳ ପୂର୍ଣ୍ଣିମା ଦିନ ଯେଉଁ ମଣ୍ଡପରେ ଠାକୁର ବିଜେ କରିଥାନ୍ତି, ସେହି ମଣ୍ଡପକୁ ଦୋଳ ମଣ୍ଡପ ବା ଦୋଳ ବେଦୀ କୁହାଯାଏ ।

ଶ୍ରୀକ୍ଷେତ୍ରରେ ପୂର୍ବେ ଦୋଳ ବେଦୀ ଦୋଳମଣ୍ଡପ ସାହିର ଅଙ୍ଗିରା ଆଶ୍ରମର ସାମନାରେ ଥିଲା । ସେ ସ୍ଥାନକୁ ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ଵୟଂ ଦୋଳି ଖେଳିବା ନିମନ୍ତେ ଯାତ୍ରା କରୁଥିଲେ । ଏକଦା ଦୋଳ ପୂର୍ଣ୍ଣିମା ସମୟରେ ବଡ଼ ବାଡ଼ ସାଆନ୍ତ ଶ୍ରୀ ବଳଭଦ୍ରଙ୍କ ବାହୁ କ୍ଷତିଗ୍ରସ୍ତ ହେବା ପରଠାରୁ ଆଉ ଚତୁର୍ଦ୍ଧା ମୂର୍ତ୍ତୀ ଦୋଳବେଦୀ କୁ ବିଜେ କଲେ ନାହିଁ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରର ଉତ୍ତର-ପୂର୍ବ କୋଣରେ ଦୋଳବେଦୀ ନିର୍ମାଣ କରାଗଲା । ଦୋଳବେଦୀକୁ ଦୋଳ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବଦଳରେ ଚଳନ୍ତି ପ୍ରତିମା ମାନେ (ମା ଭୂଦେବୀ, ଶ୍ରୀ ଦୋଳଗୋବିନ୍ଦ, ମା ଶ୍ରୀଦେବୀ) ବିଜେ କଲେ, ଯାହା କି ଅଦ୍ୟାବଧି ଚାଲୁ ରହିଛି ।

ଦୋଳବେଦୀ ଉପରେ ଥିବା କୁଞ୍ଜଟି କଳା ମୁଗୁନି ପଥରରେ ନିର୍ମିତ । ଉଭୟ ସ୍ତମ୍ଭର ଶୀର୍ଷ ଆଡ଼କୁ ଦୁଇ ଗୋଟି ମଗର ମୁଣ୍ଡ ରହିଅଛି । ସ୍ତମ୍ଭର ଖିଲଣରେ ବହୁ କାରୁକାର୍ଯ୍ୟ ମଧ୍ୟ ଦେଖିବାକୁ ମିଳେ । ଏହାର ଶୀର୍ଷ ଭାଗରେ ଏକ ଦଧିନଉତି, ତା ଉପରେ କଳସ ଓ କଳସରେ ଖଞ୍ଜା ଯାଇଛି ଚକ୍ର । ଏହା ଉପରେ ଭୋଇ ବଂଶର ରାଜା ଶ୍ରୀ ବୀରକିଶୋର ଦେବଙ୍କ ନାମ ଖୋଦିତ ହୋଇଛି । ଶ୍ରୀ ବୀରକିଶୋର ଦେବ, ଦୋଳ ବେଦୀର ଜୀର୍ଣ୍ଣୋଦ୍ଧାର କରିଥିଲେ । ଦଧିନଉତିର ଉଭୟ ପାର୍ଶ୍ୱରେ ପୂର୍ବ ଓ ପଶ୍ଚିମକୁ ମୁହଁକରି ରହିଛି ଦୁଇଟି ପଥର ସିଂହ । ଦୁଧିନଉତି ମଝିରେ ରହିଛି ଯୋଡ଼ ହସ୍ତରେ ବସିଥିବା ଏକ ଗରୁଡ଼ ।

ଏହି କୁଞ୍ଜରେ ଥିବା ୨ଟି ସ୍ତମ୍ଭରେ କେତେକ ସୁନ୍ଦର କାରୁକାର୍ଯ୍ୟ ମଧ୍ୟ ଦେଖିବାକୁ ମିଳିଥାଏ । ସେଗୁଡିକ ମଧ୍ୟରେ ଦୁଇଟି ବିରଳ ନୃସିଂହ ବିଗ୍ରହ, ଶିବ, ବ୍ରହ୍ମା, ଇନ୍ଦ୍ର, ଗଙ୍ଗା, ଯମୁନା, ନାରଦ ଏବଂ ଅନ୍ୟାନ୍ୟ ଦେବ ବିଗ୍ରହ । ମଣ୍ଡପର ତଳ ଅଂଶ ଗୁଡିକରେ ବହୁ ଭାସ୍କର୍ଯ୍ୟ ଆଦି ଦେଖିବାକୁ ମିଳିଥାଏ । ଯଥା – କନ୍ଦର୍ପ ରଥ, କନ୍ଦର୍ପ ହସ୍ତୀ, ଗଣେଶ, ହନୁମାନ, ଶ୍ରୀ କୃଷ୍ଣ , ଜୟ ବିଜୟ , ଯଶୋଦା, ଚାମରୀ, ଗରୁଡ଼, ଅଳସୀ କନ୍ୟା, ଶାଳ ଭଞ୍ଜିକା । ଦୋଳବେଦୀର ଦକ୍ଷିଣ ପଟ ଓ ଉତ୍ତର ପଟକୁ ପାବଚ୍ଛ ରହିଛି । ବେଦୀର ଦ୍ୱାର ଦେଶରେ ୩ ଫୁଟର ୨ଟି ଗଜ ସିଂହ ମୂର୍ତ୍ତି ରହିଛି ।

ଦୋଳ ପୂର୍ଣ୍ଣିମା ପୂର୍ବ ଦିନ ବଡ଼ଓଡ଼ିଆ ମଠ ପକ୍ଷରୁ ଏହି ମଣ୍ଡପର ମାର୍ଜ୍ଜନା ନିମିତ୍ତ ଚୁଆ, ରାଶିତେଲ ପ୍ରତିବର୍ଷ ଯୋଗାଯାଇଥାଏ । ଦୋଳ ପୂର୍ଣ୍ଣିମା ଦିନ ଦୋଳ ବେଦୀରେ ଦୋଳି ଲଗାଯାଇଥାଏ, ସେଥିରେ ଠାକୁର ମାନେ ବିରାଜ ମାନ କରିଥାନ୍ତି ଓ ଉପରେ ଚାନ୍ଦୁଆ ମାନ ବନ୍ଧା ଯାଇଥାଏ ।

ଦୋଳବେଦୀର ପ୍ରାଚୀରରେ ଅନେକ ପ୍ରାଚୀନ ସମୟର ଦେବାଦେବୀଙ୍କୁ ଦେଖିବାକୁ ମିଳିଥାଏ ଓ ଏଥିରେ ଖୁବ୍ ସୁନ୍ଦର ଭାବରେ କୃଷ୍ଣ ଲୀଳାର ଭାସ୍କର୍ଯ୍ୟ ମଧ୍ୟ ରହିଛି । ଏଥି ମଧ୍ୟରୁ ଏବେ ଅନେକ ନଷ୍ଟ ହୋଇଗଲାଣି । ଯାହାକିଛି ଭାସ୍କର୍ଯ୍ୟ ବଞ୍ଚି ରହିଛି ଆଶା କରିବା ସେଗୁଡ଼ିକ ଭବିଷ୍ୟତର ପିଢ଼ି ନିମନ୍ତେ ସୁରକ୍ଷିତ ରହିବ ।

ତଥ୍ୟ ସଂଗ୍ରହ – ଶ୍ରୀ ଜଗନ୍ନାଥ ପୃଷ୍ଠା

Sidebar