କଲିକତାର ଦୁର୍ଗୋତ୍ସବ ଠାରୁ ପ୍ରାଚୀନ ଶ୍ରୀକ୍ଷେତ୍ରର ‘ଗୋସାଣୀ ଯାତ’

ଶାରଦୀୟ ଦୁର୍ଗୋତ୍ସବ ଗୁଡିକ ମଧ୍ୟରେ କଲିକତାର ସାର୍ବଜନୀନ ଦୁର୍ଗୋତ୍ସବ ହେଉଛି ସବୁଠାରୁ ଅଧିକ ପ୍ରସିଦ୍ଧ ଓ ଜନପ୍ରିୟ। ତେବେ ଅନେକ ହୁଏତ ଜାଣିନଥିବେ ଯେ ଆମ ଉତ୍କଳୀୟ ଦୁର୍ଗା ଉପାସନାର ସ୍ମୃତିକୁ ବହନ କରୁଥିବା ଶ୍ରୀକ୍ଷେତ୍ର ବା ପୁରୀର “ଗୋସାଣୀ ଯାତ” ବା “ଗୋସାଣୀ ଯାତ୍ରା”, କଲିକତାର ଏହି ପ୍ରସିଦ୍ଧ ଦୁର୍ଗୋତ୍ସବ ଠାରୁ ମଧ୍ୟ ଅଧିକ ପୁରାତନ ଅଟେ ଏବଂ କେତେକ ଐତିହାସିକ ମାନଙ୍କ ମତରେ ଶ୍ରୀକ୍ଷେତ୍ରର ଏହି “ଗୋସାଣୀ ଯାତ” ପରମ୍ପରାରୁ ଅନୁପ୍ରେରିତ ହୋଇ ସୃଷ୍ଟି ହୋଇଛି କଲିକତାର ସାର୍ବଜନୀନ ଦୁର୍ଗୋତ୍ସବ। ତେବେ ଆସନ୍ତୁ ଏବେ ଜାଣିବା ଉତ୍କଳ ତଥା ଶ୍ରୀକ୍ଷେତ୍ରର ମହାନ ସଂସ୍କୃତି ଓ ପରମ୍ପରାର ଅନ୍ୟତମ ନିଦର୍ଶନ – “ଗୋସାଣୀ ଯାତ” ସମ୍ପର୍କରେ।

ଶ୍ରୀକ୍ଷେତ୍ରର ବିଭିନ୍ନ ଐତିହ୍ୟପୂର୍ଣ୍ଣ ସ୍ଥାନମାନଙ୍କରେ (ବିଶେଷ କରି ସାହି ମାନଙ୍କରେ) ଏହି ଗୋସାଣୀମାନଙ୍କର ମୃଣ୍ମୟୀ ମୂର୍ତ୍ତି ଦେଖିବାକୁ ମିଳିଥାଏ। ଦେଶର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଥିବା ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ଗୁଡିକ ସାଧାରଣତଃ କମନୀୟ ହୋଇଥିବା ସ୍ଥଳେ ପୁରୀର ଏହି ‘ଗୋସାଣୀ’ ମୂର୍ତ୍ତି ଗୁଡିକ ବୃହତ ଅବୟବ ବିଶିଷ୍ଟ ହୋଇଥାନ୍ତି, ଯାହାକି ଦେବୀଙ୍କୁ ଏକ ଯୋଦ୍ଧା ଭାବେ ଚିତ୍ରଣ କରିଥାଏ। ଏହି ମୂର୍ତ୍ତି ଗୁଡିକର ସାଜସଜ୍ଜା ମଧ୍ୟ ପାରମ୍ପରିକ ସୋଲ କାରିଗରୀ ଦ୍ୱାରା କରାଯାଇଥାଏ ଯାହାକି ଦେଖିବାକୁ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥାଏ।

ଶ୍ରୀକ୍ଷେତ୍ରର ଏହି ‘ଗୋସାଣୀ’ ମୂର୍ତ୍ତି ଗୁଡ଼ିକ କୌତୁହଳ ପୂର୍ଣ୍ଣ ନାମରେ ନାମିତ, ଯେପରିକି ଜହ୍ନିଖାଇ, କାକୁଡିଖାଇ, ପଣାପ୍ରିୟା, କଣ୍ଟାକାଢି, ଗେଲବାଈ ଇତ୍ୟାଦି। ଏହି ମୂର୍ତ୍ତି ଗୁଡ଼ିକ କାହିଁକି ‘ଗୋସାଣୀ’ ନାମରେ ପରିଚିତ, ତାହା ଅନ୍ୟ ଏକ ଆଲେଖ୍ୟରେ ଉପସ୍ଥାପନା କରାଯିବ, ତେବେ ଏହି ‘ଗୋସାଣୀ’ ଶବ୍ଦଟି ‘ଗୋସାମଣୀ’ ଶବ୍ଦର ଅପଭ୍ରଂଶିତ ଶବ୍ଦ ବୋଲି ପ୍ରତୀୟମାନ ହୁଏ।

ଶ୍ରୀକ୍ଷେତ୍ରରେ ଏହି ‘ଗୋସାଣୀ’ ମୂର୍ତ୍ତି ସହିତ ଅନ୍ୟ କେତେକ ପାରମ୍ପରିକ ମୂର୍ତ୍ତି ମଧ୍ୟ ପ୍ରତିଷ୍ଠିତ ହୋଇଥାନ୍ତି, ଯେପରିକି ନାଗା, ରାବଣେଶ୍ବର ମହାଦେବ, ପଞ୍ଚମୁଖୀ ହନୁମାନ, ସମ୍ପାତି ପକ୍ଷୀ, ପର୍ଶୁରାମ ଇତ୍ୟାଦି। ଏହି ମୂର୍ତ୍ତି ସବୁ ବିଭିନ୍ନ ‘ଗୋସାଣୀ’ ମୂର୍ତ୍ତି ସହିତ ଆଶ୍ଵିନ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ଵାର ସମ୍ମୁଖରେ ଏକତ୍ରିତ ହୋଇଥାନ୍ତି ଯାହାକୁ “ଗୋସାଣୀ ମେଳଣ” ବା “ଗୋସାଣୀ ମିଳନ” କୁହାଯାଏ। ଏହି ଉତ୍ସବ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥାଏ।

ଶ୍ରୀକ୍ଷେତ୍ରର ‘ଗୋସାଣୀ’ ଉତ୍କଳୀୟ ଶିଳ୍ପ ପରମ୍ପରାର ଅନନ୍ୟ ନିଦର୍ଶନ। ସାଧାରଣତଃ ଦେଶର ଅନ୍ୟାନ୍ୟ ଦୁର୍ଗା ମୂର୍ତ୍ତି ଗୁଡ଼ିକର ଗଠନରେ ମୂର୍ତ୍ତିର କମନୀୟତା ଉପରେ ତଥା ସ୍ୱର୍ଣ୍ଣ ରୋୖପ୍ୟାଦି ଆଳଙ୍କରିକ ସାଜସଜ୍ଜା ଉପରେ ଅଧିକ ଦୃଷ୍ଟି ଦିଆଯାଉଥିବା ବେଳେ ଶ୍ରୀକ୍ଷେତ୍ରର ଏହି ‘ଗୋସାଣୀ’ ମୂର୍ତ୍ତି ଠାରେ ଆମ ଐତିହ୍ୟ ଓ ଶିଳ୍ପ ପରମ୍ପରା ଉପରେ ଅଧିକ ଦୃଷ୍ଟି ଦିଆଯାଇଥାଏ। ‘ଗୋସାଣୀ’ ମୂର୍ତ୍ତିର ଆଖି ଓ ‘ମହିଷାସୁର’ର ଆଖି ଉଭୟ ସମ୍ନାସାମ୍ନି ହେବା, ‘ଗୋସାଣୀ’ ମୂର୍ତ୍ତି ‘ମହିଷାସୁର’କୁ ଶୁନ୍ୟରେ ବଧ କରିବା ଦୃଶ୍ୟ ଏହି ଐତିହ୍ୟ ଓ ଶିଳ୍ପ ପରମ୍ପରାର ନିଚ୍ଛକ ଉଦାହରଣ।

ଉଗ୍ର ଆଧୁନିକତାର ପ୍ରଭାବରେ ମଧ୍ୟ ପୁରୀର ଏହି “ଗୋସାଣୀ ଯାତ” ଯେ ନିଜର ପରିଚୟ ବଜାୟ ରଖିବାକୁ ସମର୍ଥ ହୋଇଛି, ତାହା କମ ଆଶ୍ଚର୍ଯ୍ୟଜନକ ନୁହେଁ। ଏହି ଯାତ୍ରା ଯୁଗଯୁଗ ଧରି ଏହିପରି ଚାଲିଥାଉ ଓ ଶ୍ରୀକ୍ଷେତ୍ରର ମହାନ ପରମ୍ପରାକୁ ଜନସମ୍ମୁଖରେ ଏହିପରି ପ୍ରଦର୍ଶିତ କରି ଚାଲିଥାଉ, ଏତିକି ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।

ଜୟ ମା ଦୁର୍ଗତିନାଶିନୀ! ଜୟ ଜଗନ୍ନାଥ!

Sidebar