ଶ୍ରୀମନ୍ଦିର ପରିସରସ୍ଥ କାଞ୍ଚି ଗଣେଶ ବା ଭଣ୍ଡ ଗଣେଶ ବା ଉଚ୍ଛିଷ୍ଟ ଗଣପତି

ଦେବାଦେବୀଙ୍କ ଉପାସନା ଦୃଷ୍ଟିରୁ ଭାରତରେ ହିନ୍ଦୁମାନଙ୍କର ପାଞ୍ଚ ଗୋଟି ମୁଖ୍ୟ ସମ୍ପ୍ରଦାୟ ରହିଛି। ସେଗୁଡିକ ହେଲା – ଗାଣପତ୍ୟ (ଗଣେଶଙ୍କ ଉପାସକ), ବୈଷ୍ଣବ (ବିଷ୍ଣୁଙ୍କ ଉପାସକ), ଶୈବ (ଶିବଙ୍କ ଉପାସକ), ଶାକ୍ତ (ଶକ୍ତିଙ୍କ ଉପାସକ) ଓ ସୌର (ସୂର୍ଯ୍ୟଙ୍କ ଉପାସକ) ।

“ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ।
ଭିନ୍ନା ଭିନ୍ନ ନ କର୍ତ୍ତବ୍ୟଂ ପଞ୍ଚଦେବ ନମୋସ୍ତୁତେ ।।”

ଗଣପତି ଅଗ୍ରପୂଜ୍ୟ। ତାଙ୍କର ଉପାସନାରେ ପ୍ରାୟ ୩୨ ପ୍ରକାର ଗଣପତିଙ୍କର ବର୍ଣ୍ଣନା ରହିଛି ଯାହାକି “ମୁଦ୍ଗଲ ପୁରାଣ”ରେ ଦେଖିବାକୁ ମିଳେ। ଏହି ୩୨ ପ୍ରକାର ଗଣପତିଙ୍କ ମଧ୍ୟରୁ “ଉଚ୍ଛିଷ୍ଟ ଗଣପତି” ଅନ୍ୟତମ। ଏହି ଗଣପତି ନିଜ ବାମ ଉରୁରେ ତାଙ୍କ ଶକ୍ତିଙ୍କୁ ବସାଇ ଉପବେଶିତ ମୁଦ୍ରାରେ ବିଦ୍ୟମାନ ଥାଆନ୍ତି ତଥା ତାଙ୍କର ଶୁଣ୍ଢ ତାଙ୍କର ଶକ୍ତିଙ୍କ ଗୁପ୍ତାଙ୍ଗକୁ ସ୍ପର୍ଶ କରିଥାଏ। ସେଥିପାଇଁ ତାଙ୍କର ନାମ ହେଉଛି “ଭଣ୍ଡ ଗଣେଶ” ଯାହାକି ଉତ୍କଳୀୟ ମାନେ ଦେଇଛନ୍ତି। ଏହି ମୂର୍ତ୍ତି ଅତ୍ୟନ୍ତ ବିରଳ। ତେବେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିସରରେ, ଭିତର ବେଢା ମଧ୍ୟରେ ପଶ୍ଚିମ ପାଖରେ ଥିବା ସାକ୍ଷୀଗୋପାଳ ମନ୍ଦିରକୁ ଲାଗି ରହିଛି ଏକ କ୍ଷୁଦ୍ର ମନ୍ଦିର ଯାହାମଧ୍ୟରେ ଏହି “ଉଚ୍ଛିଷ୍ଟ ଗଣପତି”ଙ୍କର ମୂର୍ତ୍ତି ଦେଖିବାକୁ ମିଳେ। ଏହାଙ୍କର କାହାଣୀ ମଧ୍ୟ ଅତି ରୋଚକ।

ଏକଦା ଗଜପତି ପୁରୁଷୋତ୍ତମ ଦେବ, କାଞ୍ଚିର ରାଜଜେମା ପଦ୍ମାବତୀଙ୍କୁ ବିବାହ କରିବାକୁ ଇଛା ପ୍ରକାଶ କରି କାଞ୍ଚି ରାଜାଙ୍କ ନିକଟକୁ ଦୂତ ପ୍ରେରଣ କରିଥିଲେ। ମାତ୍ର କାଞ୍ଚିର ରାଜା ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ଏଇଥିପାଇଁ ଯେ ତାଙ୍କ ମତରେ ପୁରୀର ଗଜପତି ହେଉଛନ୍ତି ଏକ ଚଣ୍ଡାଳ ଯେ କି ରଥ ଯାତ୍ରା ସମୟରେ ରଥରେ ଚଣ୍ଡାଳର କାର୍ଯ୍ୟ (ଝାଡୁ କରିବା ଯାହାକି ଛେରାପହଁରାକୁ ବୁଝାଇଥାଏ) କରିଥାନ୍ତି। ଏହା ଶୁଣି ଗଜପତି ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ କାରଣ ଏହା ଗଜପତିଙ୍କର ନୁହେଁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପମାନ ଥିଲା। ତେଣୁ କାଞ୍ଚି ରାଜାଙ୍କୁ ଉଚିତ ଶାସ୍ତି ଦେବା ପାଇଁ ସେ କାଞ୍ଚି ଆକ୍ରମଣ କରିଥିଲେ।

ପୁରୁଷୋତ୍ତମ ଦେବଙ୍କୁ ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ମା’ ସିଦ୍ଧବାସେଳୀ କଳା ଓ ଧଳା ଘୋଡା ରୂପେ ଆସି ଉପସ୍ଥିତ ହେଲେ ଏବଂ ସ୍ୱୟଂ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଦୁଇଭାଇ ସୈନିକ ରୂପରେ ଏହି ଦୁଇ ଘୋଡାରେ ବସି ଆଗରେ କାଞ୍ଚି ଯୁଦ୍ଧକ୍ଷେତ୍ର ଆଡକୁ ଅଗ୍ରସର ହେଲେ । କାଞ୍ଚି ରାଜାଙ୍କୁ ଯୁଦ୍ଧରେ ସର୍ବଦା ତାଙ୍କର ଉପାସ୍ୟ “ଉଚ୍ଛିଷ୍ଟ ଗଣପତି” ସାହାଯ୍ୟ କରିଥାନ୍ତି। ତେଣୁ ପୁରୁଷୋତ୍ତମ ଦେବଙ୍କ ବିରୁଦ୍ଧରେ ଏହି ଯୁଦ୍ଧରେ ମଧ୍ୟ ସେ, ସେହି ଗଣପତିଙ୍କ ସାହାଯ୍ୟରେ ବିଜୟୀ ହେବେ ବୋଲି ଦୃଢନିଶ୍ଚିତ ଥିଲେ।

ଉଭୟ ସେନା ମଧ୍ୟରେ ଘମାଘୋଟ ସଂଘର୍ଷ ଲାଗିଲା। ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ଧଳା ଘୋଡ଼ା ଏକ ବିରାଡିର ରୂପ ନେଇ କାଞ୍ଚି ଗଣେଶଙ୍କ ବାହନ ମୂଷାକୁ ଆକ୍ରମଣ କଲା। ଫଳରେ ମୂଷାଟି ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲା। ଏହି ସମୟରେ ଗଣେଶ ବୁଝିପାରିଲେ ଯେ ଯୁଦ୍ଧ କ୍ଷେତ୍ରରେ ସ୍ୱୟଂ ଶ୍ରୀଜଗନ୍ନାଥ ଉପସ୍ଥିତ ଅଛନ୍ତି। ତେଣୁ ସେ ଯୁଦ୍ଧରୁ ଅପସରି ଗଲେ ଏବଂ ଫଳସ୍ୱରୂପ କାଞ୍ଚି ରାଜାଙ୍କ ଯୁଦ୍ଧରେ ପରାଜୟ ଘଟିଲା। ବିଜୟୀ ପୁରୁଷୋତ୍ତମ ଦେବ ଶ୍ରୀକ୍ଷେତ୍ରକୁ ଫେରିବା ସମୟରେ ସ୍ବର୍ଣ୍ଣ ରୋୖପ୍ୟାଦି ବିଭବ, କାଞ୍ଚିର ରାଜଜେମା ପଦ୍ମାବତୀ ଏବଂ କାଞ୍ଚି ଗଣେଶ ବା ଭଣ୍ଡ ଗଣେଶଙ୍କ ମୂର୍ତ୍ତିକୁ ନିଜ ସହିତ ପୁରୀ ନେଇ ଆସିଥିଲେ।

କାଞ୍ଚି ଗଣେଶଙ୍କ ମୂର୍ତ୍ତିଟି ଶ୍ରୀମନ୍ଦିରର ଭିତର ବେଢାରେ ସ୍ଥାପିତ ହେଲା ଏବଂ ପୁରୁଷୋତ୍ତମ ଦେବ ତାଙ୍କର ମହାମନ୍ତ୍ରୀଙ୍କୁ ଆଦେଶ ଦେଲେ ପଦ୍ମାବତୀଙ୍କୁ ଏକ ଚଣ୍ଡାଳ ସହିତ ବିବାହ କରାଇବା ପାଇଁ, ଯେହେତୁ କାଞ୍ଚିର ରାଜା ତାଙ୍କୁ ଚଣ୍ଡାଳ ବୋଲି କହି ଅପମାନିତ କରିଥିଲେ।

ମାତ୍ର ଚତୁର ମନ୍ତ୍ରୀ ପଦ୍ମାବତୀଙ୍କୁ ବିବାହ ନଦେଇ ରଥଯାତ୍ରା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ରଥଯାତ୍ରା ସମୟରେ ଯେତେବେଳେ ପୁରୁଷୋତ୍ତମ ଦେବ ଛେରାପହଁରା କରୁଥିଲେ, ସେହି ସମୟରେ ମହାମନ୍ତ୍ରୀ ପଦ୍ମାବତୀଙ୍କୁ ନେଇ ଗଜପତିଙ୍କ ସମ୍ମୁଖକୁ ଆସିଥିଲେ ଏବଂ ଯେହେତୁ ସେତେବେଳେ ଗଜପତି ଚଣ୍ଡାଳର କାର୍ଯ୍ୟ କରୁଥିଲେ, ସେ ତାଙ୍କୁ ସ୍ୱନିର୍ଦେଶ ମୁତାବକ ପଦ୍ମାବତୀଙ୍କୁ ବିବାହ କରିବାକୁ ଅନୁରୋଧ କରିଥିଲେ। ଶେଷରେ ଗଜପତି ନିଜ ଅଭିମାନ ତ୍ୟାଗକରି, ପଦ୍ମାବତୀଙ୍କୁ ନିଜର ରାଣୀ ରୂପେ ବରଣ କରିଥିଲେ।

ଆଜି ମଧ୍ୟ ଶ୍ରୀମନ୍ଦିର ପରିସରସ୍ଥ ଏହି କାଞ୍ଚି ଗଣେଶ ବା ଭଣ୍ଡ ଗଣେଶ ବା ଉଚ୍ଛିଷ୍ଟ ଗଣପତିଙ୍କ ବିଗ୍ରହ ପୂର୍ବ କାଳର ସେହି ମହାନ ସ୍ମୃତିକୁ ମନେ ପକାଇ ଦେଉଛି ଏବଂ ପ୍ରାଚୀନ ଉତ୍କଳର ଗଜପତିଙ୍କ ପରାକ୍ରମ ତଥା ତାଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଉତ୍ସର୍ଗୀକୃତ ଭକ୍ତିକୁ ପ୍ରତ୍ୟେକ ଉତ୍କଳୀୟଙ୍କ ନିମନ୍ତେ ଅନୁସରଣ କରିବା ନିମିତ୍ତ ଉତ୍ସାହ ପ୍ରଦାନ କରୁଛି।

ଜୟ ଜଗନ୍ନାଥ !

ସହାୟକ ଉତ୍ସ:

୧)http://puriwaves.nirmalya.in/…/uchista-ganesha-bhanda-ganes…
୨)https://en.m.wikipedia.org/wiki/Uchchhishta_Ganapati
୩)https://or.m.wikipedia.org/wiki/କାଞ୍ଚି_ଅଭିଯାନ

Sidebar